Onn 3

ସାପ ଧରିବା ପାଇଁ ଗାଇଡଲାଇନ୍ ଜାରି: ପଞ୍ଜିକରଣ କରିବେ ରାଜ୍ୟର ସବୁ ସାପ ଧରାଳି

State

ଭୁବନେଶ୍ୱର: ସାପ ଧରାଳିଙ୍କ ପାଇଁ ଜାରି ହେଲା ଗାଇଡଲାଇନ। ଜନବସତିରୁ ସାପ ଉଦ୍ଧାର କରିବା ଏବଂ ଅନ୍ୟ ଜାଗାରେ ଛାଡ଼ିବାକୁ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଗାଇଡ୍ ଲାଇନ ଜାରି କରିଛି। ରାଜ୍ୟରେ ଦିନକୁ ଦିନ ସାପ କାମୁଡା ଜନିତ ମୃତ୍ୟୁ ବୃଦ୍ଧି ହେବାରେ ଲାଗିଛି। ସାପ କାମୁଡାରେ ଗତ ୭ ବର୍ଷରେ ରାଜ୍ୟର ୬ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ସାପ ଉଦ୍ଧାରକାରୀ ଦଳ ଠିକ ସମୟରେ ପହଞ୍ଚୁନଥିବାରୁ ଲୋକେ ଭୟରେ ସାପକୁ ମାରିଦେଉଛନ୍ତି। ସେହିପରି କେତକ କ୍ଷେତ୍ରରେ ସାପ ଧରିବାକୁ ଯାଉଥିବା ବ୍ୟକ୍ତି ଆବଶ୍ୟକ ସରଞ୍ଜାମ ନେଉନଥିବାରୁ ସାପ କାମୁଡାର ଶୀକାର ହେଉଛନ୍ତି। ଏପରି ସ୍ଥିତିରେ ସାପଧରାଳିଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି। ସାପ ଧରିବାକୁ ହେଲେ ପ୍ରଥମେ ସେମାନଙ୍କୁ ସରକାରଙ୍କ ନିକଟରେ ପଞ୍ଜିକରଣ କରିବାକୁ ହେବ। ଜଙ୍ଗଲ ବିଭାଗ ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରିବ।

ତେଣୁ ଏବେ କେବଳ ସ୍ୱୀକୃତିପ୍ରାପ୍ତ ସାପ ଧରାଳୀ ହିଁ ସାପ ଧରିବେ। ସାପଧରାଳିଙ୍କ ପାଇଁ ସରକାର ବୀମା କରିବେ। ଜଙ୍ଗଲ ବିଭାଗ ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରିବ। ସାପଧରାଳିଙ୍କୁ ସ୍ୱତନ୍ତ୍ର ସୁରକ୍ଷା ଟୁଲ କିଟ୍ ପ୍ରଦାନ କରାଯିବ। ସାପକୁ ଧରିବା ପରେ ଜଙ୍ଗଲରେ ଛାଡିବାକୁ ପଡିବ। ଏକାଧିକ ସାପ ଉଦ୍ଧାର ହୋଇଥିଲେ ଗୋଟିଏ ସ୍ଥାନ ସାପ ନଛାଡିବାକୁ କୁହାଯାଇଛି। କିନ୍ତୁ ସାପ ଧରିବା ବେଳେ ସାପର କୌଣସି କ୍ଷତି ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯିଏ ଏହାକୁ ନମାନିବେ ସେମାନଙ୍କ ବିରୋଧରେ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ

୬୫ ବର୍ଷରୁ କମ୍‌ ବୟସର ଲୋକ ସ୍ୱୀକୃତିପ୍ରାପ୍ତ ସାପ ଧରାଳୀ ପଦବୀ ପାଇଁ ଆବେଦନ କରିପାରିବେ। ଏସିଏଫ୍‌ଙ୍କ ଦ୍ବାରା ଗଠିତ କମିଟି ଆବେଦନପତ୍ର ଗ୍ରହଣ କରିବା ସହ ତାଲିକା ଚୂଡ଼ାନ୍ତ କରିବେ। ସ୍ୱୀକୃତିପ୍ରାପ୍ତ ସାପଧରାଳିଙ୍କ ପାଖରେ ପିଭିସି ପାଇପ୍ ଏବଂ ବ୍ୟାଗ୍, ଫାଷ୍ଟ ଏଡ୍‌ କିଟ୍, ଟର୍ଚ୍ଚ, ହେଡ୍‌ ଲ୍ୟାମ୍ପ, ସାପ କାମୁଡ଼ା ବ୍ୟା‌ଣ୍ଡେଜ୍, ସାପ ଧରା ହୁକ୍, ଫ୍ରେମ୍ ଲାଗିଥିବା କପଡ଼ା ବ୍ୟାଗ୍, ସାପ ଧରା ବ୍ୟାଗ୍, ନିଜକୁ ସୁରକ୍ଷିତ ରଖିବା ଭଳି ସାମଗ୍ରୀ ରଖିବାକୁ କୁହାଯାଇଛି ।