Onn 3

ଲାଇନ୍ କାଟିବାକୁ ଧମକ ଦିଆଯାଉଛି, ଜୋର୍ ଜବରଦସ୍ତ ବିଦ୍ୟୁତ୍ ବିଲ ସଂଗ୍ରହ କରାଯାଉଛି: ପିସିସି ସଭାପତି

State

ଭୁବନେଶ୍ବର: ପ୍ରବଳ ଖରା ଯୋଗୁଁ ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ‌ହେଉଛି। ସହରାଞ୍ଚଳରେ ସ୍ଥିତି ଏକ ପ୍ରକାର ଠିକ୍‌ ଥିବା ବେଳେ ଗ୍ରାମାଞ୍ଚଳରେ ଏହାର ଓଲଟା। ବିଜୁଳି ସମସ୍ୟା ନେଇ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ। ଦଳ ପକ୍ଷରୁ ଆସନ୍ତା ୧୯ ତରିଖରେ ଗ୍ରିଡକୋ ଅଫିସ ଘେରାଉ କରାଯିବ। ପରେ ସମସ୍ତ ଜିଲ୍ଲାସ୍ତରରେ ଆନ୍ଦୋଳନ ଜାରି ରଖିବ। ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି।
ଶ୍ରୀ ପଟ୍ଟନାୟକ କହିଛନ୍ତି, ଓଡ଼ିଶାର ଜନସାଧାରଣଙ୍କ ସହ ଉଭୟ ବିଜେପି ଓ ବିଜେଡ଼ି ଛଳନାର ଖେଳ ଖେଳୁଛନ୍ତି। ଲୋକଙ୍କୁ ହଇରାଣ କରିବାକୁ ବିଜେପି ଓ ବିଜେଡ଼ି ପ୍ରତିଯୋଗିତା କରୁଛନ୍ତି । ବିଜେଡି ଗ୍ୟାସ୍‌ ପାଇଁ ଓ ବିଜେପି ବିଦ୍ୟୁତ୍ କଥା କହି ଖେଳ ଖେଳୁଛନ୍ତି। ୨୦ ହଜାର କୋଟି ଟଙ୍କା ଭିତ୍ତିଭୂମି ସଜାଡିବାକୁ ଦେଇଛନ୍ତି। ୫ ହଜାର କୋଟି ଟଙ୍କା ଟାଟାକୁ ଦିଆଯାଇଛି। ଆଉ ୧୫ ହଜାର କୋଟି କୁଆଡେ ଗଲା। ପୁରୁଣା ଭିତ୍ତିଭୂମିରେ ସେବା ଚାଲିଛି। ୧୫ ହଜାର କୋଟି ଖର୍ଚ୍ଚ ହୋଇଥିଲେ ସ୍ଥିତି ସୁଧୁରି ଥାଆନ୍ତା।
ଏବେ ଗ୍ରାମାଞ୍ଚଳରେ ସ୍ଥିତି ଅସମ୍ଭାଳ। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ୍ ହେଉଛି । କାହିଁକି ଏମିତି ବାରମ୍ବାର ହେଉଛି ସରକାର ତାହାର ହିସାବ ରଖନ୍ତୁ। ଭିତ୍ତିଭୂମି ପାଇଁ ଆସିଥିବା ଅର୍ଥ କୁଆଡେ କେଉଁ ବାଟରେ ଯାଉଛି। ସରକାର ଏହାର ଶ୍ୱେତପତ୍ର ଦିଅନ୍ତୁ। କ’ଣ ଖର୍ଚ୍ଚ କରିଛନ୍ତି, ତାହାର ହିସାବ ଦିଅନ୍ତୁ। ରାଜ୍ୟର ବିଦ୍ୟୁତ ବିତରଣ ଦାୟିତ୍ବ ଟାଟା ନେବା ପୂର୍ବରୁ ଯେଉଁ ବକେୟା ଅର୍ଥ ଥିଲା ତାହାକୁ ଆଦାୟ ପାଇଁ ଚାପ ପ୍ରୟୋଗ କରାଯାଉଛି। ଲାଇନ୍ କାଟିବାକୁ ଧମକ ଦିଆଯାଉଛି। ଜୋର୍ ଜବରଦସ୍ତ ବିଦ୍ୟୁତ୍ ବିଲ ସଂଗ୍ରହ କରାଯାଉଛି। ସେମାନଙ୍କୁ ସୂଚାଇ ଦେବାକୁ ଚାହୁଁଛୁ ଯେ, ଓଡ଼ିଶାରେ ଗୁଣ୍ଡା ଗର୍ଦ୍ଦି ଚଳିବନି । ମନଇଚ୍ଛା ବିଲ୍ କରି ପଢାଇଲେ କିଏ ଟଙ୍କା ଦେବ? ପୂର୍ବରୁ ଯାହା ବି ବକେୟା ଟଙ୍କା ଥିଲା ସରକାର ତାହାକୁ ଛାଡ କରନ୍ତୁ ବୋଲି ପିସିସି ସଭାପତି କହିଛନ୍ତି।

ସେହିପରି ସେ କହିଛନ୍ତି ଯେ, ଗୋଟିଏ ତାରିଖରେ ବିଲ ସଂଗ୍ରହ କରାଯାଉ। ଭିନ୍ନ ଭିନ୍ନ ତାରିଖରେ ବିଲ ସଂଗ୍ରହ କରି ଚଞ୍ଚକତା କରୁଛନ୍ତି। ଏମିତି କଲେ ଜନସାଧାରଣ ସହିବେନି। ଓଡ଼ିଶାବାସୀଙ୍କୁ ରାଜ୍ୟ ସରକାର ବିନା ବିଜୁଳିରେ ରହିବା ସହ ଅଭ୍ୟସ୍ତ କରି ସାରିଲେଣି। ୨୩ ବର୍ଷ ଶାସନର ଏହା ହେଉଛି ବାହାଦୁରୀ । ବିଦ୍ୟୁତ ବଳକା ରାଜ୍ୟ ହୋଇ ମଧ୍ୟ ଏଭଳି ଅବସ୍ଥା କାହିଁକି? ପାୱାରକଟ ବନ୍ଦ ହେଉ, ଲୋ ଭୋଲଟେଜ ସମସ୍ୟାକୁ ବନ୍ଦ କରାଯାଉ। ନଚେତ ଗରମରେ ଯେଉଁ ହନ୍ତସନ୍ତ ହେଉଛନ୍ତି ତାହାର ନିଶ୍ୱାସ ଏ ସରକାର ଉପରେ ପଡିବ। ୨୦୦୦ ମସିହାରୁ ୪୨ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଭିତ୍ତିଭୂମି ସୁଦୃଢ଼ ହୋଇନାହିଁ। ଉଭୟ ଦଳ ପ୍ରହସନ କରୁଛନ୍ତି।