IMG 20260922 WA0235

୨୪ରେ ରାଇରଙ୍ଗପୁର ବିକାଶ ନଗରରେ ହେବ ୟୁନିଟ୍ ରନ୍ କ୍ୟାଣ୍ଟିନ୍‌ର ଉଦ୍‌ଘାଟନ 

ରାଜ୍ୟ
  • ଉପକୃତ ହେବେ ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ସେନାକର୍ମୀ ଓ ପୂର୍ବତନ ସେନାକର୍ମୀ  
ବାରିପଦା: ସେନାବାହିନୀର ଅବସରପ୍ରାପ୍ତ ଓ କାର୍ଯ୍ୟରତ ସେନାକର୍ମୀ, ପୂର୍ବତନ ସେନାକର୍ମୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ସୁବିଧା ନିମନ୍ତେ ଏକ ୟୁନିଟ୍ ରନ୍ କ୍ୟାଣ୍ଟିନ୍‌ର ଶୁଭ ଉଦ୍‌ଘାଟନ ୨୪ ସେପ୍ଟେମ୍ବର ୨୦୨୬ ତାରିଖରେ ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେବ।
ଏହି ଉଦଘାଟନ ଉତ୍ସବକୁ ନେଇ ପୁରାତନ ସୈନ୍ୟ ବାହିନୀ ଅଧିକାରୀ ମେଜର ଦେବେନ୍ଦ୍ର ନାଥ ଦାସ, କ୍ୟାପଟେନ ଗୁରୁ ଚରଣ ହେମ୍ବ୍ରମ, ଫ୍ଲାୟିଙ୍ଗ ଅଫିସର ଜୟ ନାରାୟଣ ବେହେରା ଓ ସୁବେଦାର ମେଜର ପ୍ରଶାନ୍ତ କୁମାର ଗିରିଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ
ଏହି  ଅବସରରେ ମେଜର ଦାସ କହିଥିଲେ ଯେ ଏହି କ୍ୟାଣ୍ଟିନ୍ ସ୍ଥାପନ ଦ୍ୱାରା ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ସହ ରାଇରଙ୍ଗପୁର ତଥା ଏହାର ଆଖପାଖ ଅଞ୍ଚଳରେ ରହୁଥିବା ସେନାକର୍ମୀ, ପୂର୍ବତନ ସେନାକର୍ମୀ ଏବଂ ସେମାନଙ୍କ ପରିବାରବର୍ଗ ଆବଶ୍ୟକୀୟ କ୍ୟାଣ୍ଟିନ୍ ସାମଗ୍ରୀ ପାଇବାରେ ଅଧିକ ସୁବିଧା ପାଇପାରିବେ। ଏହା ଦ୍ୱାରା ସେମାନଙ୍କୁ ଦୂରସ୍ଥ ସ୍ଥାନକୁ ଯାତାୟାତ କରିବାର ଆବଶ୍ୟକତା ମଧ୍ୟ ହ୍ରାସ ପାଇବ।
ଏହି କ୍ୟାଣ୍ଟିନ ରାଇରଙ୍ଗପୁର ସହରର ବିକାଶ ନଗର ସ୍ଥିତ ସ୍ୱଜଳ ଧାରା ଗୃହ ଠାରେ କାର୍ଯ୍ୟ କରିବ ଏବଂ ତା ୨୪-୦୯-୨୦୨୬ ରିଖ ପୂର୍ବାହ୍ନ ୯ ଘଟିକା ସମୟରେ ଛତିଶଗଡ଼ ଓ ଓଡିଶା ସବ ଏରିଆର କମାଣ୍ଡର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିବେ।
ଉଦ୍‌ଘାଟନୀ ଅବସରରେ ସେନାବାହିନୀର ଅଧିକାରୀ, ପୂର୍ବତନ ସେନାକର୍ମୀ, ସ୍ଥାନୀୟ ପ୍ରଶାସନର ଅଧିକାରୀ, ବିଭିନ୍ନ ବିଭାଗର ପ୍ରତିନିଧି ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିବେ। ରାଇରଙ୍ଗପୁର ଅଞ୍ଚଳରେ ୟୁନିଟ୍ ରନ୍ କ୍ୟାଣ୍ଟିନ୍‌ର ଶୁଭାରମ୍ଭ ସେନାକର୍ମୀ ଓ ପୂର୍ବତନ ସେନାକର୍ମୀଙ୍କ କଲ୍ୟାଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ସୁବିଧା ଭାବେ ପରିଗଣିତ ହେବ।