Onn 3

ଆସିବ ନୂଆ ଡିଜିଟାଲ ଡାଟା ସୁରକ୍ଷା ବିଲ୍‌ : ସୋସିଆଲ ମିଡିଆରେ ନିଷିଦ୍ଧ ହେବ ୧୧ କିସମର ପୋଷ୍ଟ

National & International

ନୂଆଦିଲ୍ଲୀ : ଏବେ ଡିଜିଟାଲ ଦୁନିଆରେ ପ୍ରାୟତଃ ସବୁ କିସମର କାରବାର ଇଣ୍ଟରନେଟ୍‌ ଉପରେ ନିର୍ଭର କରୁଛି। ଆର୍ଥିକ କାରବାର ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁକିଛି ଇଣ୍ଟରନେଟ୍‌ ମାଧ୍ୟମରେ କରିବା ସମ୍ଭବ ହେଉଛି। କିନ୍ତୁ ଦିନକୁ ଦିନ ଇଣ୍ଟରନେଟର ବେନିୟମ ଉପଯୋଗ ମଧ୍ୟ ବଢିବାରେ ଲାଗିଛି। ସାଇବର ଅପରାଧ ଏବଂ ସୋସିଆଲ ମିଡିଆରେ ବ୍ୟବହାରକାରୀମାନେ ଆଇନ ବହିର୍ଭୂତ କାର୍ଯ୍ୟ କରୁଛନ୍ତି। ତେଣୁ ଇଣ୍ଟରନେଟ୍‌କୁ ସମସ୍ତଙ୍କ ଲାଗି ସୁରକ୍ଷିତ ଓ ଭରସାଯୋଗ୍ୟ କରିବା ଲାଗି କେନ୍ଦ୍ର ସରକାର ଖୁବଶୀଘ୍ର ନୂଆ ‘ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍‌’ ‌ଆଣିବାକୁ ଯାଉଛନ୍ତି ବୋଲି କେନ୍ଦ୍ର ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି।

ପ୍ରସ୍ତୁତ କରାଯାଇଥିବା ବିଲରେ ୧୧ ପ୍ରକାର ବିଷୟବସ୍ତୁକୁ ନିଷିଦ୍ଧ କରିବା ଲାଗି ପ୍ରୟାସ କରାଯାଇଛି। ଶିଶୁ ‌ଯୌନ ନିର୍ଯ୍ୟାତନା, ଧାର୍ମିକ ଘୃଣା ସୃଷ୍ଟି, ପେମେଣ୍ଟ୍‌ ଉଲ୍ଲଂଘନ କରୁଥିବା ବିଷୟବସ୍ତୁ ଓ ମିଥ୍ୟା ଖବର ଓ ସୂଚନା ଆଦିକୁ ନିଷିଦ୍ଧ କରାଯିବ ବୋଲି ଆଇଟି ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି। ସେ କହିଛନ୍ତି ଯେ, ଇଣ୍ଟରନେଟ୍‌ର ବେଆଇନ ଉପଯୋଗକୁ ନେଇ ପଡ଼ୁଥିବା ପ୍ରଭାବକୁ ହ୍ରାସ କରିବା ସହିତ ସାଇବର ଅପରାଧ ରୋକିବା ଲାଗି ଏହି ବିଲ୍‌ରେ ବ୍ୟବସ୍ଥା କରାଯାଇଛି। ଚଳିତ ମାସରେ ଏହାକୁ ନେଇ ଅଂଶୀଦାରମାନଙ୍କ ସହ ଆଲୋଚନା ହେବ ଏବଂ ଖୁବ୍‌ଶୀଘ୍ର ତାହାକୁ ସଂସଦରେ ଉପସ୍ଥାପନ କରାଯିବ। ଏହାକୁ ଆଇନରେ ପରିଣତ କରାଯିବା ପରେ ନିୟମ ଉଲ୍ଲଘଂନକାରୀ ସୋସିଆଲ ମିଡିଆ ସଂସ୍ଥାଙ୍କ ବି‌ରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହଜ ହେବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ୨୦୧୪ରେ ଡିଜିଟାଲ୍ ସଂଯୋଗ କ୍ଷେତ୍ରରେ ବିଶ୍ବର ଅନ୍ୟ ପ୍ରମୁଖ ରାଷ୍ଟ୍ରମାନଙ୍କ ତୁଳନାରେ ଭାରତର ସ୍ଥାନ ଅନେକ ପଛରେ ରହିଥିଲା। କିନ୍ତୁ ବିଗତ କିଛି ବର୍ଷ ମଧ୍ୟରେ ୮୫ କୋଟି ଲୋକ ଡିଜିଟାଲ୍ ଦୁନିଆ ସହ ଯୋଡ଼ି ହେବା ସହିତ ଭାରତ ବର୍ତ୍ତମାନ ଡିଜିଟାଲ କାରବାର କ୍ଷେତ୍ରରେ ସବୁଠୁ ସକ୍ରିୟ ରାଷ୍ଟ୍ର ଭାବେ ଉଭା ହୋଇଛି। ଏହାବ୍ୟତୀତ ୨୦୨୫ ସୁଦ୍ଧା ଦେଶର ୧୨୦ କୋଟି ଲୋକ ଡିଜିଟାଲ ଦୁନିଆ ସହିତ ଯୋଡି ହୋଇଯାଇଥିବେ। ଯାହାକୁ ନେଇ ଇଣ୍ଟରନେଟ୍‌ର ବ୍ୟବହାରକୁ ସୁରକ୍ଷିତ କରିବାକୁ ପଡ଼ିବ ବୋଲି ରାଜବୀ କହିଛନ୍ତି।