Onn 3

ବାତ୍ୟା ‘ବିପର୍ଯ୍ୟୟ’ଜନିତ ବନ୍ୟାରୁ ଛେଳିଙ୍କୁ ରକ୍ଷା କରିବାକୁ ଯାଇ ବାପପୁଅ ମୃତ

National & International

ଭାବନଗର: ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଯୋଗୁଁ ପ୍ରବଳ ବର୍ଷା ହୋଇ ଆସିଥିବା ବନ୍ୟାଜଳରୁ ଛେଳିମାନଙ୍କୁ ରକ୍ଷା କରିବାକୁ ଯାଇ ଗୁରୁବାର ଦିନ ଗୁଜୁରାଟର ଭାବନଗର ଜିଲ୍ଲାରେ ଜଣେ ବ୍ୟକ୍ତି ଓ ତାଙ୍କ ପୁଅର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟାରେ ଗୁଜରାଟର କଚ୍‌ ଜିଲ୍ଲାରେ ଏହି ବାତ୍ୟା ସ୍ଥଳଭାଗରେ ପ୍ରବେଶ କରିବା ଯୋଗୁଁ ଭାବନଗର ସମତେ ଗୁଜରାଟର କେତେକ ପ୍ରାନ୍ତରେ ବହୁ ପରିମାଣର ବର୍ଷା ହୋଇଥିଲା।

ଗୁରୁବାର ସକାଳୁ ତୁହାକୁ ତୁହା ବର୍ଷା ଲାଗି ରହିବାରୁ ସିହୋର୍‌ ସହର ନିକଟ ଭଣ୍ଡାର ଗାଁ ମଧ୍ୟ ଦେଇ ଯାଇଥିବା ନାଳରେ ହଠାତ୍‌ ଜଳ ପ୍ରବାହିତ ‌ହେଲା ବୋଲି ରାଜସ୍ବ କର୍ମଚାରୀ ବା ‘ମାମ୍‌ଲତ୍‌ଦାର୍‌’ ଏସ୍‌. ଏନ୍‌. ୱାଲା କହିଛନ୍ତି।

ସେ କହିଛନ୍ତି, ହଠାତ୍‌ ଜଳପ୍ରବାହ ହେବାରୁ ନାଳରେ ପଲେ ଛେଳି ଫସି ଯାଇଥିଲେ। ଛେଳିମାନଙ୍କୁ ଉଦ୍ଧାର କରିବା ପାଇଁ ୫୫ ବର୍ଷିୟ ରାମଜୀ ପରମାର ଓ ତାଙ୍କ ୨୨ ବର୍ଷିୟ ପୁଅ ରାକେଶ ପାରମର ନାଳକୁ ପଶିଥିଲେ। କିନ୍ତୁ, ନାଳରେ ପ୍ରଖର ସୁଅ ପଡ଼ିଥିବାରୁ ସେମାନେ ଭାସିଗଲେ। କିଛି ଦୂରରୁ ସେମାନଙ୍କ ଶବ ଉଦ୍ଧାର କରାଯାଇଛି। ବର୍ଷାଜନିତ ବନ୍ୟାରେ ୨୨ଟି ଛେଳିମେଣ୍ଢା ମଧ୍ୟ ମରିଯାଇଛନ୍ତି।

ଉଲ୍ଲେଖଯୋଗ୍ୟ, ସମ୍ପ୍ରତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ସୌରାଷ୍ଟ୍ର-କଚ୍‌ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇ ରହିଛି ଏବଂ ଆଜି ରାଜସ୍ଥାନରେ ପ୍ରବଳ ବର୍ଷା କରାଇ ଉତ୍ତରପୂର୍ବ ଦିଗକ ଅଗ୍ରସର ହୋଇ ସନ୍ଧ୍ୟା ବେଳକୁ ଲଘୁଚାପରେ ପରିଣତ ହୋଇଯିବ ବୋଲି ସଦ୍ୟତମ ବୁଲେଟିନ୍‌ରେ ଭାରତୀୟ ପାଣିପାଗ ବିଭାଗ କହିଛି।

ଏହି ବାତ୍ୟାର ପ୍ରଭାବରେ ଗୁଜରାଟର ମାଲିୟାରେ ଅନେକ ଗଛବୃଚ୍ଛ ଉପୁଡ଼ି ପଡ଼ିଛି ଓ ଘରଦ୍ବାର ବି ଭାଙ୍ଗିଯାଇଛି। ବତାସ ଯୋଗୁଁ ବିଜୁଳି ତାର ଛିଡ଼ିବା ସହିତ ଖୁଣ୍ଟ ଉପୁଡ଼ି ପଡ଼ିବାରୁ ମାଲିୟା ତହସିଲ୍‌ର ୪୫ଟି ଗାଁରେ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଛି।