ବାରିପଦା : ଆଜି ବାମନଘାଟି ଉପଖଣ୍ଡ ର ରାଇରଙ୍ଗପୁର ପୋଲିସ ଜିଲ୍ଲା ପକ୍ଷରୁ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ରଞ୍ଜନ କୁମାର ସେଠୀ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସହରର ସୁନାଗହଣା ଦୋକାନୀ ମାନଙ୍କୁ ନେଇ ଏକ ବୈଠକ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଉପଖଣ୍ଡରେ ହେଉଥିବା ବର୍ଦ୍ଧିତ ଚୋରି, ଲୁଟ୍ ଓ ଅପରାଧ କୁ ରୋକିବା ପାଇଁ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଏକ ସୁନ୍ଦର ପ୍ରୟାସ ଆରମ୍ଭ କରିଛି। ସହରର ସୁନାଗହଣା ଦୋକାନୀ ମାନଙ୍କ ସହିତ ଥାନା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ସୁନା ଦୋକାନ ଗୁଡିକର ସୁରକ୍ଷା, ସିସିଟିଭି (CCTV) ଲଗାଇବା, ସନ୍ଦିଗ୍ଧ ବ୍ୟକ୍ତିଙ୍କ ଚିହ୍ନଟ ଏବଂ ଅସାମାଜିକଙ୍କ ପ୍ରତି ସନ୍ଦେହ ହେଲେ ଆବଶ୍ୟକ ସ୍ଥଳେ ପୋଲିସକୁ ତୁରନ୍ତ ସୂଚନା ଦେବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରା ଯାଇଥିଲା। ସୁନାଗହଣା ଦୋକାନ ଭିତରେ ଓ ବାହାରେ ଉନ୍ନତ ମାନର ସିସିଟିଭି କ୍ୟାମେରା ଲଗାଇବା ବୈଠକର ମୁଖ୍ୟ ପ୍ରସଙ୍ଗ ରହିଥିଲା। ଅଜଣା ବ୍ୟକ୍ତି , ହେଲମେଟ ପିନ୍ଧିକି ଦୋକାନ ରେ ପ୍ରବେଶ କରୁଥିବା ବ୍ୟକ୍ତି କିମ୍ବା ମାସ୍କ ପିନ୍ଧି ଆସୁଥିବା ଗ୍ରାହକଙ୍କ ପ୍ରତି ସତର୍କ ରହିବା ପାଇଁ ପରାମର୍ଶ ଦିଆ ଯାଇଥିଲା। ବିନା ପରିଚୟ ପତ୍ରରେ କିମ୍ବା ଅଜଣା ଅପରିଚିତ ଲୋକଙ୍କ ଠାରୁ ପୁରୁଣା ସୁନା, ରୁପା ନ କିଣିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ। ରାତ୍ରୀ ସମୟରେ ଦୋକାନର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ବେଶୀ ରାତି ନ କରି ନିର୍ଦ୍ଦିଷ୍ଟ ଏକ ସମୟରେ ଦୋକାନ ବନ୍ଦ କରିବାକୁ କହିଛନ୍ତି ଥାନା ଅଧିକାରୀ। ଅପ୍ରିତୀକର ପରିସ୍ଥିତି ରେ ସୁରକ୍ଷା ପାଇଁ ପୋଲିସର ପରାମର୍ଶ ସହ ସନ୍ଦିଗ୍ଧ ଲୋକ ଦେଖିଲେ ତୁରନ୍ତ ସ୍ଥାନୀୟ ପୋଲିସ ଷ୍ଟେସନ କୁ ଜଣାଇବା ପାଇଁ ନିବେଦନ କରାଯାଇଛି।ଜରୁରୀକାଳୀନ ସହାୟତା ପାଇଁ ୧୧୨ ରେ କଲ୍ କରି ପୋଲିସର ସାହାଯ୍ୟ ନେଇ ପାରିବେ ବୋଲି କହିଛନ୍ତି। ଆଜିର ଉକ୍ତ ବୈଠକରେ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ରଞ୍ଜନ କୁମାର ସେଠୀ ଙ୍କ ସହ ସହରର ସୁନାଗହଣା ଦୋକାନୀ ସଞ୍ଜୟ କୁମାର ପରିଡ଼ା, ମନୋଜ ସୋନୀ, ଲୋକେଶ ସୋନୀ, ରାହୁଲ ସୋନୀ, କେଦାର ନାଥ ପରିଡା, ସନ୍ତୋଷ କର୍ମକାର, କିଶୋର କର୍ମକାର, ରାମେଶ୍ବର ପରିଡ଼ା, ବୃହସ୍ପତି ପରିଡ଼ା, ଦୀପେଶ ସୋନୀ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ସହରର ବିଭିନ୍ନ ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କ ସହିତ ବୈଠକ ରେ ଉପରୋକ୍ତ ସମ୍ପର୍କୀତ ଆଲୋଚନା କରିଥିଲେ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ। ଚୋରି, ଲୁଟ ଓ ଅପରାଧ ରୋକିବା ପାଇଁ ବ୍ୟାଙ୍କ ଗୁଡ଼ିକ ରେ ଉନ୍ନତ ମାନର ସିସିଟିଭି, ସାଇରନ ସିଷ୍ଟମ ଏବଂ ସିକ୍ୟୁରିଟି ମୁତୟନ ପାଇଁ ପରାମର୍ଶ ଦେଇଥିଲେ। କିଭଳି ରାଇରଙ୍ଗପୁର ସହରରେ ଏସବୁ ଅପରାଧ ନିୟନ୍ତ୍ରଣ କରିହେବ ସେ ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ।
