Onn 3

ଅଡିଓ ବାର୍ତ୍ତା ପରେ ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଭିଡିଓ କଲ୍ କଲେ ପାଣ୍ଡିଆନ

State

ଅନୁଗୁଳ:ଷ୍ଟେଜ ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା ଶୁଣାଇଥିଲେ । ଆଜି ସିଧା ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କଲିଂରେ କଥାବାର୍ତ୍ତା ହେଲେ । ଜୁନ ୨୬ରେ ବରଗଡରେ ଅଡିଓ ବାର୍ତ୍ତା ଆଉ ଜୁଲାଇ ୧୦ ତାରିଖରେ ଅନୁଗୁଳରେ ସିଧାସଳଖ ଭିଡିଓ ବାର୍ତ୍ତା ଦେଖାଇ ବିରୋଧୀଙ୍କୁ ଜବାବ ଦେଲେ ଫାଇଭ ଟି ସଚିବ ଭି.କେ.ପାଣ୍ଡିଆନ । ଆଜି ଷ୍ଟେଜ ଉପରୁ ମୁଖ୍ୟମନ୍ତ୍ରୀଙ୍କୁ ଭିଡିଓ କଲ କଲେ ଫାଇଭ ଟି ସଚିବ  । ଭିଡିଓ କଲ କରି ମୁଖ୍ୟମନ୍ତ୍ରୀଙ୍କୁ ଲୋକଙ୍କ ସମସ୍ୟା ଜଣେଇଲେ ।  ଏମିତି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ଅନୁଗୋଳ ଜିଲ୍ଲାରେ  । କାହିଁକି ମଞ୍ଚ ଉପରୁ ମୁଖ୍ୟମନ୍ତ୍ରୀଙ୍କୁ ଭିଡିଓ କଲ କଲେ ସଚିବ ?   ମୁଖ୍ୟମନ୍ତ୍ରୀଙ୍କ ପାଖରେ ସିଧାସଳଖ ସମସ୍ୟା ପହଞ୍ଚାଇ ଲୋକଙ୍କୁ ଖୁସି କରାଇବାକୁ ଚାହୁଁଥିଲେ ?  ନା ବିପୁଳ ଜନ ସମର୍ଥନ ଦେଖାଇ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ସାହିତ  କରିବାକୁ ଚାହୁଁଥିଲେ ? ନା ପ୍ରକୃତରେ ବିରୋଧୀଙ୍କୁ ଜବାବ ଦେବାକୁ ଏପରି କରିଥିଲେ ୫ଟି ସଚିବ ?

ଆଜି ଅନୁଗୁଳ ଗସ୍ତରେ ଯାଇଛନ୍ତି ଫାଇଭ ଟି ସଚିବ ଭି.କେ.ପାଣ୍ଡିଆନ ।  ଅନଗୁଳରେ ଫାଇଭ ଟି ସଚିବ ପାଣ୍ଡିଆନଙ୍କୁ ବିପୁଳ ସମ୍ବର୍ଦ୍ଧନା ମିଳିଥିଲା। ହୁଳହୁଳି, ଜିନ୍ଦାବାଦ ସ୍ୱରରେ ଉଛୁଳି ପଡୁଥିବା ପରିବେଶ  । ଯୁଆଡେ ଯାଉଥିଲେ ସିଆଡେ ଫୁଲ ବର୍ଷା ହେଉଥିଲା । ମା’ ହିଙ୍ଗୁଳା ମନ୍ଦିରକୁ ବି ଯାଇଥିଲେ । ସେଠାରେ ପୂଜାର୍ଚ୍ଚନା କରିଥିଲେ ।

ଏଥିସହିତ  ଛେଣ୍ଡିପଦା ଗସ୍ତ ମଧ୍ୟ କରିଥିଲେ  ପାଣ୍ଡିଆାନ ସାର ।  ସେଠାରେ ଏକ ଜନସଭାକୁ ସମ୍ବୋଧନ କରିଥିଲେ । ଏହି ସମୟରେ ସଚିବ ମଞ୍ଚ ଉପରୁ ମୁଖ୍ୟମନ୍ତ୍ରୀଙ୍କୁ ଭିଡିଓ କଲ କରିଥିଲେ ।   ଆଉ ଏ ଦୃଶ୍ୟକୁ ଉପସ୍ଥିତ ଜନତା ତାଳି ମାରି ସ୍ୱାଗତ କରିଥିବା ଦେଖିବାକୁ ମିଳିଥିଲା ।ଲୋକଙ୍କ ସମସ୍ୟା ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଜଣାଇବା ପାଇଁ ମଞ୍ଚ ଉପରେ ଭିଡିଓ କଲ୍ ଜରିଆରେ  ଯୋଗାଯୋଗ କରିଥିଲେ ଫାଇବ୍-ଟି ସଚିବ।

ମୁଖ୍ୟମନ୍ତ୍ରୀ କଲ ରିସିଭ କରିବା ପରେ ତାଙ୍କୁ  ଜଣାଇଲେ ଲୋକଙ୍କ ସମସ୍ୟା । ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆମ ହସ୍ପିଟାଲରେ ସାମିଲ କରିବା ଲୋକଙ୍କ ଦାବି ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ସଚିବ ଭି.କେ ପାଣ୍ଡିଆନ୍ । ଆଉ ଖୁବଶୀଘ୍ର ଲୋକଙ୍କ ସମସ୍ୟା ସମାଧାନ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ସେହି ଭିଡିଓ କଲରେ ବି ନିର୍ଦ୍ଦେଶ ଦେଇଥିଲେ । ତେବେ ନେଟୱର୍କ ସମସ୍ୟା ହେବାରୁ ଭିଡିଓ କଲ ଅଧାରୁ କଟିଯାଇଥିଲା ।

ଫାଇଭ ଟି ସଚିବଙ୍କ କାର୍ଯ୍ୟକ୍ରମକୁ ନେଇ ବିରୋଧୀ କଡା ସମାଲୋଚନା କରୁଛନ୍ତି । ଏହାକୁ ନେଇ ରାଜନୀତି ପଡୁଛି ଉଠୁଛି । ଆଉ ଏପଟେ ସଚିବଙ୍କ ଅଡିଓ ରେକର୍ଡିଂ, ଭଡିଓ କଲିଂ ଏପରି ଚର୍ଚ୍ଚାକୁ   ଜୋରଦାର କରିବା ସହ ବିରୋଧୀଙ୍କୁ ମଧ୍ୟ ତେରଛା ବାଣ ମାରିଛନ୍ତି ସଚିବ ।