Detain jail

ମାତୃହନ୍ତାକୁ ଜୋରିମାନା ସହ ଆଜୀବନ ଜେଲ୍

ରାଜ୍ୟ

ବାରିପଦା: ଆଜି ବୁଧବାର ଏକ  ହତ୍ୟା ମାମଲାର ବିଚାରକରି ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ(ଦ୍ୱିତୀୟ ) ସୁମନ କୁମାର ମିଶ୍ର ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅନ୍ତର୍ଗତ ଚିଆଁପଦା ଗ୍ରାମର କାହ୍ନୁ କିସ୍କୁ (31) କୁ ଭାରତୀୟ ନ୍ୟାୟ ସଂହିତା ଦଫା 103(1) ରେ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ଦୁଇ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି  l

ମାମଲାର ବିବରଣୀ ରୁ ପ୍ରକାଶ ଯେ 2025 ମାର୍ଚ୍ଚ 7 ତାରିଖ ଦିନ ଉକ୍ତ ଗ୍ରାମର ଜବା କିସ୍କୁ  ବୋବେଇ ଘାସ କୁ ଝାଡୁ ତିଆରି କରିବା ପାଇଁ  ଘରେ ରଖିଥିଲେ l ଅଭିଯୁକ୍ତ ପୁଅ କାହ୍ନୁ କିସ୍କୁ ବୋବେଇ ଘାସ ଗୁଡିକୁ ଏଣେ ତେଣେ ଫିଙ୍ଗା ଫାପଡା କରୁଥିଲା l ଏଥିରେ ମା ଜବା କିସ୍କୁ ପୁଅ କାହ୍ନୁ ଉପରେ ବିରକ୍ତ ହେବାରୁ ସିଏ ଉତ୍ୟକ୍ତ ହୋଇ ଏକ ବାଡ଼ିରେ ମା ଜବ କୁ ମୁଣ୍ଡରେ ଆଘାତ କରିଥିଲା l ଫଳରେ ମୁଣ୍ଡରୁ ଅତ୍ୟଧିକ ରକ୍ତସ୍ରାବ ହେବାରୁ ଜବା କିସ୍କୁ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା l ଏ ବାବଦରେ ଜବା କିସ୍କୁ ର ସାନ ପୁଅ ମହାନ୍ତି କିସ୍କୁ ର ଅଭିଯୋଗ ମୁତାବକ ଶୁଳିଆପଦା ଥାନାରେ କେସ ନମ୍ବର 39/7-3-2025  ରେ ଏକ ହତ୍ୟା  ମାମଲା ରୁଜୁ କରାଯାଇ ଅଭିଯୁକ୍ତ କାହ୍ନୁ କିସ୍କୁ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା l

ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ 12  ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ଉକ୍ତ କେସକୁ ସରକାରୀ ଅଭିଯୋଗକ ସତ୍ୟବ୍ରତ ମହାନ୍ତି ଏବଂ ଗଣେଶ୍ୱର ସାହୁ ପରିଚାଳନା କରୁଥିବାବେଳେ ଜିଲ୍ଲା ଅଭିଯୋଗକ ନିର୍ଦେଶାଳୟ ତରଫରୁ କେସକୁ ନିରୀକ୍ଷଣ କରାଯାଉଥିଲା l