Onn 3

ବିଜେଡି ଓ ୱାଇଏସଆର କଂଗ୍ରେସକୁ ଚିଦାମ୍ବରମଙ୍କ ପ୍ରଶ୍ନ, ଦିଲ୍ଲୀ ସେବା ବିଲରେ କଣ ଭଲ ଦେଖିଲେ?

National & International

ମଙ୍ଗଳବାର ଲୋକସଭାରେ ଆଗତ ହୋଇଛି ଦିଲ୍ଲୀ ସେବା ବିଲ୍। କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲକୁ ଆଗତ କରିଛନ୍ତି। ଏହି ବିଲ୍ ଉପରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ଏବଂ ଜଗନ୍ ମୋହନ ରେଡ୍ଡୀଙ୍କ ପାର୍ଟି ୱାଇଏସଆର କଂଗ୍ରେସ ମୋଦୀ ସରକାରଙ୍କୁ ସମର୍ଥନ କରିଛନ୍ତି। ରାଜ୍ୟସଭାରେ ଏହି ବିଲକୁ ବନ୍ଦ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଆମ୍ ଆଦମୀ ପାର୍ଟିକୁ ଏହା ବଡ ଝଟକା ଦେଇଛି। ଏହାରି ମଧ୍ୟରେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ ଏକ ଟ୍ୱିଟ୍ କରି ଦୁଇ ଆଞ୍ଚଳିକ ଦଳକୁ ପ୍ରଶ୍ନ କରିଛନ୍ତି।

ଚିଦାମ୍ୱରମ କହିଛନ୍ତି, ଦିଲ୍ଲୀ ସେବା ବିଲକୁ ବିଜେପି ସାଂସଦମାନେ ସମର୍ଥନ କରିବାର ଉଦ୍ଦେଶ୍ୟକୁ ବୁଝିପାରୁଛି ହେଲେ BJD ଓ YSRCP ସମର୍ଥନ କରିବା ପଛର କାରଣ ବୁଝିପାରୁନି। ଏହି ବିଲରେ ସେମାନେ କ’ଣ ଭଲ ଦେଖିଛନ୍ତି ଜାଣିପାରୁନି? କେନ୍ଦ୍ର ଦୁଇ ଜଣ ସଦସ୍ୟଙ୍କୁ ନିଯୁକ୍ତି ଦେବାକୁ ଥିବାବେଳେ ବିପକ୍ଷ ଭାବେ ରାଜ୍ୟରୁ କେବଳ ଜଣେ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିପାରିବେ। ଦୁଇଜଣ ଅଧିକାରୀ କୋରମ୍ ଗଠନ କରିପାରିବେ ଏବଂ ବୈଠକ କରିପାରିବେ। ତା ସହ ମୁଖ୍ୟମନ୍ତ୍ରୀଙ୍କ ଅଂଶଗ୍ରହଣ ବିନା ନିଷ୍ପତ୍ତି ମଧ୍ୟ ନେଇପାରିବେ? ଏଥିରେ ସେମାନେ କଣ ଭଲ ଦେଖିପାରୁଛନ୍ତି?”

ଏହା ବ୍ୟତୀତ ପି ଚିଦାମ୍ବରମ୍ ଆହୁରି ପଚାରିଛନ୍ତି, ସେମାନଙ୍କୁ ଯେଉଁ ବ୍ୟବସ୍ଥାରେ ଦୁଇଜଣ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ବରଖାସ୍ତ କରିପାରିବେ ସେଥିରେ କିଛି ଭଲ ଦେଖାଯାଉଛି କି? କଣ ସେମାନେ ଏଥିରେ ବି ଭଲ ଦେଖିପାରୁଛନ୍ତି, ଯେଉଁଥିରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର କର୍ତ୍ତୃପକ୍ଷଙ୍କ ସର୍ବସମ୍ମତ ନିଷ୍ପତ୍ତିକୁ ମଧ୍ୟ ଅଗ୍ରାହ୍ୟ କରିପାରିବେ? କଣ ଏହି ଦୁଇ ଦଳକୁ ଅନୁଭୂତ ହେଉଛି ଯଦି ବିଧେୟକ ପାରିତ ହୋଇଯାଏ ତେବେ ଅଧିକାରୀମାନେ ବସ୍ ଏବଂ ମନ୍ତ୍ରୀମାନେ ଅଧିନରେ ରହିବେ ବୋଲି?

