Modi

LACରୁ PLA ସୈନ୍ୟ ପ୍ରତ୍ୟାହାର କଲା ଚୀନ, ସୁଧୁରୁଛି ସମ୍ପର୍କ

ଦେଶ - ବିଦେଶ

ନୂଆଦିଲ୍ଲୀ : BRICS ସମ୍ମିଳନୀ ସମାପ୍ତ ହେବା ପରେ ଭାରତ-ଚୀନ୍ ସମ୍ପର୍କ ପୁଣି ଥରେ ସୁଧୁରୁଥିବା ଦେଖିବାକୁ ମିଳିଛି । ଭାରତ ସୀମା ନିକଟରେ ବାସ୍ତବ ନିୟନ୍ତ୍ରଣ ରେଖା (LAC)ରେ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି (PLA)ର ସେନା ହ୍ରାସ ହୋଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟରେ ଏହା ପ୍ରକାଶ ପାଇଛି ।

ରକ୍ଷା ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ, ୨୦୨୫ ମସିହାରେ ଉତ୍ତର ସୀମା ସମ୍ମୁଖରେ PLAର ସେନାରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । LAC ନିକଟବର୍ତ୍ତୀ ଚୀନ୍ର ଅଞ୍ଚଳ ଏବଂ ପାରମ୍ପରିକ ପ୍ରଶିକ୍ଷଣ କ୍ଷେତ୍ରରେ ପ୍ରାୟ ୧୦ଟି ଲେଖାଏଁ କମ୍ବାଇନ୍ଡ ଆର୍ମ୍ସ ବ୍ରିଗେଡ୍ ନିୟୋଜିତ ରହିଛନ୍ତି । ୨୦୨୪ରେ ଡିସଏଙ୍ଗେଜମେଣ୍ଟ ପ୍ରକ୍ରିୟା ପରେ ଚୀନ୍ ଏବେ ଭାରତୀୟ ସେନାର ଡି-ଏସ୍କେଲେସନ୍ ସର୍ତ୍ତ ମଧ୍ୟ ପୂରଣ କରୁଥିବା ଜଣାପଡିଛି । ସୈନ୍ୟଙ୍କୁ ସୀମାରୁ ସମ୍ପୂର୍ଣ୍ଣ ଭାବେ ପଛକୁ ହଟାଇ ବ୍ୟାରାକ୍କୁ ପଠାଇବାର ତୃତୀୟ ପର୍ଯ୍ୟାୟ ବାକି ରହିଛି । ଏହା ପୂରଣ ହେଲେ ୨୦୨୦ର ଗଲୱାନ୍ ଘାଟି ସଂଘର୍ଷ ପୂର୍ବର ସ୍ଥିତିକୁ LACରେ ଫେରାଇ ଆଣିବାର ରାସ୍ତା ଖୋଲିପାରେ ।

ଅନ୍ୟପଟେ ଅରୁଣାଚଳ ପ୍ରଦେଶର ଅପର ସୁବାନସିରି ଅଞ୍ଚଳରେ ଗତ ଏକ ମାସ ଧରି ଭାରତ ଓ ଚୀନ୍ ସେନା ମଧ୍ୟରେ ମୁହାଁମୁହିଁ ସ୍ଥିତି ଜାରି ରହିଛି । ଏହି ଗତିରୋଧ ଦୂର କରିବା ପାଇଁ ଦୁଇ ଦେଶର କୋର୍ କମାଣ୍ଡର ସ୍ତରରେ ଦୁଇଥର ବୈଠକ ମଧ୍ୟ ହୋଇଛି । ତଥାପି ଉତ୍ତେଜନା ସମ୍ପୂର୍ଣ୍ଣ ଭାବେ ଦୂର ହୋଇନାହିଁ । ପୂର୍ବ ଲଦାଖରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ LACର ସମସ୍ତ ସେକ୍ଟରରେ ଭାରତୀୟ ସେନା ଦୃଢ଼ ରହିଛି ଏବଂ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସେନା ପ୍ରସ୍ତୁତ ରହିଛି ।

ଚୀନର ଏକ କମ୍ବାଇନ୍ଡ ଆର୍ମ୍ସ ବ୍ରିଗେଡରେ ପ୍ରାୟ ୧୪ରୁ ୧୫ ହଜାର ସୈନ୍ୟ ରହିଥାନ୍ତି । ତେବେ ଚୀନର ପ୍ରାୟ ଦେଢ଼ ଲକ୍ଷ ସୈନ୍ୟ ରହିଥିବା ଅନୁମାନ କରାଯାଇପାରେ । ଗଲୱାନ୍ ଘାଟି ସଂଘର୍ଷ ସମୟରେ କେବଳ ପୂର୍ବ ଲଦାଖରେ ଚୀନ୍ ପ୍ରାୟ ଏକ ଲକ୍ଷ ସୈନ୍ୟ ନିୟୋଜିତ ରହିଥିଲେ ।

ସୂଚନାଯୋଗ୍ୟ, BRICS ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ । ବୈଠକରେ ଦୁଇ ଦେଶ ମଧ୍ୟରେ ମତଭେଦକୁ ବିବାଦରେ ପରିଣତ ନକରିବା ନେଇ ସହମତି ପ୍ରକାଶ ପାଇଥିଲା ।