Delhi polution

ଶୀତଦିନେ ଫାର୍କିଂ ଫି ଡବଲ୍‌: ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଦିଲ୍ଲୀ ସରକାରଙ୍କ ମାଷ୍ଟର ପ୍ଲାନ

ଦେଶ - ବିଦେଶ

ନୂଆଦିଲ୍ଲୀ: ଆସନ୍ତା ଶୀତଋତୁରେ ରାଜଧାନୀ ଦିଲ୍ଲୀକୁ ପ୍ରଦୂଷଣ ଦାଉରୁ ରକ୍ଷା କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ୩ ମାସ ପୂର୍ବରୁ ଏ ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଛି । ଆସନ୍ତା ନଭେମ୍ବର ୧ ତାରିଖରୁ ଏହା କଡ଼ାକଡ଼ି ଭାବେ ଲାଗୁ ହେବ ବୋଲି ସରକାରଙ୍କୁ ପକ୍ଷରୁ କୁହାଯାଇଛି । ଏହି ପ୍ଲାନ ଅନୁଯାୟୀ ମହାନଗର ପାର୍କିଂ ସ୍ଥାନଗୁଡ଼ିକରେ ଗାଡ଼ି ପାର୍କିଂ ଫି କୁ ଦୁଇଗଣ କରିଦିଆଯିବ । ଲୋକେ ଅଯଥାରେ ନିଜ ଯାନବାହନ ବ୍ୟବହାର ନ କରି ପବ୍ଲିକ ଟ୍ରାନ୍‌ସପୋର୍ଟ ବ୍ୟବହାର କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି ।

ଏହି ସମୟରେ ମହାନଗର ମଧ୍ୟରେ କୌଣସି ପ୍ରକାର କନଷ୍ଟ୍ରକ୍‌ସନ କାର୍ଯ୍ୟକୁ ଅନୁମତି ମିଳିବ ନାହିଁ । ସରକାରୀ ଏବଂ ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ୱାର୍କ ଫ୍ରମ୍ ହୋମ୍ ପାଇଁ ପ୍ରୋତ୍ସାହିତ କରାଯିବ । ୨୦୨୬ ନଭେମ୍ବର ୧ ରୁ ୨୦୨୭ ଫେବୃୟାରୀ ୨୭ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ନୂଆ ନିୟମ ଅନୁଯାୟୀ ଦିଲ୍ଲୀ ମହାନଗର ନିଗମ କର୍ମଚାରୀମାନଙ୍କ କାର୍ଯ୍ୟ ସମୟ ସକାଳ ୮.୩୦ରୁ ଅପରାହ୍ନ ୫ଟା ଯାଏ ରହିବ । ସେହିପରି ଦିଲ୍ଲୀ ସରକାରଙ୍କ କର୍ମଚାରୀମାନଙ୍କ କାର୍ଯ୍ୟ ସମୟ ଦିନ ୧୦ଟାରୁ ସନ୍ଧ୍ୟା ୬.୩୦ ଯାଏ ରହିବ । ସରକାରୀ ଓ ଘରୋଇ କ୍ଷେତ୍ରର ସଂସ୍ଥାଗୁଡିକ ୫୦% କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍‌ର ବ୍ୟବସ୍ଥା କରାଇବେ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ରାଜଧାନୀ ଦିଲ୍ଲୀର ପରିବେଶ ଶୀତଦିନେ ଅତିମାତ୍ରାରେ ପ୍ରଦୂଷିତ ହୋଇଯାଉଛି । ଏହାକୁ ରୋକିବାକୁ ଅତୀତରେ ସେଠାକାର ସରକାରୀ କେତେକ ପଦକ୍ଷେପ ନେଇଥିଲେ । ମହାନଗରରେ ଅଡ୍ ଇଭନ ନମ୍ବର ଗାଡ଼ି ଚଳାଚଳ କରାଇ ଯାନବାହନ ପ୍ରଦୂଷଣ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଥିରୁ ଆଶାଜନକ ସଫଳତା ମିଳିନାହିଁ । ପଡ଼ୋଶୀ ରାଜ୍ୟ ପଞ୍ଜାବ ଓ ହରିୟାଣାରେ କ୍ଷେତଗୁଡିକରେ ନିଆଁ ଲଗାଇ ଦିଆଯାଉଥିବାରୁ, ତାହା ମଧ୍ୟ ଦିଲ୍ଲୀ ପ୍ରଦୂଷଣ ମାତ୍ରାକୁ ଆହୁରି ବଢାଇ ଦିଆଯାଉଛି । ସରକାରଙ୍କ ଏହି ଆଗୁଆ ପଦକ୍ଷେପ କେତେ ମାତ୍ରାରେ ପ୍ରଦୂଷଣକୁ ରୋକି ପାରୁଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।