ଭୁବନେଶ୍ୱର:ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି କଂଗ୍ରେସ। ମନ୍ମଥ ରାଉତରାୟଙ୍କୁ ଦଳରୁ ନିଲମ୍ବିତ କରିଛି କଂଗ୍ରେସ । ଦଳର ଶୃଙ୍ଖଳା କମିଟି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ସୂଚନା ଥାଉ କି, କିଛି ଦିନ ତଳେ ମନ୍ମଥ କହିଥିଲେ,୨୦୨୪ରେ ସେ ନିର୍ବାଚନ ଲଢିବେ କିନ୍ତୁ କଂଗ୍ରେସରୁ ନୁହେଁ । ସେ ଆହୁରି କହିଥିଲେ, ତାଙ୍କ ବାପା ସୁର ରାଉତରାୟ ତାଙ୍କର ଜୀବନର ୬୦ ବର୍ଷ କଂଗ୍ରେସ ପାଇଁ ଦେଇ ସାରିଛନ୍ତି । ହେଲେ ସେ ତାଙ୍କ ନିଷ୍ପତ୍ତି ନିଜେ ନେବାଲାଗି ସ୍ୱାଧୀନତା ଦିଆଯାଇଛି । ତାଙ୍କର ଏକ ନିଜସ୍ୱ ସର୍କଲ ଅଛି । ନିଜ ବ୍ୟକ୍ତିଗତ ସ୍ତରକୁ ଦେଖି ଏବଂ ବିଧାନସଭା ମଣ୍ଡଳୀର ଜନତାଙ୍କୁ ଦେଖି ସେ ନିଷ୍ପତ୍ତି ନେଇଛି ଯେ, ୨୦୨୪ରେ କଂଗ୍ରେସ ଟିକେଟରେ ଲଢିବେ ନାହିଁ । ତେବେ ସେ ବାପାଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ପରି ନିଃସ୍ୱାର୍ଥପର ସେବା ମନୋଭାବ ନେଇ କାମ କରିବେ ବୋଲି କହିଥିଲେ ।
ଅନ୍ୟପକ୍ଷେ ଏହାର ଉତ୍ତର ରଖି ବିଧାୟକ ସୁର ରାଉତରାୟ କହିଥିଲେ, ସେ ଯେଉଁଠି କହିବେ ତାଙ୍କ ପୁଅ ସେହିଠାରୁ ଲଢିବ । ଅନ୍ୟ କେଉଁ ଦଳରୁ ନୁହେଁ କେବଳ କଂଗ୍ରେସ ଟିକେଟରୁ ହିଁ ଲଢିବ ବୋଲି ସେ ଦୃଢତାର ସହ କହିଥିଲେ । ଏପରିକି ସୁର ପୁଅ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ କଥା ମଧ୍ୟ ଗତକାଲି କହିଥିଲେ । ଏପରିକି ଦଳର ପ୍ରଭାରୀ ଯେତେବେଳେ ଏନେଇ ଆଲୋଚନା କରିଥିଲେ ସେତେବେଳେ ମଧ୍ୟ ପୁଅ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଥିଲେ ସୁର ରାଉତରାୟ ।