ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶାର ବରପୁତ୍ରମାନଙ୍କ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବ ପାଳନ କରାଯାଉଛି। ଏଥିପାଇଁ ବିଭାଗ ପକ୍ଷରୁ ସକାଳୁ ସକାଳୁ ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ସେମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଉଛି। ଗତ କିଛି ବର୍ଷ ହେଲା ନିୟମିତ ଭାବେ ଏହି ଧାରା ଚାଲିଛି। ବିଭିନ୍ନ ସଂଗଠନକୁ ଏହି କାର୍ଯ୍ୟକ୍ରମରେ ସାମିଲ ବି କରାଯାଉଛି। ପୂଜ୍ୟପୂଜାର ଏହି ଧାରାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।
ଏହି କାର୍ଯ୍ୟକ୍ରମଗୁଡ଼ିକରେ ବରପୁତ୍ରଙ୍କ ନାମରେ ‘ସ୍ମୃତି ସମ୍ମାନ’ ପ୍ରଦାନ କରାଯାଉଥିବା ଦେଖିବାକୁ ମିଳୁଛି। ଯେମିତି ଫକୀର ମୋହନ ସେନାପତିଙ୍କ ଜୟନ୍ତୀରେ ‘ବ୍ୟାସକବି ସ୍ମୃତି ସମ୍ମାନ’, ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ଜନ୍ମ ଶତବାର୍ଷିକୀରେ ‘ସଙ୍ଗୀତ ସୁଧାକର ସ୍ମୃତି ସମ୍ମାନ’, ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଶ୍ରାଦ୍ଧୋତ୍ସବରେ ‘ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସମ୍ମାନ’। ଏହି ସ୍ମୃତି ସମ୍ମାନ ପାଇଁ କିଛି ଗାଇଡ୍ଲାଇନ୍ ହୋଇଛି ନା ମନଇଚ୍ଛା ପ୍ରଦାନ କରାଯାଉଛି, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସାଧାରଣତଃ ସରକାର ଦେଉଥିବା ସବୁ ସମ୍ମାନ ପାଇଁ ଚୟନ କମିଟି ଗଠନ ହୁଏ। କମିଟି ଯୋଗ୍ୟତା ଦେଖି ବ୍ୟକ୍ତିଙ୍କୁ ଚୟନ କରେ। ଏଥି ପାଇଁ ସ୍ବତନ୍ତ୍ର ଗାଇଡ୍ଲାଇନ୍ ଥାଏ। କିନ୍ତୁ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବରେ ଦିଆଯାଉଥିବା ସ୍ମୃତି ସମ୍ମାନ ପାଇଁ ସେମିତି କିଛି ବ୍ୟବସ୍ଥା ହୋଇ ନଥିବା ଜଣାପଡ଼ିଛି। କୌଣସି ଘରୋଇ ସଂସ୍ଥା ସ୍ମୃତି ସମ୍ମାନ ପ୍ରଦାନ କରୁଥିଲେ ତାହା ଭିନ୍ନ କଥା, କିନ୍ତୁ ସରକାରଙ୍କର ଗୋଟିଏ ବିଭାଗ ଏହି ସମ୍ମାନ ପ୍ରଦାନ କରିବା ବେଶ୍ ଗୁରୁତ୍ବ ବହନ କରେ। ମନଇଚ୍ଛା ଏମିତି ସମ୍ମାନ ପ୍ରଦାନ କରିବା ଦ୍ବାରା ତାହାର ମର୍ଯ୍ୟାଦା କ୍ଷୁର୍ଣ୍ଣ ହେଉଛି ବୋଲି ବହୁ ବୁଦ୍ଧିଜୀବୀ ଯୁକ୍ତି ବାଢ଼ିଛନ୍ତି। ଏହା ଦ୍ବାରା ସଂପୃକ୍ତ ବରପୁତ୍ରଙ୍କ ପ୍ରତି ମଧ୍ୟ ଅସମ୍ମାନ କରାଯାଉଛି।
ସଂସ୍କୃତି ବିଭାଗର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମ ସଂସ୍କୃତି ବିଭାଗ ଆୟୋଜନ କରୁଥିଲେ ମଧ୍ୟ ଏ ପୁରସ୍କାର ନିଷ୍ପତ୍ତି କୌଣସି ବିଭାଗୀୟ ଅଧିକାରୀ ନିଅନ୍ତି ନାହିଁ। ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଉପସ୍ଥିତ ହେଉଥିବା ଲୋକମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସେଠାରେ ଉପସ୍ଥିତ ସଂସ୍କୃତି ବିଭାଗର ଅଧିକାରୀମାନେ ସେମାନଙ୍କୁ ଉତ୍ତରୀୟ ପକାଇ ସମ୍ବର୍ଦ୍ଧିତ କରିଥା’ନ୍ତି। ଏହା ସଂସ୍କୃତି ବିଭାଗର କୌଣସି ପୁରସ୍କାର ନୁହେଁ, କିମ୍ବା ଏ ନେଇ କୌଣସି ପ୍ରକ୍ରିୟା ନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି। ତେବେ ଉତ୍ତରୀୟ ଦେଇ ଉପସ୍ଥିତ ଜନସାଧାରଣଙ୍କ ପ୍ରୋତ୍ସାହିତ କରିବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ଏହାକୁ ‘ସ୍ମୃତି ସମ୍ମାନ’ କହିବା ଓ ମନଇଚ୍ଛା ତାହାକୁ ପ୍ରଦାନ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ବହୁ ସଚେତନ ନାଗରିକ ଯୁକ୍ତି ବାଢ଼ିଛନ୍ତି।