IMG 20260917 WA0213

ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ ଜିଲ୍ଲାସ୍ତରୀୟ ‘ସମୂହ ଆଶୀର୍ବାଦର ଦୀପଦାନ’

ରାଜ୍ୟ

୩୦୦ରୁ ଊର୍ଦ୍ଧ୍ୱ ମହିଳା ସଦସ୍ୟାଙ୍କ ସାମୂହିକ ଅଂଶଗ୍ରହଣ

ବାରିପଦା : ବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିର ନିକଟରେ ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ ଜିଲ୍ଲା ମିଶନ ଶକ୍ତି ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ‘ସମୂହ ଆଶୀର୍ବାଦର ଦୀପଦାନ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ଜିଲ୍ଲାସ୍ତରୀୟ ଫେଡେରେସନ୍ ଏବଂ ବ୍ଲକସ୍ତରୀୟ ଫେଡେରେସନ୍‌ର ୩୦୦ରୁ ଊର୍ଦ୍ଧ୍ୱ ମହିଳା ସଦସ୍ୟା ଯୋଗଦେଇ ସମୂହ ଦୀପଦାନ କରିଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରିଥିଲେ । ଏହି ଅବସରରେ ସେ ସେବା ସଂକଳ୍ପ ଅଭିଯାନର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ସାମୂହିକ ପ୍ରୟାସ ଓ ସହଭାଗିତା ମାଧ୍ୟମରେ ମହିଳା ସଶକ୍ତିକରଣକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସଂଯୁକ୍ତା ମହାରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ମହିଳା ସଦସ୍ୟାମାନଙ୍କୁ ଉତ୍ସାହିତ କରିଥିଲେ । ନିଜ ବକ୍ତବ୍ୟରେ ସେ ମହିଳାମାନଙ୍କ ସାମୂହିକ ସହଭାଗିତା, ଆତ୍ମନିର୍ଭରତା ଓ ସେବା ମନୋଭାବର ଗୁରୁତ୍ୱ ଉପରେ ପ୍ରକାଶ କରିବା ସହ ଏକତା ଓ ପରସ୍ପର ସହଯୋଗ ମାଧ୍ୟମରେ ନିଜ ପରିବାର ଓ ସମାଜର ପ୍ରଗତିରେ ମହିଳାମାନେ ଅଧିକ ସକ୍ରିୟ ଭୂମିକା ତୁଲାଇବାକୁ ଆହ୍ୱାନ ଦେଇଥିଲେ ।
 ଦୀପଦାନ ପୂର୍ବରୁ ମହିଳା ସଦସ୍ୟାମାନଙ୍କ ପକ୍ଷରୁ ବିଭିନ୍ନ ରଙ୍ଗରେ ଆକର୍ଷଣୀୟ ରଙ୍ଗୋଲି ପ୍ରସ୍ତୁତ କରାଯାଇଥିଲା । ସୁନ୍ଦର ଭାବେ ପ୍ରସ୍ତୁତ ରଙ୍ଗୋଲି ମଧ୍ୟରେ ଦୀପ ସ୍ଥାପନ କରାଯାଇ ସମସ୍ତେ ଏକତ୍ରିତ ଭାବେ ଦୀପ ପ୍ରଜ୍ୱଳନ କରିଥିଲେ । ଅନେକ ଦୀପର ଆଲୋକରେ କାର୍ଯ୍ୟକ୍ରମସ୍ଥଳ ଆଲୋକିତ ହୋଇ ସେବା, ଏକତା ଓ ସାମୂହିକ ସଂକଳ୍ପର ଏକ ମନୋରମ ପରିବେଶ ସୃଷ୍ଟି ହୋଇଥିଲା । ସାମୂହିକ ଅଂଶଗ୍ରହଣରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସେବା, ସମର୍ପଣ, ଏକତା ଓ ସାମୂହିକ ସଂକଳ୍ପର ଏକ ସୁନ୍ଦର ପ୍ରତୀକ ଭାବେ ପରିଲକ୍ଷିତ ହୋଇଥିଲା ।
ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ  ନିରଞ୍ଜନ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ମିଶନ ଶକ୍ତି ବିଭାଗର ସମନ୍ୱୟରେ କାର୍ଯ୍ୟକ୍ରମଟି ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶା ଜୀବିକା ମିଶନ୍ ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ନବୀନ ସେନାପତି ସମେତ ବିଭାଗୀୟ କର୍ମକର୍ତ୍ତା ଓ କର୍ମଚାରୀଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫେଡେରେସନ୍‌ର ମହିଳା ସଦସ୍ୟାମାନେ ଉତ୍ସାହର ସହ ଅଂଶଗ୍ରହଣ କରି ସଫଳ କରିଥିଲେ ।