Onn 3

୫୨ ଦିନ ପରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା ଜାମିନ

National & International

chandrababu

ନୂଆଦିଲ୍ଲୀ: ଆଜି ଆନ୍ଧ୍ରପ୍ରଦେଶ ହାଇକୋର୍ଟ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଚାରି ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ୫୨ ଦିନ ପରେ ସ୍ୱାସ୍ଥ୍ୟଗତ ସମସ୍ୟା ଆଧାରରେ ତାଙ୍କୁ ଜାମିନ ମିଳିଛି | ଉଲ୍ଲେଖ ଥାଉ କି ସ୍କିଲ୍ ଡେଭଲପମେଣ୍ଟ ସ୍କାମ ମାମଲାରେ ତାଙ୍କୁ ରାଜ୍ୟ ପୁଲିସ ଗିରଫ କରିଥିଲା। ତେବେ ତାଙ୍କୁ ଅନେକ ସର୍ତ୍ତ ଆଧାରରେ ଏହି ଜାମିନ ପ୍ରଦାନ କରାଯାଇଛି। ୨୪ ନଭେମ୍ବରରେ ନାଇଡୁଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଭେମ୍ବର ୧୦ ରେ ମୁଖ୍ୟ ଜାମିନ ଆବେଦନ ଉପରେ ଶୁଣାଣି ହେବ। ଡାକ୍ତରଖାନା ଯିବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ହାଇକୋର୍ଟ ମଧ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଗଣମାଧ୍ୟମ ଏବଂ ରାଜନୈତିକ କାର୍ଯ୍ୟକଳାପରେ ଭାଗ ନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖ ଥାଉ କି ଆନ୍ଧ୍ରପ୍ରଦେଶରେ ଟିଡିପି ସରକାର ସମୟରେ ୨୦୧୬ରେ ଏପିଏସ୍‌ଏସ୍‌ଡିସି ପ୍ରତିଷ୍ଠା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦକ୍ଷତା ତାଲିମ ପ୍ରଦାନ କରି ବେକାର ଯୁବକମାନଙ୍କ ସଶକ୍ତୀକରଣ କରିବା ଉପରେ ଧ୍ୟାନ ଦିଆଯାଇଥିଲା। ମାର୍ଚ୍ଚ ମାସରେ ଆନ୍ଧ୍ରପ୍ରଦେଶ ସିଆଇଡି ୩,୩୦୦ କୋଟି ଟଙ୍କା ଦୁର୍ନୀତିର ତଦନ୍ତ ଆରମ୍ଭ କରି ଜାଣିବାକୁ ପାଇଥିଲା ଯେ, ସଠିକ୍ ଟେଣ୍ଡର ପ୍ରକ୍ରିୟା ବିନା ଉକ୍ତ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏହାବ୍ୟତୀତ ଏହି ଯୋଜନାରେ ଅନେକ ଅନିୟମିତତା ହୋଇଥିବା ଜଣାପଡ଼ିଥିଲା। ସେଗୁଡ଼ିକ ମଧ୍ୟରେ ରହିଛି, ଆନ୍ଧ୍ରପ୍ରଦେଶ କ୍ୟାବିନେଟରୁ ପ୍ରକଳ୍ପ ପାଇଁ ଅନୁମୋଦନ ନ ନେବା, ସିମେନ୍ସ ଇଣ୍ଡଷ୍ଟ୍ରି ସଫ୍ଟୱେୟାର ଇଣ୍ଡିଆର ସମ୍ବଳ ବିନିଯୋଗ କରିବାରେ ବିଫଳତା, ଟିଡିପି ସରକାରଙ୍କ ଦ୍ୱାରା ସ୍ୱାକ୍ଷରିତ ଏମ୍‌ଓୟୁରେ ଜଡିତ କନ୍ସର୍ଟିୟମ୍‌ର ଏକ ଅଂଶ ଏବଂ ପ୍ରକଳ୍ପ ପାଇଁ ଆବଣ୍ଟିତ ପାଣ୍ଠିକୁ ସେଲ୍ କମ୍ପାନିଗୁଡିକରେ ବିନିଯୋଗ କରିବା ଇତ୍ୟାଦି। ଦକ୍ଷତା ବିକାଶ ପାଇଁ ୬ଟି କେନ୍ଦ୍ରର ବିକାଶ କାର୍ଯ୍ୟ ସିମେନ୍ସ ଇଣ୍ଡଷ୍ଟ୍ରି ସଫ୍ଟୱେୟାର ଇଣ୍ଡିଆକୁ ଏହି ପ୍ରକଳ୍ପ ଆରମ୍ଭ ହେବା ସମୟରେ ଦିଆଯାଇଥିଲା।