Onn 3

ଏଫେଲ୍ ଟାଓ୍ବାରକୁ ଉଡ଼ାଇଦେବାକୁ ଧମକ ! ପର୍ଯ୍ୟଟକଙ୍କୁ ଖାଲି କରାଗଲା

National & International

ପ୍ୟାରିସ୍: ପ୍ୟାରିସସ୍ଥିତ ପ୍ରସିଦ୍ଧ ଏଫେଲ ଟାଓ୍ବାରକୁ ବୋମା ମାରି ଉଡ଼ାଇଦେବାକୁ ଧମକ ମିଳିବା ପରେ ସେଠାରେ ଆତଙ୍କ ଖେଳିଯାଇଛି । ଏହି ଖବର ମିଳିବା ପରେ ପୁଲିସ ପକ୍ଷରୁ ସେଠାରେ ଥିବା ପର୍ଯ୍ୟଟକମାନଙ୍କୁ ଖାଲି କରାଯାଇଥିଲା । ଟାଓ୍ବାରର ୩ଟି ମହଲାରେ ଥିବା ପର୍ଯ୍ୟଟକମାନଙ୍କୁ ଖାଲି କରାଯାଇଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚିବା ପରେ ବୋମାର ସନ୍ଧାନ କରାଯାଉଛି ବୋଲି ଏହି ଟାଓ୍ବାରକୁ ପରିଚାଳନା କରୁଥିବା ସଂସ୍ଥା ଏସଇଟିଇ କହିଛି ।
ଏଫେଲ ଟାଓ୍ବାରର ସାଉଥ ପିଲାର ପାଖରେ ଏକ ପୁଲିସ ଚୌକୀ ରହିଛି । ସେଠାରେ ଥିବା କଣ୍ଟ୍ରୋଲ ରୁମରେ ଟାଓ୍ବାରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜକୁ ଯାଞ୍ଚ କରାଯାଇଥିଲା ଓ ପର୍ଯ୍ୟଟକମାନଙ୍କ ଉପରେ ନଜର ରଖାଯାଇଥିଲା । ତେବେ ଟାଓ୍ବାରର ବିଭିନ୍ନ ମହଲାକୁ ତନ୍ନ ତନ୍ନ କରି ଯାଞ୍ଚପରେ ବୋମା ମିଳିନଥିଲା । ଏହା ପରେ ଦର୍ଶକମାନଙ୍କ କଡ଼ା ଯାଞ୍ଚ କରି ସେମାନଙ୍କୁ ପୁଣି ଭିତରକୁ ଛଡ଼ାଯାଇଥିଲା ।
ଫ୍ରାନ୍ସରେ ଗତ କିଛି ମାସ ହେଲା ଆଇନ ଶୃଙ୍ଖ​ଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ଗତ ଜୁନ ୨୭ରେ ପ୍ୟାରିସରେ ପୁଲିସ ଗୁଳିରେ ଜଣେ ଆଫ୍ରିକୀୟ ବଂଶୋଦ୍ଭବ ନାବାଳକ ମୃତ୍ୟୁବରଣ କରିବା ପରେ ସେଠାରେ ବ୍ୟାପକ ହିଂସା ଦେଖାଦେଇଥିଲା । ପରେ ହିଂସା ଫ୍ରାନ୍ସର ଅନ୍ୟ ସହରକୁ ବ୍ୟାପିଥିଲା । ଏହି ଘଟଣାକୁ ନେଇ ଫ୍ରାନ୍ସର ୩ ଜଣ ପୁଲିସ କର୍ମୀଙ୍କ ଉପରେ ମାମଲା ରୁଜ୍ଜୁ କରାଯାଇଛି ।