Onn 3

ରକ୍ତହୀନତା ଦୂରୀକରଣ ନୁହେଁ, ଭୋଟ୍ ଲକ୍ଷ୍ୟରେ ରାଜ୍ୟ ସରକାର : ଡ.ଲେଖାଶ୍ରୀ

Politics State

ଭୁବନେଶ୍ୱର : ମା’ ଓ ଶିଶୁ ରକ୍ତହୀନତାର ଶିକାର ହେଲେ ସେ କେବେହେଲେ ସବଳ ହେବ ନାହିଁ କି ମାନସିକ ସ୍ତରରେ ମଧ୍ୟ ବୃଦ୍ଧି ଘଟିବ ନାହିଁ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଂପର୍କିତ ସଦ୍ୟ ପ୍ରକାଶିତ ‘ଆନେମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ (ଅମ୍ଲାନ)’ ରିପୋର୍ଟ ଅତ୍ୟନ୍ତ ଚିନ୍ତାଜନକ । ରାଜ୍ୟର ମହିଳା ଓ ଶିଶୁମାନଙ୍କର ରକ୍ତହୀନତାକୁ ନେଇ ପ୍ରକାଶ ପାଇଥିବା ଏହି ସାଂଘାତିକ ରିପୋର୍ଟ ମିଛୁଆ ରାଧୁଆ ରାଜ୍ୟ ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇଛି । ଭୋଟ୍ ବ୍ୟାଂକ ପଲିଟିକ୍ସରେ ବ୍ୟସ୍ତ ରାଜ୍ୟ ସରକାର ମହିଳା ଓ ଶିଶୁମାନଙ୍କ ପୃଷ୍ଟି ସାଧନ କ୍ଷେତ୍ରରେ ସଂପୂର୍ଣ୍ଣ ବିଫଳ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ଓଡିଶାରେ ମା’ମାନଙ୍କ ପାଇଁ ନବୀନ ସରକାରଙ୍କ ହୃଦୟ କାନ୍ଦୁଛି ବୋଲି ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକମାନେ ବଡ ପାଟିରେ ଚିତ୍କାର କରି ପ୍ରଚାର କରିବା କେବଳ ମାତ୍ର ଶାସନ କ୍ଷମତାରେ ରହିବା ପାଇଁ ଷଡଯନ୍ତ୍ର । ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବାରେ ସମ୍ପୂର୍ଣ୍ଣ ବିଫଳ ଯାହା ରାଜ୍ୟ ସରକାରଙ୍କ ରିପୋର୍ଟରେ ସ୍ପଷ୍ଟ ପରିଲକ୍ଷିତ ହୋଇଛି । ରାଜ୍ୟର ୬ ରୁ ୫୯ ମାସର ଶିଶୁଙ୍କ ଭିତରେ ୪୨.୩ ପ୍ରତିଶତ ରକ୍ତହୀନତା ଦେଖାଦେଇଛି । ସେହିଭଳି ୫ରୁ ୯ବର୍ଷ ପିଲାଙ୍କ ଭିତରେ ୪୮.୮ପ୍ରତିଶତ ଏବଂ ୧୦ ରୁ ୧୯ବର୍ଷ ଝିଅ ୫୯.୪ପ୍ରତିଶତ, ଗର୍ଭବତୀ ମା’ମାନଙ୍କ ୬୨.୭ପ୍ରତିଶତ, ସ୍ତନ୍ୟପାନ କରାଉଥିବା ମା’ ୬୮.୬ ପ୍ରତିଶତ ରକ୍ତହୀନତାରେ ଶିକାର ହେଉଥିବାର ଏହି ରିପୋର୍ଟରେ ପ୍ରକାଶ ପାଇଛି । କେବଳ ପ୍ରଚାର, ପ୍ରସାର, ବିଜ୍ଞାପନ ଜରିଆରେ ରକ୍ତହୀନତା ଦୂର ହେବ ନାହିଁ । କେବଳ ଭିଟାମିନ୍‌ଯୁକ୍ତ ଚାଉଳ ଦେଲେ ରକ୍ତହୀନତା ଦୂର ହୁଏ ନାହିଁ । ଏଥି ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ)ରେ ମଧ୍ୟ ରାଜ୍ୟରେ ବଢ଼ୁଥିବା ଅପପୃଷ୍ଟି, ରକ୍ତହୀନତା, ମାତୃ ମୃତ୍ୟୁହାର, ନବଜାତ ଶିଶୁ ମୃତ୍ୟୁହାର, ବୟସ ତୁଳନାରେ ପିଲାଙ୍କର କମ୍ ଉଚ୍ଚତା ଓ ଓଜନ କମ୍ ହେବା ଇତ୍ୟାଦି ଦର୍ଶାଯାଇଛି ଏବଂ ଚିନ୍ତାଜନକ ବୋଲି ଟିପ୍ପଣୀ ହୋଇଛି । ରାଜ୍ୟ ସରକାର ‘ଲାଷ୍ଟ ମିଲ୍ ଡେଲିଭରି’ ବା ମହିଳା ଓ ଶିଶୁମାନଙ୍କ ପାଖରେ ପୃଷ୍ଟିକର ଖାଦ୍ୟ, ଶସ୍ୟ, ଭିଟାମିନ୍‌, ମିନେରାଲ୍ସ ଓ ସପ୍ଲିମେଂଟ ପଂହଚାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

