Onn 3

ମହିଳା ଦିନିକିଆ: ଟ୍ରଫି ବାଣ୍ଟିଲେ ଭାରତ-ବାଂଲାଦେଶ

sports

‌ଢାକା: ସ୍ଥାନୀୟ ସେର୍‌-ଇ-ବାଂଲା‌ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଭାରତ-ବାଂଲାଦେଶ ମଧ୍ୟରେ ମହିଳା ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍‌ ଟାଇରେ ଶେଷ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ୨୨୫/୪ କରିଥିଲା। ଜବବରେ ଭାରତ ୪୯.୩ ଓଭରରେ ୨୨୫ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଫଳରେ ଏହି ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ୧-୧ ବରାବର ସ୍ଥିତିରେ ଶେ‌ଷ ହେବାରୁ ଉଭୟ ଦଳ ଟ୍ରଫି ବାଣ୍ଟିଛନ୍ତି। ପୂର୍ବରୁ ପ୍ରଥମ ମ୍ୟାଚ୍‌ ବାଂଲାଦେଶ ଜିତିଥିଲା ବେଳେ ଦ୍ବିତୀୟକୁ ଭାରତ ଜିତି ଶୃଙ୍ଖଳାକୁ ସମାନ ସ୍ଥିତିରେ ରଖିଥିଲା। ହର୍ଲିନ ଦେଓଲ ମ୍ୟାଚ୍‌ ଏବଂ ଫର୍ଗାନା ହକ୍‌ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ରବିବାର ଓପନର୍‌ ଫର୍ଗାନା ହକ୍‌ ନିଜର ପ୍ରଥମ ଶତକ ଅର୍ଜନ କରିବା ସହ ବାଂଲାଦେଶର ମଙ୍ଗ ସମ୍ଭାଳିଥିଲେ। ଫର୍ଗାନା ଓ ଶମିମା ସୁଲତାନ (୫୨ ରନ୍‌) ପ୍ରଥମ ୱିକେଟ୍‌ରେ ୯୨ ରନ୍‌ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଏହାପରେ ଫର୍ଗାନା ଅଧିନାୟିକା ନିଗାର ସୁଲତାନା (୨୪) ଓ ସୋଭନା ମୋସ୍ତାରି (୨୩*)ଙ୍କ ସହ ଦୁଇଟି ଅର୍ଦ୍ଧଶତକୀୟ ଭାଗୀଦାରି ଗଢ଼ି ଦଳକୁ ୨୨୫/୪ ରନ୍‌ରେ ପହଞ୍ଚାଇଥିଲେ। ହେଲେ ଶେଷ ବଲ୍‌ରେ ସେ ୧୦୭ (୧୬୦ ବଲ୍‌, ୭ ଚୌକା) ଶେଫାଳି ବର୍ମାଙ୍କ ଦ୍ବାରା ରନ୍‌ ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ। ସ୍ନେହା ରାଣା ୨ ଓ ଦେବୀକା ବୈଦ୍ୟ ଗୋଟିଏ ୱିକେଟ୍‌ ନେଇଥିଲେ।
ଜବାବରେ ଭାରତ ୩୨ ରନ୍‌ରେ ପ୍ରଥମ ଦୁଇ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ତୃତୀୟ ୱିକେଟ୍‌ରେ ସ୍ମୃତି ମନ୍ଧାନା ଓ ହର୍ଲିନ ଦେଓଲ ୧୦୭ ରନ୍‌ର ଭାଗୀଦାରି ଗଢ଼ି ଏଥିରୁ ଉଧାର କରିଥିଲେ। ମନ୍ଧାନା (୫୯, ୮୫ ବଲ୍‌) ନିଜର ଅର୍ଦ୍ଧଶତକ ପୂରଣ ପରେ ପରେ ଆଉଟ୍‌ ହୋଇଥିଲେ। ତେବେ ଅପରପ‌କ୍ଷେ ହର୍ଲିନ ଭାରତକୁ ଆଗକୁ ନେଇଥିଲେ। ୪୨ ଓଭରରେ ଦଳୀୟ ସ୍କୋର୍‌ ୧୯୨/୬ ଥିଲା ବେଳେ ହର୍ଲିନ (୭୭, ୧୦୮ ବଲ୍‌, ୮ ଚୌକା) ରନ୍‌ ଆଉଟ୍‌ ହୋଇଯାଇଥିଲେ।
ଏକଦା ଶେଷ ୫ ଓଭରରେ ଭାରତକୁ ୧୪ ରନ୍‌ ଆବଶ୍ୟକ ଥିଲା ବେଳେ ହାତରେ ୪ ୱିକେଟ୍‌ ଥିଲା। କିନ୍ତୁ ବାଂଲାଦେଶୀ ବୋଲର ୪.୩ ଓଭରରେ ୧୩ ରନ୍‌ରେ ଭାରତର ୪ଟି ଯାକ ୱିକେଟ୍‌ ଝାଡ଼ି ମ୍ୟାଚ୍‌ ଟାଇ କରିଦେଇଥିଲେ। ଜେମିମା ରଡ୍ରିଗୁଏଜ (୩୩*) ଅପରାଜିତ ରହିଥିଲେ। ମାରୁଫା ଅକ୍‌ତର ୨ ଓ ନାହିଦା ଅକ୍‌ତର ୩ ୱିକେଟ୍‌ ନେଇଥିଲେ। ତେବେ ଭାରତ ଏହି ମ୍ୟାଚ୍‌ର ଅମ୍ପାୟାରଙ୍କ ନିଷ୍ପତ୍ତି ନେଇ ଅସନ୍ତୁଷ୍ଟ ରହିଛି। ୩୮ ଓଭରରେ ଭାରତର‌ ସ୍କୋର୍‌ ୧୭୩/୪ ଥିଲା ବେ‌ଳେ ବର୍ଷା ହୋଇଥିଲା। ଦଳକୁ ଆଉ ୧୨ ଓଭରରେ ୫୩ ରନ୍‌ ଆବଶ୍ୟକ ଥିଲା। କିନ୍ତୁ ୪୫ ମିନିଟ୍‌ ବର୍ଷା ହେବା ସତ୍ତ୍ବେ କୌଣସି ଓଭର କଟାଯାଇନଥିଲା। ଏହି ନିଷ୍ପତ୍ତି ନେଇ ଭାରତ ଅସନ୍ତୋଷ ହୋଇଛି। ସେହିଭଳି ଅଧିନାୟିକା ହର୍ମନପ୍ରୀତ କୌରଙ୍କ ଆଉଟ୍‌କୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା। ମ୍ୟାଚ୍‌ର ନିର୍ଣ୍ଣାୟକ ମୋଡ଼ରେ ଅମ୍ପାୟାର ତାଙ୍କୁ ବିବାଦୀୟ ଭାବେ ଆଉଟ୍ ଘୋଷଣା କରିବା ପରେ ହର୍ମନପ୍ରୀତ ପ୍ରତିକ୍ରିୟାଶୀଳ ହୋଇ ଷ୍ଟମ୍ପକୁ ବ୍ୟାଟ୍‌ରେ ପିଟିବା ସହ ରାଗରେ ଅମ୍ପାୟାରକୁ ଇଙ୍ଗିତ କରିଥିଲେ।