Onn 3

ଭାରତୀୟ ଦୂତାବାସକୁ ଗୁଇନ୍ଦା ନିରୀକ୍ଷଣରେ ରଖିଥିଲା କାନାଡ଼ା

National & International

can

ନୂଆଦିଲ୍ଲୀ: କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜା‌ର ହତ୍ୟା ମାମଲା ନେଇ ଭାରତ-କାନାଡ଼ା ସଂପର୍କ ଅତି ତିକ୍ତ ହୋଇଉଠିଛି। ଏହି ହତ୍ୟାରେ ଭାରତର ହାତ ଅଛି ବୋଲି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ‌ଟ୍ରୁଡ଼ୋ କରି ଆସୁଥିବା ଦାବିକୁ ଭାରତ ସରକାର ଦୃଢ଼ଭାବେ ଖଣ୍ଡନ କରିଛନ୍ତି। ଏଥିସହିତ ଭାରତରେ କୂଟନୀତିଜ୍ଞ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ସଂଖ୍ୟା ହ୍ରାସ କରିବା ପାଇଁ ଭାରତ ସରକାର କାନାଡ଼ାକୁ କହିଛନ୍ତି। ଅନ୍ୟପକ୍ଷରେ ଆଜି କାନାଡ଼ା କହିଛି ଯେ ନିଜାର ହତ୍ୟା ମାମଲାରେ ଭାରତୀୟ ଦୂତାବାସ କର୍ମଚାରୀଙ୍କ ସଂପୃକ୍ତି ନେଇ ପ୍ରମାଣ ରହିଛି ଏବଂ ଏ ବାବଦ କଲ୍‌ ରେକର୍ଡ ଉପଲବ୍ଧ ଅଛି। ଅନ୍ୟପକ୍ଷରେ କାନାଡ଼ା ସରକାର ଭାରତୀୟ ଦୂତାବାସକୁ ଗୁଇନ୍ଦା ନିରୀକ୍ଷଣରେ ରଖିଥିବା ଜଣାପଡ଼ିବା ପରେ ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତତା ଚରମରେ ପହଞ୍ଚିଛି। କାନାଡ଼ାର ଅଭିଯୋଗକୁ ପୂର୍ବରୁ ଗୁରୁତର ବୋଲି ଆମେରିକା କହିଥିବା ବେଳେ ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍‌ ସୁଲିଭାନ କହିଛନ୍ତି, ତଦନ୍ତରେ ଆମେ ତଥ୍ୟ ପ୍ରମାଣକୁ ଗୁରୁତ୍ବ ଦେବୁ ଏବଂ ଭାରତ ପ୍ରତି କୌଣସି ‘ସ୍ବତନ୍ତ୍ର କୋହଳ ନୀତି’ ଗ୍ରହଣ କରିବୁନାହିଁ। ଏହି ପ୍ରସଙ୍ଗକୁ ନେଇ ଆମେ ଦୁଇ ଦେଶ ସହ ଯୋଗାଯୋଗରେ ରହିଛୁ ଏବଂ ଅପରାଧୀଙ୍କୁ ଧରିବା ପାଇଁ ତଦନ୍ତ ଉଦ୍ୟମକୁ ଆମେରିକା ସମର୍ଥନ କରୁଛି ବୋଲି ସେ କହିଛନ୍ତି।