ରାଜ୍ୟ ସରକାର “ଅମ୍ଳାନ ଯୋଜନା” ଯେବେ ଆରମ୍ଭ କଲେ ସେତେବେଳେ କହିଥିଲେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ମିଶନଶକ୍ତି, ଏସଏସଟି ଡେଭଲପମେଂଟ ବିଭାଗ ସହିତ ୫-ଟି ବିଭାଗକୁ ମିଶାଇ ଅମ୍ଳାନ ଯୋଜନା କାର୍ଯ୍ୟକାରୀ ହେବ । କିନ୍ତୁ ଦୁଃଖ ପରିତାପର ବିଷୟ ରାଜ୍ୟ ସରକାର ମହିଳାଙ୍କ ପୃଷ୍ଟି ସାଧନ ଦିଗରେ କମ୍ ଧ୍ୟାନ ଦେଇ କ୍ଷମତା ଜାବୁଡି ଧରିବା ନିଶାରେ ବୁଡି ରହିଛନ୍ତି । ଶାସକ ଦଳ ଏବେ ସବୁ ବିଭାଗକୁ ବିକାଶ ଓ ଶାସନ କାମରୁ ଛଡାଇ କେବଳ ରାଜନୈତିକ କାମରେ ଲଗାଇଛନ୍ତି । ମିଶନ ଶକ୍ତି ଓ ମହିଳା, ଶିଶୁ ବିକାଶ, ସ୍କୁଲ ଓ ଗଣଶିକ୍ଷା ଭଳି ବିଭାଗକୁ ଭୋଟ ଗୋଟାଇବା କାମରେ ଲଗାଇଛନ୍ତି । ସରକାରଙ୍କର ସୁଶାସନ ପ୍ରତି ଧ୍ୟାନ ନାହିଁ । ଏଭଳି ସ୍ଥିତିରେ ରକ୍ତହୀନତା ବା ଅପପୃଷ୍ଟି ଦୂର ହେବନାହିଁ ବୋଲି ଡ. ଲେଖାଶ୍ରୀ କହିଛନ୍ତି ।

ମୋଦି ସରକାର ପୋଷଣ ଯୋଜନାରେ କିଭଳି ଲୋକେ ଉପକୃତ ହେବେ ବ୍ୟବସ୍ଥା କଲାବେଳେ ନବୀନ ସରକାର ଓଡ଼ିଶାବାସୀ କିଭଳି ସେଥିରୁ ବଂଚିତ ହେବେ ସେ ବ୍ୟବସ୍ଥା କରୁଛନ୍ତି । ରାଜ୍ୟ ସରକାର ମହିଳାଙ୍କୁ ନେଇ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି । ରାଜ୍ୟରେ ୮ଟି ଜିଲ୍ଲା ଛାଡି ଆଉ ସମସ୍ତ ଜିଲ୍ଲାରେ ଶିଶୁମାନଙ୍କର ପ୍ରାୟତଃ ବୟସ ତୁଳନାରେ ଉଚ୍ଚତା କମ୍ ରହୁଛି । ରାଜ୍ୟ ସରକାର ଯଥାଶୀଘ୍ର ମହିଳାଙ୍କ ରକ୍ତହୀନତାରେ କିଭଳି ସୁଧାର ଆସିବ ସେ ନେଇ ବ୍ୟବସ୍ଥା କରିବାକୁ ଡ.ଲେଖାଶ୍ରୀ କହିଛନ୍ତି ।