ନୂଆଦିଲ୍ଲୀ : ୨୦୧୪ ନିର୍ବାଚନ ପରଠାରୁ ବଦଳିଯାଇଛି ଦେଶର ରାଜନୈତିକ ସମୀକରଣ। ଦୀର୍ଘ ୬୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଶାସନରେ ଥିବା କଂଗ୍ରେସକୁ କ୍ଷମତାଚ୍ୟୁତ କରିବାରେ ସଫଳ ହୋଇଥିଲା ଭାରତୀୟ ଜନତା ପାର୍ଟି। ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ଭଲ ପ୍ରଦର୍ଶନ କରି ଦ୍ୱିତୀୟ ଥର ପାଇଁ ଗାଦିରେ ବସିଥିଲା ବିଜେପି। ପ୍ରାୟ ୩୮ ପ୍ରତିଶତ ଭୋଟ୍ ପାଇ ଏକକ ଭାବରେ ୩୦୩ଟି ଆସନ ଜିତିଥିଲା।
ଆସନ୍ତା ସାଧାରଣ ନିର୍ବାଚନରେ ୩୫୦ ପ୍ଲସ୍ ସିଟ୍ ଜିତିବାର ଲକ୍ଷ୍ୟ ରଖିଛି ଦଳ। ଏଥିପାଇଁ ଦଳ ଏକାସାଙ୍ଗରେ ଅନେକ ଫ୍ରଣ୍ଟରେ କାମ କରୁଛି। ବିଶେଷକରି ପୂର୍ବ ନିର୍ବାଚନରେ ବିଜୟ ଲାଭ କରିପାରିନଥିବା କ୍ଷେତ୍ର ଉପରେ ଅଧିକ ଧ୍ୟାନ ଦେଉଛି, ଯେଉଁଠାରେ ଦଳ କଦାପି ବିଜୟ ଲାଭ କରିପାରି ନାହିଁ। ଏଥିରେ ସୋନିଆ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ସହ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ୍ ଯାଦବ, ଶରଦ ପାୱାର ଏବଂ ଅନ୍ୟାନ୍ୟ ଭେଟେରାନ ନେତାଙ୍କ କ୍ଷେତ୍ର ରହିଛି। ସେହିଭଳି ଦଳ ୨୦୧୯ରେ ଭଲ ପ୍ରଦର୍ଶନ କରିପାରି ନଥିବା ଦକ୍ଷିଣ ଭାରତର ରାଜ୍ୟଗୁଡିକ ଉପରେ ରଖିଛି ବିଶେଷ ନଜର।
୩୫୦ ପ୍ଲସ୍ ସିଟ୍ ଲକ୍ଷ୍ୟ ହାସଲ ପାଇଁ ବିଜେପିର ରଣନୀତି:-
ଗତ ବର୍ଷ ବିଜେପି ସେହି ଲୋକସଭା ଆସନର ଏକ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ କରିଥିଲା, ଯେଉଁଥିରେ ୨୦୧୯ ନିର୍ବାଚନରେ ପରାସ୍ତ ହୋଇଥିଲା। ଏହି ତାଲିକାରେ ବିଶେଷ ଭାବରେ ସେହି ଲୋକସଭା ଆସନ ଅନ୍ତର୍ଭୁକ୍ତ, ଯେଉଁଥିରେ ବିଜେପି ଦ୍ୱିତୀୟରେ ରହିଥିଲା ବା ଖୁବ୍ କମ୍ ବ୍ୟବଧାନରେ ଥିଲା।
ପୂର୍ବରୁ ୧୪୪ ନିର୍ବାଚନମଣ୍ଡଳୀ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା, ଯାହା ପରେ ୧୬୦କୁ ବୃଦ୍ଧି ପାଇଛି।
ଏହି ଆସନଗୁଡ଼ିକୁ ୨-୪ଟି ଆସନରେ ବିଭକ୍ତ କରାଯାଇ ଏଠାରେ କିପରି ଦଳକୁ ମଜବୁତ କରାଯାଇ ପାରିବ ସେଥିପାଇଁ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ଦଳର ବରିଷ୍ଠ ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଏହା ବ୍ୟତୀତ ରାଜ୍ୟସ୍ତରରେ ସଂଯୋଜକ ଏବଂ ସହ-ସଂଯୋଜକ ନିଯୁକ୍ତ ହୋଇଛନ୍ତି।
ଏଥିପାଇଁ ଦଳ ‘ଲୋକସଭା ପ୍ରଭାସ ଯୋଜନା’ ଆଣିଥିଲା, ଯେଉଁଥିରେ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ବରିଷ୍ଠ ନେତାମାନେ ଏହି ନିର୍ବାଚନମଣ୍ଡଳୀରେ ସେଠାରେ ଦଳର ଆଧାରକୁ ମଜବୁତ କରିବା ପାଇଁ ନିୟୋଜିତ ହୋଇଥିଲେ।
ଏହି କାର୍ଯ୍ୟକ୍ରମକୁ ତିନିଜଣ ସାଧାରଣ ସଚିବ- ସୁନୀଲ ବଂସଲ, ବିନୋଦ ତାୱଡେ ଏବଂ ତରୁଣ ଚୁଘଙ୍କୁ ଦାୟିତ୍ୱ ଦିଆଯାଇଛି।
ଚଳିତ ସପ୍ତାହରେ, ବିଜେପି ସଭାପତି ଜେ.ପି. ନଡ୍ଡା ଏପର୍ଯ୍ୟନ୍ତ କରାଯାଇଥିବା କାର୍ଯ୍ୟ ଏବଂ ମନ୍ତ୍ରୀ ଓ ନେତାଙ୍କ ପ୍ରତିନିଧିତ୍ୱ ସମୀକ୍ଷା କରିଛନ୍ତି। ଏ ବାବଦରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।