ଗତ ଜୁନରେ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ ଭାରତ ସରକାରଙ୍କ ଏଜେଣ୍ଟଙ୍କ ହାତ ଅଛି ବୋଲି ପ୍ରଧାନମନ୍ତ୍ରୀ ଟ୍ରୁଡ଼ୋ ଆଜି ପୁଣି ଅଭିଯୋଗ କରିଛନ୍ତି। ନିଜାର କାନାଡ଼ାର ନାଗରିକ ହୋଇଥିଲେ ମଧ୍ୟ ସେ ଭାରତରେ ୱାଣ୍ଟେଡ ଆତଙ୍କବାଦୀ ତାଲିକାରେ ଥିଲା। ନିଜାର ହତ୍ୟା ମାମଲାରେ ଭାରତ ସରକାରଙ୍କ ଏଜେଣ୍ଟଙ୍କ ହାତ ଅଛି ବୋଲି ବିଶ୍ବସନୀୟ କାରଣ ରହିଥିବା ଟ୍ରୁଡ଼ୋ କହିଥିଲେ ମଧ୍ୟ ଏ ନେଇ କୌଣସି ପ୍ରମାଣ ଦାଖଲ କରିବାରେ ବିଫଳ ହୋଇଛନ୍ତି। ଫଳରେ ଭାରତ କାନାଡ଼ା ପ୍ରଧାନମନ୍ତ୍ରୀଙ୍କ ଉକ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ନିଜାର ହତ୍ୟା ସଂପର୍କରେ କାନାଡ଼ା କୌଣସି ସୂଚନା ପ୍ରଦାନ କରିନାହିଁ ବୋଲି ଭାରତ କହିଛି। ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ କାନାଡ଼ାର କୂଟନୀତିଜ୍ଞମାନେ ହସ୍ତକ୍ଷେପ କରୁଛନ୍ତି। ଏଥିସହିତ ଦେଶରେ କାର୍ଯ୍ୟ କରୁଥିବା କାନାଡ଼ାର କୂଟନୀତିଜ୍ଞଙ୍କ ସଂଖ୍ୟା ହ୍ରାସ ପାଇଁ ଭାରତ ପକ୍ଷରୁ କୁହାଯାଇଛି। ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଭାରତରେ ଆବଶ୍ୟକତାଠାରୁ ଅଧିକ କୂଟନୀତିଜ୍ଞ କାନାଡ଼ାର ଅଛନ୍ତି। ତେଣୁ ଏହାକୁ ହ୍ରାସ କରାଯିବାର ଆବଶ୍ୟକତା ରହିଛି। ସରକାର ମଧ୍ୟ କାନାଡ଼ାକୁ ଭିସା ସେବା ବନ୍ଦ କରିଦେଇଛନ୍ତି।

ଦୁଇ ‌‌‌ଦେଶ ଗତ ମଙ୍ଗଳବାର ପରସ୍ପରର ବରିଷ୍ଠ କୂଟନୀତିଜ୍ଞଙ୍କୁ ବିଦା କରିବା ସହିତ ଯାତ୍ରା ନେଇ ମାର୍ଗଦର୍ଶିକା ଜାରି କରିବା ପରେ ବିବାଦ ତୀବ୍ର ହୋଇଛି। କାନାଡ଼ାରେ ବସବାସ କରୁଥିବା ନାଗରିକ ଏବଂ ସେହି ଦେଶକୁ ଭ୍ରମଣ ଉଦ୍ଦେଶ୍ୟରେ ଯାଇଥିବା ବ୍ୟକ୍ତିମାନଙ୍କୁ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ସେଠାରେ ଭାରତ ବିରୋଧୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏହା କୁହାଯାଇଛି। କାନାଡ଼ାରେ ଭାରତୀୟ କୂଟନୀତିଜ୍ଞଙ୍କ କାର୍ଯ୍ୟାଳୟରେ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ ବଢ଼ୁଥିବା ନେଇ ଜି ୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରୁଡ଼ୋଙ୍କୁ କହିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହାର କିଛିଦିନ ପରେ ଅକ୍ଟୋବରରେ ଭାରତ ଆସିବାକୁ ଥିବା ବାଣିଜ୍ୟ ପ୍ରତିନିଧିଙ୍କ ଗସ୍ତକୁ କାନାଡ଼ା ସ୍ଥଗିତ ରଖିଛି। କାନାଡ଼ା ପ୍ରସଙ୍ଗରେ ଦେଶରେ ବିରୋଧୀ ଦଳ କଂଗ୍ରେସ ସରକାରଙ୍କୁ ସମର୍ଥନ କରିଛି। ଉଲ୍ଲେଖଯୋଗ୍ୟ, ବିଦେଶରେ ଅଧିକ ସଂଖ୍ୟାରେ ଶିଖମାନେ ରହୁଥିବା ଦେଶ ମଧ୍ୟରେ କାନାଡ଼ା ଅନ୍ୟତମ ଯେଉଁଠି ଆତଙ୍କବାଦ ଗତ କିଛି ବର୍ଷ ମଧ୍ୟରେ ବହୁଳମାତ୍ରାରେ ବୃଦ୍ଧି ପାଇଛି। ଗତ କିଛିମାସ ମଧ୍ୟରେ କାନାଡ଼ାରେ ଅନେକ ଖଲିସ୍ତାନୀ କାର୍ଯ୍ୟକଳାପ ଦେଖାଯାଇଛି।