ବାରିପଦା: ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକର ସାମ୍ବାଦିକ ତଥା ଓଡ଼ିଶା ଜର୍ଣ୍ଣାଲିଷ୍ଟସ ୟୁନିୟନ (ଓଜେୟୁ)ର ସଦସ୍ୟ କ୍ଷୀରୋଦ ଚନ୍ଦ୍ର ଦାସଙ୍କ ଉପରେ ହୋଇଥିବା ଆକ୍ରମଣକୁ ଇଣ୍ଡିଆନ ଜର୍ଣ୍ଣାଲିଷ୍ଟସ ୟୁନିୟନ (ଆଇଜେୟୁ) ତୀବ୍ର ନିନ୍ଦା କରିଛି। ଘଟଣାର ନିରପେକ୍ଷ ଓ ସମୟବଦ୍ଧ ତଦନ୍ତ କରି ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ଆଇଜେୟୁ ଦାବି କରିଛି।
ଆଇଜେୟୁ ପକ୍ଷରୁ ଜାରି ପ୍ରେସ ବିବୃତିରେ ଦର୍ଶାଯାଇଛି ଯେ, ଓଜେୟୁ ପକ୍ଷରୁ ୩୦ ସେପ୍ଟେମ୍ବର ୨୦୨୬ରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ଓଡିଶା ଜର୍ଣ୍ଣାଲିଷ୍ଟସ ୟୁନିୟନ ତରଫରୁ ଦିଆଯାଇଥିବା ଦାବୀପତ୍ର ଅନୁଯାୟୀ, ସେପ୍ଟେମ୍ବର ୨୭ ତାରିଖ ରାତିରେ ମୟୁରଭଞ୍ଜର ଜାମସୋଳା ଅଞ୍ଚଳରେ କ୍ଷୀରୋଦଙ୍କୁ କେତେକ ସ୍ଥାନୀୟ ମାଫିଆ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେ ପ୍ରକାଶ କରିଥିବା ଖବରକୁ କେନ୍ଦ୍ର କରି ପ୍ରତିଶୋଧମୂଳକ ଭାବେ ଏହି ଆକ୍ରମଣ ହୋଇଥିବା ଓଜେୟୁ ଅଭିଯୋଗ କରିଛି। ଆକ୍ରମଣରେ ଖୀରୋଦଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ସେ ଝାରପୋଖରିଆ ଥାନାରେ ଅଭିଯୋଗ କରିଥିଲେ ଏବଂ ଏନେଇ ମାମଲା ରୁଜୁ ହୋଇଛି। ଆଇଜେୟୁ ସଭାପତି ଗୀତାର୍ଥ ପାଠକ କହିଛନ୍ତି ଯେ, ସାମ୍ବାଦିକ ନିଜ ବୃତ୍ତିଗତ ଦାୟିତ୍ୱ ତୁଲାଇବା ସମୟରେ ଆକ୍ରମଣର ଶିକାର ହେବା ଅତ୍ୟନ୍ତ ଚିନ୍ତାଜନକ। ଖବର ପ୍ରକାଶ କିମ୍ବା ଅନିୟମିତତାକୁ ପଦାକୁ ଆଣିବା ପାଇଁ ଯଦି କୌଣସି ସାମ୍ବାଦିକଙ୍କୁ ହିଂସାର ସମ୍ମୁଖୀନ ହେବାକୁ ପଡ଼େ, ତେବେ ଏହା ପ୍ରେସ ସ୍ୱାଧୀନତା ଓ ଗଣତାନ୍ତ୍ରିକ ଉତ୍ତରଦାୟିତ୍ୱ ପାଇଁ ଗୁରୁତର ବିପଦ। ଦୋଷୀଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରିବା ସହ ଭବିଷ୍ୟତରେ ଏଭଳି ଘଟଣା ଯେପରି ନଘଟେ, ସେଥିପାଇଁ ସରକାର ଓ ପୋଲିସ ତ୍ୱରିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି।
ଆଇଜେୟୁ ସାଧାରଣ ସମ୍ପାଦକ ବିନୋଦ କୋହଲି ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିବା ସହ ସାମ୍ବାଦିକତା ସହ ଜଡ଼ିତ କାରଣରୁ ଆକ୍ରମଣ ହୋଇଥିବା ଅଭିଯୋଗକୁ ଗୁରୁତ୍ୱର ସହ ତଦନ୍ତ କରିବାକୁ ଦାବି କରିଛନ୍ତି। ଓଡ଼ିଶା ପୋଲିସ ଘଟଣାର ସମସ୍ତ ପାର୍ଶ୍ୱକୁ ନେଇ ନିରପେକ୍ଷ ଓ ସମୟବଦ୍ଧ ତଦନ୍ତ କରି ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବା ଉଚିତ ବୋଲି କହିଛନ୍ତି। ସେହିପରି ତଦନ୍ତରେ କୌଣସି ରାଜନୈତିକ, ପ୍ରଶାସନିକ କିମ୍ବା ଅନ୍ୟାନ୍ୟ ଚାପ ଯେପରି ନପଡ଼େ, ସେଥିପ୍ରତି ଡିଜିପି ଦୃଷ୍ଟି ଦେବାକୁ ଆଇଜେୟୁ ଦାବି କରିଛି। ସାମ୍ବାଦିକଙ୍କ ଉପରେ ଆକ୍ରମଣ କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଆକ୍ରମଣ ନୁହେଁ, ଏହା ପ୍ରେସ ସ୍ୱାଧୀନତା ଓ ଜନସାଧାରଣଙ୍କ ସୂଚନା ପାଇବାର ଅଧିକାର ଉପରେ ଆକ୍ରମଣ ବୋଲି ଆଇଜେୟୁ କହିଛି। ଓଡ଼ିଶାରେ ସାମ୍ବାଦିକଙ୍କ ବିରୋଧରେ ହେଉଥିବା ହିଂସା ଓ ପ୍ରତିଶୋଧ ମୂଳକ ଆକ୍ରମଣକୁ ଗୁରୁତ୍ୱର ସହ ନେଇ ଦୋଷୀଙ୍କ ବିରୋଧରେ ତୁରନ୍ତ ଓ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ସଂଘ ଓଡ଼ିଶା ସରକାରଙ୍କୁ ଆହ୍ୱାନ ଜଣାଇଛି।
