Onn 3

ରାଜ୍ୟରେ ଆଉ ୫୮ଟି ନୂଆ ଏନଏଏସି ଗଠନ ପାଇଁ ଦାବି

State

lok

ରାଜ୍ୟରେ ଆଉ ୫୮ଟି ନୂଆ ଏନଏଏସି(ବିଜ୍ଞାପିତ ଅଂଚଳ ପରିଷଦ) ଗଠନ ପାଇଁ ରାଜ୍ୟ ସରକାରଙ୍କୁ ବିଧିବଦ୍ଧ ପ୍ରସ୍ତାବ ମିଳିଛି । ରାଜ୍ୟ ସରକାର ଗ୍ରାମୀଣ ସହରୀ ପରିବର୍ତ୍ତନ ନୀତି(ରୁରାଲ ଅର୍ବାନ ଟ୍ରାଞ୍ଜିସନ୍ ପଲିସି)ର ପ୍ରାବଧାନ ଅନୁସାରେ ଗ୍ରାମାଂଚଳକୁ ସହରାଂଚଳ ଘୋଷଣା ନିମନ୍ତେ ତର୍ଜମା କରି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି ।

ରାଜ୍ୟ ଗୃହ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ୫୮ଟି ନୂଆ ଏନଏଏସି ଗଠନ ପାଇଁ ରାଜ୍ୟର ୨୨ଟି ଜିଲ୍ଲାରୁ ପ୍ରସ୍ତାବ ମିଳିଛି । ସେଥିରେ ସର୍ବାଧିକ କଟକ ଜିଲ୍ଲାରୁ ୬ଟି ପ୍ରସ୍ତାବ ଓ ବଲାଙ୍ଗିର ଜିଲ୍ଲାରୁ ୫ଟି ପ୍ରସ୍ତାବ ମିଳିଛି । ଯାଜପୁର ଓ ଗଞ୍ଜାମ ଜିଲ୍ଲାରୁ ୪ଟି ଲେଖାଏଁ ପ୍ରସ୍ତାବ ଆସିଛି।

କଟକ ଜିଲ୍ଲାର ସାଲେପୁର, ବଡ଼ମ୍ବା,ନରସିଂହପୁର,ନିଆଳି, ମାଣିଆବନ୍ଧ ଓ ବାରଙ୍ଗକୁ ଏନଏଏସି ଘୋଷଣା ପାଇଁ ପ୍ରସ୍ତାବ ମିଳିଥିବାବେଳେ ବଲାଙ୍ଗିର ଜିଲ୍ଲାର ଲୋଇସିଂହା, ବେଲପଡ଼ା, ବଙ୍ଗମୁଣ୍ଡା, ସଇଁତଳା ଓ ଲାଠୋର ଏବଂ ଯାଜପୁର ଜିଲ୍ଲାର ବିଂଝାରପୁର, ଧର୍ମଶାଳା, ଚଣ୍ଡିଖୋଲ ଓ ପାଣିକୋଇଲି ରହିଛି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ, ବେଗୁନିଆ ଓ ନାଚୁଣୀକୁ ଏନଏଏସି ପାଇଁ ପ୍ରସ୍ତାବ ସରକାରଙ୍କୁ ମିଳିଛି । ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ, ଭଦ୍ରକ ଜିଲ୍ଲାର ଧାମରା ଓ ଆଗରପଡ଼ା, ବାଲେଶ୍ୱର ଜିଲ୍ଲାର ସିମୂଳିଆ ଓ ବସ୍ତା, ଅନୁଗୁଳ ଜିଲ୍ଲାର ପାଲଲହଡ଼ା ଓ ଛେଣ୍ଡିପଦା, ବରଗଡ଼ ଜିଲ୍ଲାର ଭଟଲୀ, ପାଇକମାଳ ଓ ଭେଡେନ୍ ପୁରୀ ଜିଲ୍ଲାର କାକଟପୁର, ସାକ୍ଷୀଗୋପାଳ ଓ ବ୍ରହ୍ମଗିରି, ସୁନ୍ଦରଗଡ଼ ଜିଲ୍ଲାର ବଣେଇ ଆଦିକୁ ଏନଏଏସି କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ମିଳିଛି ।

ତେବେ ମନ୍ତ୍ରୀ ଉଷା ଦେବୀ କହିଛନ୍ତି ଯେ, ଟାଙ୍ଗୀକୁ ବିଜ୍ଞାପିତ ଅଂଚଳ ପରିଷଦ ଗଠନ ସମ୍ବନ୍ଧୀୟ ପ୍ରସ୍ତାବରେ ମଗାଯାଇଥିବା ଆବଶ୍ୟକୀୟ ଦସ୍ତାବିଜ ଓ ତଥ୍ୟ ଖୋର୍ଦ୍ଧା ଜିଲ୍ଲାପାଳଙ୍କଠୁ ହସ୍ତଗତ ହୋଇନାହିଁ । ଇତିମଧ୍ୟରେ ରାଜ୍ୟ ସରକାର ରୁରାଲ ଅର୍ବାନ ଟ୍ରାଞ୍ଜିସନ୍ ପଲିସିର ବିଜ୍ଞପ୍ତି ଜାରି କରିସାରିଛନ୍ତି । ଏହି ନୀତିରେ ଥିବା ପ୍ରାବଧାନ ଆଧାରରେ ପ୍ରସ୍ତାବିତ ଗ୍ରାମାଂଚଳକୁ ସହରାଂଚଳ ଘୋଷଣା ନିମନ୍ତେ ତର୍ଜମା କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୬୩ଟି ଏଏନଏସି ଓ ୪୬ଟି ପୌର ପରିଷଦ ଓ ୫ଟି ମହାନଗର ନିଗମ ରହିଛି ।