ଭୁବନେଶ୍ବର: ବିଧାନସଭାରେ ମଙ୍ଗଳବାର ଦିନ ୬ଟି ବଲି ପାରିତ ହୋଇଯାଇଛି। ସେଗୁଡ଼ିକ ହେଲା ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ୨୦୨୩, ପଦ ଓ ସେବା ସଂରକ୍ଷଣ ବିଲ୍, ଓଡ଼ିଶା ଚକବନ୍ଦୀ ବିଲ୍, ଓଡ଼ିଶା ଓବିସି କମିସନ ସଂଶୋଧନ ବିଲ୍, ଦ୍ରବ୍ୟ ଓ ସେବା କର ବିଲ୍ ଏବଂ ପୌର ବିଧି ସଂଶୋଧନ ବିଲ।
ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ୨୦୨୩ ପାରିତ ହେବା ଫଳରେ ରାଜ୍ୟରେ ଆପାର୍ଟମେଣ୍ଟ୍ ମାଲିକାନା ପାଇଁ ନୂଆ ଆଇନ ଆସିଛି। ପୂର୍ବରୁ ଥିବା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନୟମ, ୧୯୮୨ ଓ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ, ୧୯୯୨ ଆଉ କାମ କରିବ ନାହିଁ। ଏହି ନୂଆ ଆଇନ୍ ପ୍ରଣୀତ ହେବା ଦ୍ବାରା ଫ୍ଲାଟ୍ ମାଲିକ ସଂଘ ନାମରେ ଆପାର୍ଟମେଣ୍ଟ୍ର ସାଧାରଣ ସ୍ଥାନ(କମନ୍ ଏରିଆ), ଖେଳ ପଡ଼ିଆ ଆଦି ପଞ୍ଜୀକୃତ ହେବ। ଆପାର୍ଟମେଣ୍ଟ ମାଲିକାନା ନିୟମ ଓ ରେରା ଆଇନ ମଧ୍ୟରେ ଥିବା ବିରୋଧାଭାସ ଏହି ନୂଆ ଆଇନ୍ ବଳରେ ସମାଧାନ ହେବ ବୋଲି ସରକାର ପୂର୍ବରୁ କହିଥିଲେ।
ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍-୨୦୨୩ରେ ନିମ୍ନଲିଖିତ ବ୍ୟବସ୍ଥା ରହିଛି
୧. ଆପାର୍ଟମେଣ୍ଟର ସାଧାରଣ ସ୍ଥାନର ବ୍ୟବହାରକୁ ନିୟନ୍ତ୍ରଣ କରିବ ମାଲିକ ସଂଘ।
୨. ଆପାର୍ଟମେଣ୍ଟର ସାଧାରଣ ବ୍ୟୟ ନିମନ୍ତେ ଆବଣ୍ଟନଗ୍ରାହୀଙ୍କ ଏକ ସଂଘ ପାଣ୍ଠି ସୃଷ୍ଟି କରିବା।
୩. ରିଅଲ୍ ଇଷ୍ଟେଟ୍ (ନିୟମାବଳୀ ଏବଂ ବିକାଶ) ଅଧିନିୟମର ବ୍ୟବସ୍ଥା ଅନୁରୁପ ଆବଣ୍ଟନଗ୍ରାହୀମାନଙ୍କ ସଂଘ ନାମରେ ସାଧାରଣ କ୍ଷେତ୍ରର ପଞ୍ଜୀକରଣ ସମ୍ବନ୍ଧୀୟ ଆବଶ୍ୟକୀୟ ବ୍ୟବସ୍ଥା ସୃଷ୍ଟି କରିବା।
୪. ଆବଣ୍ଟନଗ୍ରାହୀମାନଙ୍କ ସଂଘକୁ ଦକ୍ଷ ପ୍ରାଧୀକରଣଙ୍କ ନିକଟରେ ପଞ୍ଜୀକରଣ କରି ଏହାର ପରିଚାଳନା ନିମନ୍ତେ ବିଭିନ୍ନ ସର୍ତ୍ତାବଳୀ ପାଇଁ ଉପ-ବିଧି ଦ୍ୱାରା ଏକକ ବ୍ୟବସ୍ଥା କରିବା।
୫. ପୃଷ୍ଠପୋଷକମାନଙ୍କର ଦାୟିତ୍ୱକୁ ସ୍ପଷ୍ଟ ଭାବରେ ନିର୍ଦ୍ଧାରଣ କରିବା।
୬. ପ୍ରତ୍ୟେକ ଆପାର୍ଟମେଣ୍ଟ ନିର୍ମାତା ଓ ଆପାର୍ଟମେଣ୍ଟ ମାଲିକମାନଙ୍କ ସଂଘ ସହିତ ସମ୍ପର୍କ ଏବଂ ତତସଲଗ୍ନ ଅଧିକାର ଏବଂ ଦାୟିତ୍ୱକୁ ନିର୍ଦ୍ଧାରିତ କରିବା।
୭. ଆପାର୍ଟମେଣ୍ଟ ମାଲିକମାନଙ୍କର ସଂଘ ଗଠନ ପାଇଁ ବ୍ୟବସ୍ଥା କରିବା।
୮. ଆପାର୍ଟମେଣ୍ଟର ବୀମା ଏବଂ ଏହାର ନିର୍ମାଣ ଜନିତ ସ୍ଥିରତା ନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରିବା।
୯. ଆପାର୍ଟମେଣ୍ଟ ମାଲିକଙ୍କ ସ୍ୱାର୍ଥକୁ ଉପଯୁକ୍ତ ଭାବେ ସୁରକ୍ଷା ଯୋଗାଇବା ପାଇଁ ଅଧିନିୟମ, ନିୟମ ଏବଂ ନିୟମାବଳୀକୁ ମାନି କାର୍ଯ୍ୟ କରିବା ପାଇଁ ବ୍ୟବସ୍ଥା କରିବା।
ଏକ ବ୍ୟକ୍ତିଗତ ଆପାର୍ଟମେଣ୍ଟର ମାଲିକାନା ପାଇଁ ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ଓଡିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ-୧୯୮୨ ପ୍ରଣୟନ କରାଯାଇଥିଲା। ଏହି ଅଧିନିୟମ ତା ୦୧.୦୫.୧୯୮୪ ରିଖ ରେ ଲାଗୁ ହେଲା ଏବଂ ତଦନୁସାରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ-୧୯୯୨ ବିଜ୍ଞାପିତ ହୋଇଥିଲା। ଅଧିନିୟମ ଏବଂ ନିୟମକୁ କାର୍ଯ୍ୟକାରୀ କରିବା ସମୟରେ ଅନୁଭୂତ ହେଲା ଯେ ଏଗୁଡିକରେ କିଛି ବ୍ୟବସ୍ଥାଗତ ତ୍ରୁଟି ରହିଛି। ଉପରୋକ୍ତ ଅଧିନିୟମ ଏବଂ ନିୟମରେ ଦକ୍ଷ ପ୍ରାଧିକାରୀଙ୍କର ଉପଯୁକ୍ତ ପରିଭାଷା, ଅଧିକାର ଏବଂ କ୍ଷମତା ସ୍ପଷ୍ଟ ଭାବରେ ପ୍ରଦାନ କରାଯାଇନଥିଲା। ଆପାର୍ଟମେଣ୍ଟ ମାଲିକ ମାନଙ୍କ ସ୍ୱାର୍ଥକୁ ସଂପୂର୍ଣ୍ଣ ରୁପେ ରକ୍ଷା କରିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିଲା।