ମଣିପୁରରେ ହିଂସା ଥମିବାର ନାଁ ଧରୁନାହିଁ। କାଙ୍ଗପୋପକି ଜିଲ୍ଲାରେ ମଙ୍ଗଳବାର ସକାଳେ ନିଷିଦ୍ଧ ଉଗ୍ରବାଦୀ ଗୋଷ୍ଠୀ କୁକି ଜନଜାତିର ୩ ଲୋକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସୂଚନା ମୁତାବକ, ଆକ୍ରମଣକାରୀମାନେ ଏକ ଗାଡ଼ିରେ ଆସିଥିଲେ। ସେମାନେ ଇମ୍ଫାଲ ପଶ୍ଚିମ ଏବଂ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା ଇରେଙ୍ଗ ଓ କରମ୍ ଅଞ୍ଚଳ ମଧ୍ୟରେ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲେ। ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ଏହି ଗ୍ରାମ ପାହାଡ଼ ଉପରେ ଅବସ୍ଥିତ ଏବଂ ଏଠାରେ ଆଦିବାସୀମାନେ ବସବାସ କରୁଛନ୍ତି।
ସୂଚନାଥାଉ କି, ଗତ ମେ’ ୩ରୁ ମଣିପୁରରେ ମେତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଲଗାତାର ସଂଘର୍ଷ ଚାଲିଛି। ଏହି ହିଂସାକାଣ୍ଡରେ ଏ ପର୍ଯ୍ୟନ୍ତ ୧୬୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏବେ ବି ମଣିପୁରରେ ହିଂସା ଜାରି ରହିଛି।