Onn 3

୩ବର୍ଷ ପରେବି ସରୁନି ପଂଚାୟତ ଭବନ ନିର୍ମାଣ, ୨୭ ଲକ୍ଷ ମଞ୍ଜୁର ପରେବି ଲକ୍ଷ୍ୟ ପୁରୁନି

State

ଆଗରପଡ଼ା: କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ପଂଚାୟତର ଉନ୍ନତି ପାଇଁ ଚେଷ୍ଟିତ ହେଉଥିବା ବେଳେ କିଛି ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଉକ୍ତ ଯୋଜନାର ସଫଳ ରୂପାୟନ ହୋଇପାରୁନଥିବା ଜଣାପଡ଼ିଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପୁରୁଷଣ୍ଢ ପଂଚାୟତର ପଂଚାୟତ ଭବନ ନିର୍ମାଣ କ୍ଷେତ୍ରରେ । ୨୦୨୦-୨୧ ଆର୍ôଥକ ବର୍ଷରେ ଗରୀବ କଲ୍ୟାଣ ରୋଜଗାର ଯୋଜନାରେ ରାଜ୍ୟ ସରକାରଙ୍କ ପଂଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟତ ସଂସ୍ଥା ଭଦ୍ରକ ଆନୁକୂଲ୍ୟରେ ପଂଚାୟତ ସମିତି ବନ୍ତ ପକ୍ଷରୁ ପୁରୁଷଣ୍ଢ ପଂଚାୟତର ପଂଚାୟତ ଭବନ ନିର୍ମାଣ ନିମନ୍ତେ ମନରେଗା ଓ ସିଏଫସି ଅନୁଦାନ ପ୍ରତ୍ୟେକରୁ ୧୦ଲକ୍ଷ ଏହିପରି ୨୦ଲକ୍ଷ ଟଙ୍କା ମଂଜୁର ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା କିନ୍ତୁ ୩ବର୍ଷ ପୂରି ୪ବର୍ଷ ଆରମ୍ଭ ହେବା ପରେବି ଏହାର ନିର୍ମାଣ କାର୍ଯ୍ୟ ସରିବାର ନା ଧରୁନି । ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ପଂଚମ ଅର୍ଥ କମିଶନ ଯୋଜନାରେ ଉକ୍ତ ଭବନର ଫାଟକ ଓ ପାଚେରୀ ନିର୍ମାଣ ବାବଦରେ ୨ଲକ୍ଷ ୫୦ହଜାର ଟଙ୍କା ମଂଜୁର ହୋଇଥିବା ବେଳେ ଏହା ମଧ୍ୟ ନିର୍ମାଣ ହୋଇ ପାରିନାହିଁ । ନା ଅଛି ଫାଟକ ନା ନିର୍ମିତ ହୋଇଛି ପାଚେରୀ । ପୁଣି ୨୦୨୨-୨୩ ଆର୍ଥିକ ବର୍ଷରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଛିତ କର୍ମ ନିଯୁକ୍ତି ଯୋଜନାରେ ଭବନର ପାଶ୍ୱର୍ ଉନ୍ନତି କରଣ ବାବଦରେ ୫ଲକ୍ଷ ଟଙ୍କା ମଂଜୁର ହୋଇଥିଲା ।

