Ss

ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ରତ୍ନାକର ନାୟକଙ୍କ ପରଲୋକ: ଡେରାବିଶ ଅଞ୍ଚଳରେ ଶୋକର ଛାୟା

ରାଜ୍ୟ

କେନ୍ଦ୍ରାପଡ଼ା (ବିକାଶ ବେହରା) :  କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅଧୀନସ୍ଥ ଲୁଣା-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍, ଆଦର୍ଶ ଶିକ୍ଷକ ତଥା ଅନେକ ସାମାଜିକ ଓ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ରତ୍ନାକର ନାୟକଙ୍କର ଗତ ଅକ୍ଟୋବର ୩୦ ତାରିଖ ସକାଳ ୮.୫୦ ମି. ସମୟରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ବହୁ ବିଶିଷ୍ଟ ବ୍ୟକ୍ତି ତଥା ଅଞ୍ଚଳବାସୀ ଶେଷ ଦର୍ଶନ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଏକ ଯୁଗର ଅବସାନ ଘଟିଥିବା ବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଶିକ୍ଷା ବିସ୍ତାର, ସମାଜସେବା ତଥା ସ୍ଥାନୀୟ ଅଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ସ୍ୱର୍ଗତ ନାୟକଙ୍କ ଅବଦାନ ଅତୁଳନୀୟ ଥିଲା। ବିଶେଷକରି ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ପାଇଁ ସେ ସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ତତ୍କାଳୀନ ମନ୍ତ୍ରୀ ସ୍ୱର୍ଗତ ବସନ୍ତ ବିଶ୍ୱାଳଙ୍କ ସମୟରେ ଅସୁରେଶ୍ୱର ପୋଲ ନିର୍ମାଣ ନିମନ୍ତେ ସ୍ୱର ଉତ୍ତୋଳନ କରିବାଠାରୁ ଆରମ୍ଭ କରି ଐତିହାସିକ ଦାନପୁର ସେତୁ ନିର୍ମାଣ ଲାଗି ବ୍ୟାପକ ଦସ୍ତଖତ ଅଭିଯାନର ନେତୃତ୍ୱ ନେଇଥିଲେ।

ଏହା ବ୍ୟତୀତ ହରିଅଙ୍କ ଡାକ୍ତରଖାନା, ସ୍ଥାନୀୟ ଟୋଲ, ବିଦ୍ୟାଳୟ, ଆରାଇ ଅଞ୍ଚଳରେ ଶିକ୍ଷାକେନ୍ଦ୍ର, ହରିଅଙ୍କ ଇଣ୍ଡିଆନ ବ୍ୟାଙ୍କ ଶାଖା, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଏବଂ ଅରତାମୂଳ ରାମ ମନ୍ଦିର ଭଳି ବହୁ ସାମାଜିକ, ଆଧ୍ୟାତ୍ମିକ ତଥା ଜନକଲ୍ୟାଣକାରୀ ଅନୁଷ୍ଠାନ ଗଠନ ଓ ବିକାଶରେ ସେ ନିଜର ଜୀବନ ଉତ୍ସର୍ଗ କରିଥିଲେ। ନିଷ୍ଠା, ଅଧ୍ୟବସାୟ ଓ ଉଚ୍ଚ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିତ୍ୱ ଭାବେ ସେ ଅଞ୍ଚଳରେ ସର୍ବଜନସ୍ୱୀକୃତ ଥିଲେ।

ତାଙ୍କର ଏହି ଅପୂରଣୀୟ କ୍ଷତିରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି। ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷାବିତ୍, ସମାଜସେବୀ ତଥା ସର୍ବସାଧାରଣ ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।