ଭୁବନେଶ୍ବର : ନିଜକୁ ମହାନ୍ ଯୋଗୀ ଶ୍ରୀଅରବିନ୍ଦ ଓ ଶ୍ରୀମାଙ୍କ ଶିଷ୍ୟ ବୋଲାଉଥିବା ଶଙ୍ଖାରୀ ଗ୍ରାମର ଜନୈକ ସୁବାସ ଦାସ ପଣ୍ଡିଚେରୀ ଆଶ୍ରମରୁ ପଦ୍ମଭୂଷଣ ମନୋଜ ଦାସଙ୍କ ଅସ୍ଥି ଚୋରି କରିଛନ୍ତି ବୋଲି ଅଭିଯୋଗ ହୋଇଛି | ଏହି ଘଟଣା ସମସ୍ତ ମନୋଜ ପ୍ରେମୀ ଓ ଶ୍ରୀ ଅରବିନ୍ଦ ପ୍ରେମୀମାନଙ୍କ ମନରେ ଘୋର ଆଘାତ ଆଣିଦେଇଛି । ଏହି ଷଡ଼ଯନ୍ତ୍ର ଓ କୁକର୍ମ ପଛରେ ଯେ ଶଙ୍ଖାରି ସ୍ଥିତ ମନୋଜ ବାବୁଙ୍କ ପୈତୃକ ଘର ଜବରଦଖଲ କରିବା ଓ ରାଜନୀତି କରିବାର ଅଭିସନ୍ଧି ରହିଛି , ତାହା ଏବେ ସ୍ପଷ୍ଟ ହୋଇଛି।
ପ୍ରଥମେ ଶ୍ରୀଅରବିନ୍ଦଙ୍କ ଚିତାଭସ୍ମ ସ୍ଥାପନ କରି ସେଠାରେ ଏକ ଧ୍ୟାନକେନ୍ଦ୍ର ନିର୍ମାଣ ଓ ପାଠଚକ୍ର ପରିଚାଳନା ମାଧ୍ୟମରେ ସମଗ୍ର ସରକାରୀ ପ୍ରକଳ୍ପଟିକୁ ହାତେଇବା ପାଇଁ ଏକ ହୀନ ଉଦ୍ୟମ ଆରମ୍ଭ ହେଲା । ମନୋଜ-ମନ୍ମଥ ସ୍ମାରକୀର ମୂଳ ଲକ୍ଷ୍ୟ ଏହା ଦ୍ଵାରା ଦିଗହରା ହେବା ସହ ସେମାନଙ୍କ ସ୍ମୃତି ମଳିନ କରାଯାଉଥିବା ନେଇ ଜଣାପଡିବା ପରେ ତୀବ୍ର ବିରୋଧ ହେଲା ।
ଏହା ପରେ ଚକ୍ରାନ୍ତକାରୀମାନେ ପୁଣି ନୂଆ ଏକ ହୀନ ଉଦ୍ୟମ ଆରମ୍ଭ କରିଛନ୍ତି। ଏବେ କହୁଛନ୍ତି ସେମାନେ ମନୋଜ ବାବୁଙ୍କ ଅସ୍ଥି ସ୍ଥାପନ କରିବେ ଓ ସମାଧି ନିର୍ମାଣ କରି ପୂଜା କରିବେ । ମନୋଜ ବାବୁଙ୍କ ମହାପ୍ରୟାଣ ଦୁଇ ବର୍ଷରୁ ଅଧିକ ବିତି ଯାଇଥିଲେ ମଧ୍ୟ ତାଙ୍କର ଅସ୍ଥି ସେମାନେ କିପରି ଆଣିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ମନୋଜ ବାବୁ ଆଶ୍ରମ ଅନ୍ତେବାସୀ ଥିଲେ। ଯେହେତୁ ତାଙ୍କର କୌଣସି ସ୍ଵତନ୍ତ୍ର ଇଛାପତ୍ର ନ ଥିଲା ତେଣୁ ସ୍ଵତଃ ସ୍ଵାଭାବିକ ଭାବେ ଆଶ୍ରମ ନିୟମ ଅନୁଯାୟୀ ତାଙ୍କ ଅନ୍ତ୍ୟେଷ୍ଟି ସମ୍ପନ୍ନ ହୋଇଥିଲା। ନିୟମ ଅନୁଯାୟୀ ଚିତାଭସ୍ମ ସାଗର ବକ୍ଷରେ ବିସର୍ଜନ କରାଯାଇଥିଲା । ଯେହେତୁ ମନୋଜ ବାବୁ ଏଥିନେଇ ଅନ୍ୟ କିଛି ନିର୍ଦିଷ୍ଟ ଇଛା ଲେଖି ନାହାନ୍ତି ତେଣୁ ସ୍ଵତଃ ଆଇନ ଅନୁଯାୟୀ ଆଶ୍ରମର ନିୟମ ଲାଗୁ ହୋଇଥିଲା । ଆଇନତଃ ତାହା ହିଁ ତାଙ୍କ ଇଛା ବୋଲି ଧରାଯାଇଥିଲା ଏବଂ ତଦନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କର ଜୀବିତାବସ୍ଥାରେ ପତ୍ନୀ ପ୍ରତିଜ୍ଞା ଦେବୀଙ୍କର ମଧ୍ୟ ଆଶ୍ରମ ନିୟମାନୁଯାୟୀ ଅନ୍ତ୍ୟେଷ୍ଟି ସମ୍ପନ୍ନ ହୋଇଥିଲା।
ତେଣୁ ଏ ପରିସ୍ଥିତିରେ ଆଶ୍ରମର ବିନା ଅନୁମତିରେ ସୁବାସ ଦାସ ଙ୍କ ଦ୍ବାରା ମନୋଜ ବାବୁଙ୍କ ଅସ୍ଥି ଆଣିବା ଏକ ଚୋରି ଓ ଏକ ସାଂଘାତିକ ଅପରାଧ। ଏ ସମ୍ପର୍କରେ ଅନ୍ୟାନ୍ୟ ଆଇନ ମଧ୍ୟ ରହିଛି ଯାହାର କି ବିରୁଦ୍ଧାଚରଣ ହେଉଛି।
ଏହା ମନୋଜ ବାବୁଙ୍କ ପ୍ରତି ଅସମ୍ମାନ। ସମଗ୍ର ରାଜ୍ୟବାସୀ ଏହି ଘଟଣାରେ ମର୍ମାହତ। ତେଣୁ ଏ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଆଜି ଏହି ଏକ FIR ଥାନାରେ ଦାଖଲ କରାହୋଇଛି ବୋଲି ଜଣାପଡ଼ିଛି |