Onn 3

ବାଇକ୍‌ ଆରୋହୀ ସ୍ବାମୀ-ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ୍‌

Crime State

ଅନୁଗୋଳ: ୫୫ ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍‌ଣରେ ପୁଣି ଏକ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍‌ ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଯାଇଛି। ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କର ଜୀବନ ଚାଲି ଯାଇଛି। ମୃତକମାନେ ହେଲେ ଗୁରଙ୍ଗ ଦେହୁରୀସାହିର ଅକ୍ଷୟ ବେହେରା ଓ ତାଙ୍କ ସ୍ତ୍ରୀ ମମତା ବେହେରା।

ସୂଚନା ଅନୁସାରେ ଉଭୟ ବାଇକ ଆରୋହୀ ସ୍ବାମୀ ଅକ୍ଷୟ ବେହେରା ଓ ସ୍ତ୍ରୀ ମମତା ବେହେରା ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୩ଟାରେ ବଡ଼କେରା ପଟରୁ ଅନୁଗୁଳ ଆଡ଼କୁ ଯାଉଥିଲେ। କରଡ଼ଗାଡ଼ିଆ ଠାରେ ସେମାନେ ଆଗରେ ଯାଉଥିବା ଏକ ଟ୍ରକ୍‌ ପଛରେ ଥିଲେ। ସେମାନଙ୍କର ପଛପଟରୁ ଅନ୍ୟ ଏକ ଟ୍ରକ୍‌ ଆସୁଥିଲା। ପଛରୁ ଆସୁଥିବା ଟ୍ରକ୍‌ର ଗତି ଅଧିକ ଥିବାରୁ ସେମାନଙ୍କର ଉପରେ ଚଢ଼ିଯାଇଥିଲା। ଫଳରେ ସେମାନେ ଦୁଇଟି ଟ୍ରକ୍‌ ମଧ୍ୟରେ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ଉଭୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଅନୁଗୁଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

ସୂଚନାଯୋଗ୍ୟ, ଅକ୍ଷୟ ବେହେରା ସ୍ଥାନୀୟ ଅଞ୍ଚଳର ଏକ କାରଖାନାରେ କାମ କରୁଥିଲେ। ଆଜି ଛୁଟି ଥିବାରୁ ତାଙ୍କ ପୁଅକୁ ଅନୁଗୁଳ ହଷ୍ଟେଲରେ ଦେଖା କରିଥାନ୍ତେ। ଏହା ପରେ ସେଠାରୁ ସେ ଶ୍ବଶୁରଙ୍କ ଦେହ ଖରାପ ଥିବାରୁ ଦେଖିବାକୁ ଯିବା ପାଇଁ ଘରୁ ବାହାରି ଥିଲେ।