ବାରିପଦା : ଆନ୍ତର୍ଜାତୀୟ ସଞ୍ଚୟ ଦିବସ ଅବସରରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ପକ୍ଷରୁ “ସମୃଦ୍ଧି ପାଇଁ ସଞ୍ଚୟ: ପ୍ରଭାବଶାଳୀ ନିବେଶ ଓ ସମାବେଶୀ ଅଭିବୃଦ୍ଧିର ମାର୍ଗ” ଶୀର୍ଷକରେ ଏକ ପ୍ୟାନେଲ୍ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତିଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଧରଣୀଧର ବିଶ୍ୱବିଦ୍ୟାଳୟର ପୂର୍ବତନ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ତଥା ଅର୍ଥନୀତି ପ୍ରଫେସର ସତ୍ୟବ୍ରତ ମିଶ୍ର, ଉତ୍କଳ ବିଶ୍ୱବିଦ୍ୟାଳୟର ବିଶ୍ଳେଷଣାତ୍ମକ ଓ ପ୍ରୟୋଗମୂଳକ ଅର୍ଥନୀତି ବିଭାଗର ଆର୍ବିଆଇ ଚେୟାର ପ୍ରଫେସର ସୁଧାକର ପାତ୍ର ଏବଂ ଆୟୋଜକ ବିଶ୍ୱବିଦ୍ୟାଳୟର ବ୍ୟବସାୟ ପ୍ରଶାସନ ବିଭାଗର ସହକାରୀ ପ୍ରଫେସର ଡ. ସୀତାରାମ ଦାସ ପ୍ରମୁଖ ବିଷୟ ବିଶେଷଜ୍ଞ ରୂପେ ଯୋଗଦେଇ ସଞ୍ଚୟ ଓ ନିବେଶର ବିଭିନ୍ନ ଦିଗ ଉପରେ ନିଜର ମତାମତ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ସର୍ବପ୍ରଥମେ ଅର୍ଥନୀତି ବିଭାଗର ମୁଖ୍ୟ ପ୍ରଫେସର କବିତା କୁମାରୀ ସାହୁ ସ୍ୱାଗତ ଓ ବିଷୟଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ । ତତ୍ପରେ ନିମନ୍ତ୍ରିତ ବକ୍ତାମାନେ ତାଙ୍କ ଅଭିଭାଷଣରେ ସଞ୍ଚୟକୁ ଆର୍ଥିକ ସୁରକ୍ଷା ଓ ସମୃଦ୍ଧିର ଏକ ମୁଖ୍ୟ ଆଧାର ଭାବେ ଅଭିହିତ କରିବା ସହ ଏହାର ସଠିକ୍ ଉପଯୋଗ ଦ୍ୱାରା ନିବେଶ, ସ୍ଥାୟୀ ଅଭିବୃଦ୍ଧି ଏବଂ ସମାବେଶୀ ବିକାଶକୁ କିପରି ଗତିଶୀଳ କରାଯାଇପାରିବ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଉକ୍ତ ଆଲୋଚନାଚକ୍ରରେ ବ୍ୟକ୍ତିଗତ ସଞ୍ଚୟ ନିଷ୍ପତ୍ତିଠାରୁ ଆରମ୍ଭ କରି ଦେଶର ଅର୍ଥନୈତିକ ପ୍ରଗତି ପର୍ଯ୍ୟନ୍ତ ସଞ୍ଚୟର ଭୂମିକା ଉପରେ ଆଲୋଚନା କରାଯାଇଥିଲା ଏବଂ ଏକ ପ୍ରଶ୍ନୋତ୍ତର ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଛାତ୍ରଛାତ୍ରୀ ଏବଂ ଶୋଧାର୍ଥୀମାନେ ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରିବା ସହିତ ସଞ୍ଚୟ, ନିବେଶ ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସମ୍ପର୍କିତ ବିଷୟ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଡ. ମଳୟ ରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
