ନୂଆଦିଲ୍ଲୀ : ଟର୍କିସ୍-ଏୟାରଲାଇନ୍ସ ଭୟଙ୍କର ଝଟକା । ଇସ୍ତାନବୁଲ୍-ଟ୍ୟୁନିସିଆ ବିମାନ ଦୁର୍ଘଟଣା ଟଳିଲା । ୩ ଥର ଅସଫଳ ଅବତରଣ ହେବା ପରେ ବିମାନକୁ ଡାଇଭର୍ଟ କରାଯାଇଛି । ଖରାପ ପାଗ ଯୋଗୁଁ ବଡ଼ ଝଟକା ଲାଗିଛି । ଇସ୍ତାନବୁଲରୁ ଟ୍ୟୁନିସିଆ ଯାଉଥିବା ଏକ ଟର୍କିସ୍ ଏୟାରଲାଇନ୍ସର ବିମାନ ଖରାପ ପାଗ ଯୋଗୁଁ ଆକାଶରେ ପ୍ରବଳ ଝଟକାର ସାମ୍ନା କରିଛି । ତେବେ ପାଇଲଟଙ୍କ ସୂଚନା ଓ ଧୈର୍ଯ୍ୟ ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ବିମାନଟି ଅନ୍ୟ ଏକ ଏୟାରପୋର୍ଟରେ ସୁରକ୍ଷିତ ଭାବେ ଅବତରଣ କରିଛି ।
ଖବର ମୁତାବକ, ବିମାନଟି ଇସ୍ତାନବୁଲରୁ ଟ୍ୟୁନିସିଆ ଅଭିମୁଖେ ଉଡ଼ାଣ ଭରିଥିବା TK 661 ଟ୍ୟୁନିସିଆର ଟ୍ୟୁନିସ୍-କାର୍ଥେଜ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇବା ସମୟରେ ବିମାନଟି ପ୍ରବଳ ଝଡ଼ର ସାମ୍ନା କରିଥିଲା । ଖରାପ ପାଗ ଯୋଗୁଁ ପାଇଲଟ୍ ମାନେ ତିନି ଥର ଅବତରଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ପ୍ରତ୍ୟେକ ଥର ଚେଷ୍ଟା କରିବା ବେଳେ ବିମାନରେ ଅଧିକ ଝଟକା ଅନୁଭୂତ ହୋଇଥିଲା । ବିମାନ ଭିତରେ ଥିବା ଯାତ୍ରୀମାନେ ଭୟରେ ଚିତ୍କାର କରୁଥିବାର ଭିଡିଓ ଭାଇରଲ ହେଉଛି । ଯାତ୍ରୀମାନେ ଭୟଭୀତ ହୋଇ ଚିତ୍କାର କରିଥିଲେ ।
ବିପଦକୁ ଦେଖି ପାଇଲଟ୍ ବିମାନର ଗତିପଥ ବଦଳାଇ ଦେଇଥିଲେ । ୬୦ ମାଇଲ୍ ଦୂରରେ ଥିବା ଏନଫିଧା-ହାମାମେଟ୍ ଅନ୍ତର୍ଜାତୀୟ ବିମାନବନ୍ଦରକୁ ନିଆଯାଇଥିଲା । ସେଠାରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା । ସୌଭାଗ୍ୟବଶତଃ କୌଣସି ଯାତ୍ରୀ ବା କ୍ରୁ ମେମ୍ବର ଗୁରୁତର ଆହତ ହୋଇନାହାନ୍ତି ।
