Onn 3

ମୁଣ୍ଡ ନୁଆଁଇଲେ ପାକିସ୍ତାନ ସରକାର, ବିଶ୍ବବିଦ୍ୟାଳୟରେ ନିଷିଦ୍ଧ ହେବନି ହୋଲି ପାଳନ

National & International

ଇସ୍ଲାମାବାଦ : ପାକିସ୍ତାନର ଉଚ୍ଚଶିକ୍ଷା ଆୟୋଗ (ଏଚଇସି) ଦୁଇଦିନ ତଳେ ବିଶ୍ୱବିଦ୍ୟାଳୟରେ ହୋଲି ପର୍ବ ପାଳନ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହାକୁ ନେଇ ଛାତ୍ରଛାତ୍ରୀମାନଙ୍କଠାରୁ ଆରମ୍ଭ କରି ଲୋକମାନେ ପ୍ରବଳ ବିରୋଧ କରିବାରୁ ମୁଣ୍ଡ ନୁଆଁଇଛନ୍ତି ପାକ ସରକାର । ଫଳରେ ଏହି କଟକଣାକୁ ପ୍ରତ୍ୟାହାର କରାଯାଇଛି ।
ଗତ ଜୁନ୍ ୧୨ ରେ ପାକିସ୍ତାନର କାଏଦ-ଏ-ଆଜମ ବିଶ୍ୱବିଦ୍ୟାଳୟରେ ହୋଲି ପର୍ବ ପାଳିତ ହୋଇଥିଲା । ଏହି ସମୟରେ ହୋଲିର ରଙ୍ଗରେ ଛାତ୍ରଛାତ୍ରୀମାନେ ମସ୍ତି କରୁଥିବାର ଭିଡିଓ ପାକିସ୍ତାନରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏହାକୁ ଇସଲାମ ପ୍ରତି ବିପଦ ଭାବି ପାକିସ୍ତାନ ସରକାର ବିଶ୍ୱବିଦ୍ୟାଳୟରେ ଏଭଳି କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇଥିଲେ। କିନ୍ତୁ ତୀବ୍ର ସମାଲୋଚନା ପରେ ପାକିସ୍ତାନ ସରକାର ଏବେ ହୋଲି ପର୍ବ ପାଳନ ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି।
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଜଣେ ପରାମର୍ଶଦାତା ସଲମାନ ସୁଫି କହିଛନ୍ତି ଯେ ଏହି ବିବାଦୀୟ ଆଦେଶକୁ ହଟାଇବାକୁ ଏଚଇସିକୁ ପାକିସ୍ତାନର ଶିକ୍ଷାମନ୍ତ୍ରୀ ରାଣା ତନବୀର ହୁସେନ ପରାମର୍ଶ ଦେଇଛନ୍ତି ।
ଏକ ଟୁଇଟ୍ କରି ସୁଫି ଲେଖିଛନ୍ତି ଯେ ଧାର୍ମିକ ଓ ସାଂପ୍ରଦାୟିକ ସଦ୍ଭାବ ସ୍ଥାପନ କରୁଥିବା ଉତ୍ସବଗୁଡ଼ିକ ଉପରେ କଟକଣା ନୁହେଁ, ସେଗୁଡ଼ିକୁ ପାଳନ କରାଯିବା ଦରକାର । ଆମେ ଆମ ସମାଜରେ ବିଭେଦ ନ କରି ଏକତା ଆଣିବା ଆବଶ୍ୟକ ।