- କ୍ରୀଡ଼ା ପରେ କଳା ଓ ପ୍ରତିଭାର ମଞ୍ଚ ‘ମହକ’ରେ ଝଲସିଲେ ଶିଶୁ
ବାରିପଦା: ବାରିପଦାସ୍ଥିତ ସହିଦ ସ୍ମୃତି ଭବନଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ମହକ’ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୮ଟି ଶିଶୁ ଯତ୍ନ ଅନୁଷ୍ଠାନର ୨୦୦ରୁ ଊର୍ଦ୍ଧ୍ୱ ଅନ୍ତେବାସୀ ଏଥିରେ ଅଂଶଗ୍ରହଣ କରି ବିଭିନ୍ନ ସାଂସ୍କୃତିକ ଓ ପ୍ରତିଭାଭିତ୍ତିକ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ।
କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ସଂଯୁକ୍ତା ମହାରଣା ଏବଂ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଭାସ୍ୱତୀ ବାରିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀ ଶିଶୁମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ଓ ପରିପ୍ରକାଶ ସହ ସେମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ସୁଯୋଗ ପ୍ରଦାନ କରିବା ‘ମହକ’ ଆୟୋଜନର ପ୍ରମୁଖ ଉଦ୍ଦେଶ୍ୟ । ‘ଉତ୍ସାହ’ ଅଧୀନରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିବାବେଳେ, ‘ମହକ’ ଅଧୀନରେ ସାଂସ୍କୃତିକ ଓ ବୌଦ୍ଧିକ ପ୍ରତିଭାକୁ ନେଇ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା । ଏଥିରେ ଗୀତ, ସାମୂହିକ ନୃତ୍ୟ, ଚିତ୍ରାଙ୍କନ, ବକ୍ତୃତା, ସାଧାରଣ ଜ୍ଞାନ ଓ ପ୍ରତିଭା ଅନ୍ୱେଷଣ ଆଦି ପ୍ରତିଯୋଗିତା ସାମିଲ ଥିଲା ।
କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ବାରିପଦା ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦୀପକ ଗୋଛାୟତ, ଜିଲ୍ଲା ନିଯୁକ୍ତି ଅଧିକାରୀ ଆଶିଷ କୁମାର ବସନ୍ତିଆ ଏବଂ ଶିଶୁ ମଙ୍ଗଳ ସମିତିର ସଦସ୍ୟ ସୁରଥ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ଅତିଥିମାନେ ଶିଶୁମାନଙ୍କୁ ଉତ୍ସାହିତ କରିବା ସହ ‘ଉତ୍ସାହ’ ଓ ‘ମହକ’ ଅଧୀନରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ ।
ଜିଲ୍ଲା ସ୍ତରରେ ‘ଉତ୍ସାହ’ ଓ ‘ମହକ’ର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱର ସହ ପ୍ରଥମ ସ୍ଥାନ ଅର୍ଜନ କରିଥିବା ପ୍ରତିଯୋଗୀମାନେ ରାଜ୍ୟ ସ୍ତରୀୟ ‘ଉତ୍ସାହ’ ଓ ‘ମହକ’ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକର କର୍ମକର୍ତ୍ତା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର କର୍ମକର୍ତ୍ତା ଏବଂ ଚାଇଲ୍ଡ ଲାଇନ୍ର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ଶେଷରେ ସୁରକ୍ଷା ଅଧିକାରୀ, ଆନୁଷ୍ଠାନିକ ସେବା ମଧୁସୂଦନ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।
