Onn 3

ବିଜେପି ସାଂସଦମାନେ ଦିବାସ୍ୱପ୍ନ ଦେଖାନ୍ତି, ପ୍ରତିଶ୍ରୁତି ଦିଅନ୍ତି, ହେଲେ କାମ ବେଳକୁ ଭୁଲି ଯାଆନ୍ତି- ବିଜେଡି

Politics State

 

bjd

ଭୁବନେଶ୍ୱର: ଜାତୀୟ ରାଜପଥକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । କଟକ-ସମ୍ବଲପୁର ଜାତୀୟ ରାଜପଥ ଅତ୍ୟନ୍ତ ଦୟନୀୟ   ସ୍ଥିତିରେ ରହିଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା ଏବଂ ରକ୍ଷଣା ବେକ୍ଷଣ ଅଭାବରୁ ଶହ ଶହ ଦୁର୍ଘଟଣା ଘଟୁଛି । ଅନେକ ଜୀବନ ଗଲାଣି ।   ଉପକୂଳ ରାଜପଥ ଓ କ୍ୟାପିଟାଲ ରିଜିଅନ ରିଙ୍ଗ୍‍ରୋଡ୍‍ ଫାଇଲରେ ରହିଛି । ହେଲେ  ବିଜେପି ସାଂସଦ, ମନ୍ତ୍ରୀ ଓ ନେତାମାନେ ନିରବ ରହିଛନ୍ତି । ଏମିତି କହି  ବିଜେଡି ମୁଖପାତ୍ର  ଶ୍ରୀମୟୀ ମିଶ୍ର ଓ ଡକ୍ଟର ଲେନିନ ମହାନ୍ତି କେନ୍ଦ୍ରରେ ବିଜେପି ସରକାର ଉପରେ ବର୍ଷିଛନ୍ତି ।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇ ବିଜେଡି ମୁଖପାତ୍ର କହିଛନ୍ତି ଯେ, ବିଜୁ ଜନତା ଦଳ ଏହି ଜାତୀୟ ରାଜପଥ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ସଂସଦରେ ଦାବି କରିଆସୁଛି । କିନ୍ତୁ ଓଡିଶାର ବିଜେପି ସାଂସଦ ତଥା ଓଡିଶାର କେନ୍ଦ୍ର ମନ୍ତ୍ରୀମାନେ ଏପର୍ଯ୍ୟନ୍ତ କୌଣସି ସ୍ୱର ଉତ୍ତୋଳନ କରି ନାହାଁନ୍ତି ।
ଉପକୂଳ ରାଜପଥ ସଂକ୍ରାନ୍ତରେ ୨୦୧୫ ରେ ଘୋଷଣା ହୋଇଥିଲା, କିନ୍ତୁ ଏହି ରାଜପଥର କାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ । ଓଡ଼ିଶାର ସାତଟି ଉପକୂଳବର୍ତ୍ତୀ ଜିଲ୍ଲାକୁ ସଂଯୋଗ କରୁଥିବା ରାମେଶ୍ୱରରୁ ଦୀଘା ପର୍ଯ୍ୟନ୍ତ ଏହି ୮୦୦୦ କୋଟି ଟଙ୍କା ମୂଲ୍ୟର ଉପକୂଳ ରାଜପଥ କେବଳ ଫାଇଲରେ ରହିଯାଇଛି  ।  ଏପର୍ଯ୍ୟନ୍ତ ଗୋଟିଏ ବି ଇଟା ପଡି ପାରିଲା ନାହିଁ । କିନ୍ତୁ ନିର୍ମାଣରେ ଅଗ୍ରଗତି ନହେବାରୁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାର କୋଟି କୋଟି ଲୋକଙ୍କ ଆଶା  ଧୂଳିସାତ ହୋଇ ଯାଇଛି ।

ସେହିପରି କ୍ୟାପିଟାଲ୍ ରିଜିଅନ୍ ରିଙ୍ଗ୍ ରୋଡ୍‌- ଏପ୍ରିଲ୍‌, ୨୦୨୨ ରେ ଏନଏଚଏଆଇ ଦ୍ୱାରା ଘୋଷଣା କରାଯାଇଥିଲା ।  କିନ୍ତୁ ଏପର୍ଯ୍ୟନ୍ତ ସମସ୍ତ ଘୋଷଣା କେବଳ ଫାଇଲରେ ରହିଯାଇଛି  ।   ବିଜେପିର ଭୁବନେଶ୍ୱର ଲୋକସଭା ସାଂସଦ ନୀରବ ରହି ଏହି ପ୍ରସଙ୍ଗରୁ ମୁହଁ ଫେରାଇ ଦେଇଛନ୍ତି । ଯେଉଁମାନେ ତାଙ୍କୁ ୨୦୧୯ ରେ ନିର୍ବାଚିତ କରିଥିଲେ,  ସେହି ଲୋକଙ୍କୁ ଅବହେଳା କରିଛନ୍ତି ସାସଂଦ ।

