କୋଲକାତା: ପଶ୍ଚିମବଙ୍ଗର ଧୁପଗୁରୀ ଆସନରେ ଉପ-ନିର୍ବାଚନ ପୂର୍ବରୁ ଟିଏମସିକୁ ଲାଗିଲା ଶକ୍ତ ଝଟକା। ଉପ-ନିର୍ବାଚନର ଦୁଇ ଦିନ ପୂର୍ବରୁ ପୂର୍ବତନ ବିଧାୟକ ମିତାଲି ରାୟ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ମିତାଲି ରାୟ ୨୦୧୬ରେ ଟିଏମସି ଟିକେଟରେ ଧୁପଗୁରୀ ଆସନରୁ ଜିତିଥିଲେ। ତେବେ ୨୦୨୧ ମସିହାରେ ମିତାଲି ରାୟଙ୍କୁ ବିଜେପିର ବିଷ୍ଣୁପଦ ରାୟଙ୍କ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।
ବିଜେପିରେ ଯୋଗଦେବା ପରେ ମିତାଲି ରାୟ କହିଛନ୍ତି ଯେ ‘ଟିଏମସିରେ ରହିବା ସମୟରେ ମୁଁ କାମ କରିପାରୁନଥିଲି। ମୋ ଉପରେ ବହୁତ ମାନସିକ ଚାପ ଥିଲା। ମୁଁ ଧୁପଗୁରୀ ଉପ-ନିର୍ବାଚନରେ ପ୍ରଚାର କରିବାକୁ ଚାହୁଁନଥିଲି କିନ୍ତୁ ମୋତେ ଏହା କରିବାକୁ ବାଧ୍ୟ କରାଯାଇଥିଲା। ମୁଁ ବିଜେପିର ସଦସ୍ୟତା ଗ୍ରହଣ କରିଛି କାରଣ ଏହା କେନ୍ଦ୍ରରେ କ୍ଷମତାରେ ଅଛି, ଯାହା ମାଧ୍ୟମରେ ମୁଁ ସେହି ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ କରି ଲୋକଙ୍କ ଆବଶ୍ୟକତା ପୂରଣ କରିପାରିବି।’ ମିତାଲି ରାୟ ଦଳରେ ଯୋଗଦେବା ପରେ ବିଜେପି ନେତା କହିଛନ୍ତି ଯେ ଏହା ଦଳକୁ ମଜବୁତ କରିବ।