ପାରିତ ହୋଇପାରିବ କି ବିଲ୍?

ଲୋକସଭାରେ ମୋଦୀ ସରକାର ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି। ବିଜେପିରେ ୩୦୧ ସାଂସଦ ଏବଂ ଏନଡିଏରେ ୩୩୩ ସାଂସଦ ଅଛନ୍ତି। ଏଥି ସହିତ ସମଗ୍ର ବିରୋଧୀ ଦଳର ମୋଟ ୧୪୨ ସାଂସଦ ଅଛନ୍ତି। ସର୍ବାଧିକ ୫୦ ସାଂସଦ କଂଗ୍ରେସରୁ ଆସିଛନ୍ତି। ଏଭଳି ପରିସ୍ଥିତିରେ ମୋଦୀ ସରକାର ଲୋକସଭାରେ ଦିଲ୍ଲୀ ଅଧ୍ୟାଦେଶ ଉପରେ ସହଜରେ ବିଲ୍ ପାସ୍ କରିପାରିବେ।

ରାଜ୍ୟସଭାରେ ବିଲ୍ ବନ୍ଦ କରିବାକୁ ସମର୍ଥ ହେବେ କି ବିରୋଧୀ?

ରାଜ୍ୟସଭାରେ ବିଜେପିର ୯୩ ସାଂସଦ ଥିବାବେଳେ ଅନ୍ୟ ଦଳ ସହ ମେଣ୍ଟ ହେବା ପରେ ସଂଖ୍ୟା ୧୦୫ରେ ପହଞ୍ଚିଛି। ଏହା ବ୍ୟତୀତ ବିଜେପି ପାଞ୍ଚ ଜଣ ମନୋନୀତ ତଥା ଦୁଇ ଜଣ ସ୍ୱାଧୀନ ସାଂସଦଙ୍କ ସମର୍ଥନ ପାଇବା ସୁନିଶ୍ଚିତ। ଏପରି ହେଲେ ବିଜେପି ନିକଟରେ ମୋଟ ୧୧୨ ସାଂସଦ ରହିବେ। ତଥାପି, ସଂଖ୍ୟାଗରିଷ୍ଠତାଠାରୁ ୮ ସାଂସଦ କମ୍ ପଡୁଛନ୍ତି। ସେପଟେ ବିରୋଧୀ ଦଳଗୁଡିକରେ ୧୦୫ ଜଣ ସାଂସଦ ଅଛନ୍ତି।

ବିଏସପି, ଜେଡିଏସ୍ ଏବଂ ଟିଡିପିରୁ ଜଣେ ଲେଖାଏଁ ସାଂସଦଙ୍କ ସମର୍ଥନ ଆଶା କରୁଛି ବିଜେପି। ବର୍ତ୍ତମାନ ବିଜେପିକୁ ବିଜେଡି ଏବଂ YSR କଂଗ୍ରେସ ସମର୍ଥନ ମିଳିବା ନେଇ ସ୍ପଷ୍ଟ ହୋଇଛି। ରାଜ୍ୟସଭାରେ ଉଭୟ ଦଳର ୯-୯ ଜଣ ସାଂସଦ ଅଛନ୍ତି। ଏପରି ହେଲେ ବିଜେପି ସହଜରେ ସଂଖ୍ୟାଗରିଷ୍ଠତା ହାସଲ କରିବ ଏବଂ ଦିଲ୍ଲୀ ସର୍ଭିସେସ୍ ବିଲକୁ ସହଜରେ ପାରିତ କରିପାରିବ।