IMG 20261007 WA0269

ଦିବ୍ୟ ଦୃଷ୍ଟି ଯୋଜନାରେ ୩୫୧ ଛାତ୍ରଛାତ୍ରୀଙ୍କୁ ଚଷମା ବଣ୍ଟନ

ରାଜ୍ୟ
ବାରିପଦା: ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ବାରିପଦା ତରଫରୁ  ଦୃଷ୍ଟି ସମସ୍ୟା ଥିବା ପୂର୍ବରୁ ଚିହ୍ନଟ ହୋଇଥିବା ୩୫୧ ଜଣ ଛାତ୍ରଛାତ୍ରୀମାନଙ୍କୁ ବୀର ସୁରେନ୍ଦ୍ର ସାଇ ଦିବ୍ୟ ଦୃଷ୍ଟି ଯୋଜନା ମାଧ୍ୟମରେ ଚଷମା ବଣ୍ଟନ କାର୍ଯ୍ୟକ୍ରମ ଜିଲ୍ଲା ଅନ୍ତର୍ନିବେଶି ସାଧନ କେନ୍ଦ୍ର, ଲାଲବଜାର, ବାରିପଦାଠାରେ ଅନୁଷ୍ଠିତ ହୋଇଯାଇଛି। ଗତ ଜାନୁୟାରୀ ମାସରେ ବାରିପଦା ବ୍ଲକର ପାଞ୍ଚ ଗୋଟି ସ୍ଥାନରେ ଶିକ୍ଷା  ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ   ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚିହ୍ନିତ ଛାତ୍ରଛାତ୍ରୀମାନଙ୍କୁ ଚଷମା ପ୍ରଦାନ କରିଥିଲେ। ସେ ଚକ୍ଷୁର ଯତ୍ନ ଓ ଚଷମାର ବ୍ୟବହାର ସମ୍ପର୍କରେ ପିଲା ଓ ଅଭିଭାବକ ମାନଙ୍କୁ ବୁଝାଇଥିଲେ । ଏହି ଅବସରରେ ସମଗ୍ର ଶିକ୍ଷା, ମୟୂରଭଞ୍ଜର ଜିଲ୍ଲା ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ଶ୍ରୀ ନିରଞ୍ଜନ ନାୟକ ଏବଂ ବାରିପଦା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ  ସୁକୁମାର ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦୃଷ୍ଟି ସମସ୍ୟା ଥିବା ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଚଷମା ଯୋଗାଇ ଦିଆଯାଇଥିବାରୁ ସେମାନଙ୍କର ପାଠପଢ଼ା ଓ ଶିକ୍ଷାଗ୍ରହଣରେ ଏହା ନିଶ୍ଚିତ ଭାବେ ସହାୟକ ହେବ ବୋଲି ଅତିଥିଦ୍ଵୟ  ମତ ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ଚିହ୍ନିତ ସମସ୍ତ ଛାତ୍ରଛାତ୍ରୀଙ୍କ ସହିତ ବାରିପଦା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନସ୍ଥ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ  ଶ୍ରୀ ସୁଶୀଲ କୁମାର ପଣ୍ଡା, ଶ୍ରୀ ଧନପତି ମିଶ୍ର, ଶ୍ରୀ ପଙ୍କଜ କୁମାର ମିଶ୍ର, ଶ୍ରୀମତୀ ପୂଜାରଣୀ ପଣ୍ଡା ଓ ଶ୍ରୀମତୀ କନକଲତା ମାଝି  ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଚଷମା ପ୍ରଦାନ ଓ ଆବଶ୍ୟକ ସହଯୋଗ କରିଥିଲେ। ଅନ୍ତର୍ନିବେଶି ସାଧନ କର୍ମୀ ଶ୍ରୀମତୀ ରେଖାରାଣୀ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ସ୍ଥଳେ ଶ୍ରୀ ଦିଲୀପ କୁମାର ଦାସ ଉପସ୍ଥିତ ସମସ୍ତ ଅତିଥି,  ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।