ବିଜେଡି ମୁଖପାତ୍ର କହିଛନ୍ତି, ପ୍ରକଳ୍ପ ଘୋଷଣା ହେବା ମାତ୍ରେ, ଓଡ଼ିଶା ସରକାର ଏହି ରିଙ୍ଗ ରୋଡର ଢାଞ୍ଚାକୁ ଅନୁମୋଦନ କରିଛନ୍ତି ଯାହା ଟ୍ରାଫିକ୍ ଭିଡ ହ୍ରାସ ଜନିତ ଯାତାୟାତକୁ ସୁନିଶ୍ଚିତ କରିବ ଏବଂ ଭୁବନେଶ୍ୱର ଓ କଟକ ମଧ୍ୟରେ ବାଇପାସ୍‍ ଭଳି କାର୍ଯ୍ୟ କରିବ । ଏହି ପ୍ରକଳ୍ପ ଭାରତର ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା କାର୍ଯ୍ୟକାରୀ ହେବ ଯେଉଁଥିପାଇଁ ଓଡ଼ିଶା ସରକାର ମଧ୍ୟ ୬୦୦ କୋଟି ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି  ।  ତଥାପି ଉପକୂଳ ରାଜପଥ ପରି, ଏହି ରାଜଧାନୀ ରିଙ୍ଗ୍ ରୋଡ୍ ମଧ୍ୟ ଯୋଜନାରେ ରହିଯାଇଛି ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି,  ଭୁବନେଶ୍ୱର ଦେଇ ଯାଉଥିବା ଜାତୀୟ ରାଜପଥ ଉପରେ ଇସ୍କନ୍ ନିକଟରେ ଜଳବନ୍ଦୀ ଜାତୀୟ ରାଜପଥ ପାଇଁ ଏକ ଲଜ୍ଜାଜନକ ଘଟଣା ପାଲଟିଛି । ଯେତେବେଳେ ବି ବର୍ଷା ହୁଏ, ସର୍ଭିସ୍ ରୋଡ୍ ଏବଂ ଏନଏଚ୍‍ ରେ ଇସ୍କନ୍ ମନ୍ଦିର ସମ୍ମୁଖରେ ଥିବା ସ୍ଥାନଗୁଡିକ ପ୍ରଚୁର ଜଳ ସହିତ ଏକ ହ୍ରଦରେ ପରିଣତ ହୁଏ । ଏଠାରେ ମଧ୍ୟ ବିଜେପିର ଭୁବନେଶ୍ୱର ସାଂସଦ ନୀରବ ରହିଛନ୍ତି ଏବଂ ଜଣେ ମୂକ ଦର୍ଶକ ସାଜିଛନ୍ତି । ବାରମ୍ବାର ସ୍ମାରକପତ୍ର ପ୍ରଦାନ ସତ୍ୱେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଏହାର ନିରାକରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ।

ଯଦି ଏନଏଚଏଆଇ କର୍ତ୍ତୃପକ୍ଷ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନ ନେବେ ଏବଂ ଓଡିଶାର ବିଜେପି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀମାନେ ମୂକ ଦର୍ଶକ ସାଜିବା ଜାରି ରଖିବେ, ତେବେ ଓଡିଶାର ଲୋକମାନେ ଆନ୍ଦୋଳନ ଆରମ୍ଭ କରି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ।
ଜାତୀୟ ରାଜପଥ, ଉପକୂଳ ରାଜପଥ, ରାଜଧାନୀ ରିଙ୍ଗ୍ ରୋଡ୍‌, ଭୁବନେଶ୍ୱରର ଇସ୍କନ୍ ମନ୍ଦିର ନିକଟରେ ଜଳ ବନ୍ଦୀ ସମସ୍ୟା ଏବଂ ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ଭଳି ସମସ୍ୟାର ସମାଧାନ ଦିଗରେ ସେମାନଙ୍କର ଯଥାର୍ଥ ତଥା ନ୍ୟାର୍ଯ୍ୟ ଦାବି ପାଇଁ ଓଡିଶାବାସୀଙ୍କର ଏହି ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀମତୀ ମିଶ୍ର ଓ ଡକ୍ଟର ମହାନ୍ତି କହିଛନ୍ତି ।