ଦଳ ଯେ କେବଳ ଏହି ୧୬୦ “ଦୁର୍ବଳ ଆସନ” ଉପରେ ବିଶେଷ ପ୍ରସ୍ତୁତି ରଖିଛି ତାହା ନୁହେଁ, ଅନ୍ୟ ଲୋକସଭା ଆସନ ଉପରେ ମଧ୍ୟ ନଜର ରଖିଛି। ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଦଳ ଦେଶର ସମସ୍ତ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି।
ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ବିଜେପି ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ତିନୋଟି ବିଭାଗ ପୂର୍ବ, ଉତ୍ତର ଏବଂ ଦକ୍ଷିଣ ଅଞ୍ଚଳରେ ବିଭକ୍ତ କରି ସୂକ୍ଷ୍ମ(ମାଇକ୍ରୋ) ସ୍ତରରେ ଏହାର ରଣନୀତି ପରିଚାଳନା ତଥା କାର୍ଯ୍ୟକାରିତାକୁ ସରଳ କରିଛି।
ଦଳ ପୂର୍ବ ଅଞ୍ଚଳରେ ୧୨ଟି ରାଜ୍ୟ ଅନ୍ତର୍ଭୁକ୍ତ କରିଛି। ସେଥିରେ ବିହାର, ଝାଡଖଣ୍ଡ, ଓଡ଼ିଶା, ପଶ୍ଚିମ ବଙ୍ଗ, ଆସାମ, ସିକ୍କିମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ମେଘାଳୟ ଏବଂ ତ୍ରିପୁରା ରହିଛି। ସେହିପରି ଉତ୍ତର ଅଞ୍ଚଳରେ ୧୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ- ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ, ଗୁଜରାଟ, ହିମାଚଳ ପ୍ରଦେଶ, ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ, ହରିୟାଣା, ଦିଲ୍ଲୀ, ଜାମ୍ମୁ କାଶ୍ମୀର, ଲଦାଖ, ଚଣ୍ଡିଗଡ଼ ଏବଂ ଦାମନ ଡ୍ୟୁ-ଦାଦ୍ରା ନାଗର ହାବେଳି ରହିଛି।
ମିଶନ୍ ସାଉଥ୍ ଉପରେ ଏକ ବିଶେଷ ଧ୍ୟାନ ଦେଇ ବିଜେପି ଦକ୍ଷିଣ ଅଞ୍ଚଳରେ ୧୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିଛି। ଏଥିରେ କେରଳ, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ଗୋଆ, ଆଣ୍ଡାମାନ ଏବଂ ନିକୋବର, ଲାକ୍ଷାଦ୍ୱୀପ ଏବଂ ପୁଡୁଚେରୀ ଅନ୍ତର୍ଭୁକ୍ତ। ଚଳିତ ମାସ ଦଳ ଗୌହାଟୀରେ ପୂର୍ବ ଅଞ୍ଚଳ ଅଧୀନରେ ଥିବା ରାଜ୍ୟଗୁଡିକର ନେତାଙ୍କୁ ନେଇ ବୈଠକ କରିବାର ଯୋଜନା କରୁଛି।
ପୂର୍ବରୁ ଉତ୍ତର ଅଞ୍ଚଳରେ ଅନ୍ତର୍ଭୁକ୍ତ ରାଜ୍ୟଗୁଡ଼ିକର ବୈଠକ ଦିଲ୍ଲୀରେ ଏବଂ ଦକ୍ଷିଣ ଅଞ୍ଚଳରେ ଅନ୍ତର୍ଭୁକ୍ତ ରାଜ୍ୟଗୁଡ଼ିକର ବୈଠକ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଯାଇଛି।
ଦକ୍ଷିଣ ଭାରତର ପାଞ୍ଚଟି ରାଜ୍ୟ – କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ତେଲେଙ୍ଗାନା ପାଇଁ ବିଶେଷ ରଣନୀତି କରିଛି ଦଳ। କାରଣ ଏହି ପାଞ୍ଚଟି ରାଜ୍ୟରେ ସମୁଦାୟ ୧୨୯ଟି ଲୋକସଭା ଆସନ ରହିଛି ଏବଂ ଏଥିରୁ କେବଳ ୨୯ଟି ସିଟ୍ ହାସଲ କରିଛି। କର୍ଣ୍ଣାଟକରେ ୨୫ଟି ଏବଂ ତେଲେଙ୍ଗାନାରେ ମାତ୍ର ଚାରିଟି ଆସନ ଅକ୍ତିଆର କରିପାରିଛି।
କର୍ଣ୍ଣାଟକ ଆସନ ହାତରୁ ଚାଲିଯିବା ପରେ ଏଠାରେ ସ୍ଥାନ ସଂରକ୍ଷଣ କରିବା ସହିତ ତେଲେଙ୍ଗାନାରେ ଆସନ ବୃଦ୍ଧି, ଆନ୍ଧ୍ରପ୍ରଦେଶ, କେରଳ ଏବଂ ତାମିଲନାଡୁରେ ଖାତା ଖୋଲିବାକୁ ଦଳ ବିଶେଷ ଧ୍ୟାନ ଦେଉଛି। ତେବେ ଦଳ ଆଗକୁ କି କି ଆଭିମୁଖ୍ୟ ଗ୍ରହଣ କରିବ ତା ଉପରେ ସମସ୍ତଙ୍କ ନଜର।