ଏହିପରି ଭାବରେ ଗତ ୩ବର୍ଷ ମଧ୍ୟରେ ଭବନ ନିର୍ମାଣ ବାବଦରେ ୨୭ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ ଏହାର ନିର୍ମାଣ ଲକ୍ଷ୍ୟ ସ୍ଥଳରେ ପହଂଚି ନପାରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରିବା ସହ ଉକ୍ତ ଭବନ ନିର୍ମାଣ ସରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଠାରେ ପ୍ରକାଶ ଥାଉକି;ଗତ୨୦୧୫ ମସିହାରେ ଗ୍ରାମାଂଚଳର ବିକାଶ ସକାଶେ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ ସାଂସଦଙ୍କ ପୋଷ୍ୟଗ୍ରାମ ଗ୍ରହଣ ଯୋଜନା । ଦେଶର ସାଂସଦଙ୍କୁ ପର୍ଯ୍ୟାୟ କ୍ରମେ ନିଜ ଅଂଚଳରେ ଥିବା ଗୋଟିଏ ଗୋଟିଏ ପଂଚାୟତକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରି ଏହାର ସାମଗ୍ରୀକ ବିକାଶ ପ୍ରତି ଧ୍ୟାନ ଦେବାକୁ କୁହାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ ଆଧାରକରି ତତ୍କାଳୀନ ଭଦ୍ରକ ସାଂସଦ ସ୍ୱର୍ଗତ ଅର୍ଜ୍ଜୁନ ଚରଣ ସେଠୀ ବନ୍ତ ବ୍ଲକ ପୁରୁଷଣ୍ଢ ପଂଚାୟତକୁ ପ୍ରଥମ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିଥିଲେ । ଏବଂ ଉକ୍ତ ଗ୍ରାମର ବିକାଶ ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରି ନିଜ ହାତ ପାଣ୍ଠିରୁ ଅର୍ଥ ମଧ୍ୟ ମଂଜୁର କରିଥିଲେ । ସେ ଆଜି ଧରା ପୃଷ୍ଠରେ ନାହାନ୍ତି କି ତାଙ୍କ ସ୍ୱପ୍ନ ମଧ୍ୟ ସାକାର ହୋଇପାରି ନାହିଁ । ଯାହାକି ବଡ଼ ଦୁଃଖ ଓ ଅନୁତାପର ବିଷୟ । ଗତ ୨୦୧୭ ମସିହାରେ ପଂଚାୟତ ପୁର୍ନଗଠନ ପରେ ପୁରୁଷଣ୍ଢରୁ ଭାଗ ହୋଇ ବିଟିପୁର ଏକ ନୂତନ ପଂଚାୟତ ହୋଇଥିବା ସତ୍ୱେ ପୁରୁଷଣ୍ଢ ପଂଚାୟତରେ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ରାସ୍ତାଘାଟ, ପରିମଳ ଏବଂ ପାନୀୟଜଳ ସମସ୍ୟା ଆଜିବି ଉତ୍କଟ ଥିବାର ଅଭିଯୋଗ ହେଉଛି ।

ଦମଦମା ଓ ନୂଆପୋଖରୀ ପଡ଼ିଆକୁ ମିନି ଷ୍ଟାଡ଼ିୟମ, ଚିଲଡ୍ରେନ ପାର୍କ, ଡ୍ରେନେଜ ବ୍ୟବସ୍ଥା, ଉଠାଜଳସେଚନ ବ୍ୟବସ୍ଥା, ଫାଷ୍ଟଟ୍ରାକ କୋର୍ଟ ପ୍ରତିଷ୍ଠା ଆଦି ବିଭିନ୍ନ ପ୍ରସଙ୍ଗ ମଧ୍ୟରୁ ବସ୍‌ଷ୍ଟାଣ୍ଡ ନିର୍ମାଣ ସଂପୂର୍ଣ୍ଣ ହୋଇ ନଥିବା ବେଳେ ହଳଦୀପହଣୀ ସେତୁ ନିର୍ମାଣ ସରିଥିଲେ ସୁଦ୍ଧା ସରକାରୀ ସ୍ତରୀୟ ଘୋଷଣା କେବଳ ପ୍ରସଙ୍ଗରେ ରହିଯାଇଛି । ଆଦର୍ଶ ଗ୍ରାମ ଗଠନ କ୍ଷେତ୍ରରେ କୋଟି କୋଟି ଟଙ୍କା ମଂଜୁରି ସତ୍ତ୍ୱେ ପୋଷ୍ୟଗ୍ରାମର ବିକାଶ ସାଧିତ ହୋଇ ନପାରିବା ବିଭାଗୀୟ ଅଧିକାରୀଙ୍କ ଘଟଣା ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇ ଦେଇଥିବା ବେଳେ ପଂଚାୟତ ଭବନ ନିର୍ମାଣ ମଧ୍ୟ ଏହାର ଏକ ଅଂଶ ବିଶେଷ ହେବାକୁ ଯାଉଛି । ଗତ ୨ମାସ ତଳେ ଉକ୍ତ ସମସ୍ୟାକୁ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରଜ୍ଞା ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ସେ ଅଳ୍ପ ଦିନ ହେବ ଉକ୍ତ ପଂଚାୟତ ଦାଇତ୍ୱ ଗ୍ରହଣ କରିଥିବାରୁ ଖୁବ୍‌ଶ୍ରୀଘ୍ର ଉକ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ତଦାରଖ କରି ପ୍ରକଳ୍ପ ସାରିବାକୁ ଗୁରୁତ୍ୱ ଦେବେ ବୋଲି କହିଥିଲେ କିନ୍ତୁ ତାଙ୍କ ପ୍ରତିଶ୍ରୁତି ମଧ୍ୟ ପାରିର ଗାର ସଦୃଣ ପାଲଟିଛି । ଏଥିଲାଗି ପୋଷ୍ୟ ଗ୍ରାମବାସିନ୍ଦା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରିବା ସହ ଉକ୍ତ ପ୍ରକଳ୍ଳର ନିର୍ମାଣ କାର୍ଯ୍ୟ ଯଥା ଶିଘ୍ର ସାରିବା ପାଇଁ ଦାବି କରିଛନ୍ତି ।