Onn 3

ମନ୍ତ୍ରୀ ପଦ ପାଇଁ ବ୍ଲାକମେଲିଂ କରୁଛନ୍ତି ସୌମ୍ୟରଞ୍ଜନ: ଅନୁଭବ ପଟ୍ଟନାୟକ

National & International

ଭୁବନେଶ୍ୱର: ଫାଇଭ ଟି ସଚିବ ପ୍ରସଙ୍ଗରେ ନିଜର ମତାମତ ଆଲେଖ୍ୟ ଜରିଆରେ ଲେଖିଛନ୍ତି, ‘ସମ୍ବାଦ’ ଖବରକାଗଜରେ ସମ୍ପାଦକ ତଥା ଖଣ୍ଡପଡାର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏହି ପ୍ରସଙ୍ଗରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପୂର୍ବରୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।

ଏବେ ପ୍ରତିକ୍ରିୟା ରଖିଛନ୍ତି ଖଣ୍ଡପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ। ସୌମ୍ୟରଞ୍ଜନଙ୍କ ନା ନେଇ ଏକ ଟ୍ବିଟ୍ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି, ବିଧାୟକ ଏବେ ବ୍ଲାକମେଲିଂ କରିବାକୁ ଚେଷ୍ଟା କରୁଛନ୍ତି। ଏବେ ମନ୍ତ୍ରିମଣ୍ଡଳରେ ଖାଲି ଅଛି। ତେଣୁ ବ୍ଲାକମେଲିଂ କରିବାକୁ ଚେଷ୍ଟା କରି ନିଜର ମନ୍ତ୍ରୀ ହେବାର ଅଭିଳାଶକୁ ପୂରଣ କରିବାକୁ ଚେଷ୍ଟା କରୁଛନ୍ତି।

ଏଭଳି ବ୍ୟକ୍ତି କେବେ ବି କୃତଜ୍ଞ ହୋଇପାରିବେ ନାହିଁ କିମ୍ବା ବିଶ୍ବାସଯୋଗ୍ଯ ହୋଇପାରିବେ ନାହିଁ। ସେ ପ୍ରଥମେ କଂଗ୍ରେସ ଛାଡି ବିଜେପି ଗଲେ ପରେ ଏନସିପି ଏହାପରେ ପୁଣି କଂଗ୍ରେସକୁ ଫେରିଲେ ଆଉ ପରେ ନିଜର ଦଳ ଗଢିଲେ ଏବେ ବିଜେଡିରୁ ବିଧାୟକ ହୋଇଛନ୍ତି। ଆଉ ଏବେ ସେ ବିଜେପି ମୁହାଁ ବୋଲି ନା ନେଇ ଅନୁଭବ ପଟ୍ଟନାୟକ ଏହା କହିଛନ୍ତି।

ସୌମ୍ୟରଞ୍ଜନ ଆଲେଖ୍ୟରେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ଯଦି ଫାଇଭ ଟି ସଚିବଙ୍କୁ ଦାୟିତ୍ୱ ଦେଇ କ୍ଷମତା ଦେଲେ ତାହେଲେ ଏହାକୁ ସହ୍ୟ କରିପାରୁ ନାହାନ୍ତି କି ଆଇଏଏସ ଚାକିରି ଛାଡି ସାଂସଦ ହୋଇଥିବା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେହିପରି ଆଇଏଏସଙ୍କ ନିୟନ୍ତ୍ରଣ କେନ୍ଦ୍ର ସରକାର ପାଖରେ ରହିଛି। ନିଜେ ଏକଥା ଜାଣି ମଧ୍ୟ ଠିକ ଜାଗାରେ ଅଭିଯୋଗ ନକରି ଏଠି ହଟଚମଟ କରିବାର ଉଦ୍ଦେଶ୍ୟ କଣ ବୋଲି ପ୍ରଶ୍ନ କରିଛନ୍ତି।

ଅନ୍ୟପଟେ ସେ ଆହୁରି କହିଛନ୍ତି, ‘୫-ଟି ସଚିବଙ୍କ କ୍ଷମତା ଉପଭୋଗ ସମ୍ପର୍କରେ ସାଧାରଣରେ ଯାହା ଆଲୋଚନା ହେଉଛି, ତାହା ମୁଖ୍ୟମନ୍ତ୍ରୀ ଜାଣୁଛନ୍ତି ତ? ଯଦି ଜାଣୁଛନ୍ତି, ‘ମୌନଂ ସମ୍ମତି ଲକ୍ଷଣମ୍‌’ ନ୍ୟାୟରେ ଏହା ମୁଖ୍ୟମନ୍ତ୍ରୀଙ୍କର ଇଚ୍ଛା ବୋଲି ଧରିନେବାକୁ ହେବ କି?

ସେହିପରି ଜାତୀୟ ଗଣମାଧ୍ଯମରେ ଆଦାନୀ କମ୍ପାନୀଙ୍କ ସହ ମୋଦୀ ସରକାରଙ୍କ ସମ୍ପର୍କ କ’ଣ, କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ନେଇ ପ୍ରଧାନମନ୍ତ୍ରୀ କାହିଁକି ନିରବ ବୋଲି ପ୍ରଶ୍ନ କରିଛନ୍ତି ଖଣ୍ଡପଡା ବିଧାୟକ। ଏପରି ସ୍ଥିତିରେ ମୋଦୀ ଯେଉଁଭଳି ନିରବ ରହୁଛନ୍ତି ନବୀନ ମଧ୍ୟ ଅନେକ ପ୍ରସଙ୍ଗରେ ନିରବ ରହୁଛନ୍ତି। ଉଭୟ ନିରବ ରହି ପ୍ରସଙ୍ଗକୁ ସମର୍ଥନ କରିବା ପରିବର୍ତ୍ତେ ଉତ୍ତର ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।