IMG 20260911 WA0329

ଶିଶୁ ଅଧିକାର ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ବୈଠକ

ରାଜ୍ୟ
  • ସୁରକ୍ଷିତ ଶୈଶବ ପାଇଁ ସମନ୍ୱିତ ପଦକ୍ଷେପ ଓ ସୁଦୃଢ଼ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ
ବାରିପଦା: ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ରଙ୍କ ଅଧ୍ୟକ୍ଷତାରେ ମୟୂରଭଞ୍ଜ ଜିଲ୍ଲାରେ ଶିଶୁ ଅଧିକାର ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ନେଇ ଏକ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି  । ବୈଠକରେ ସମ୍ମାନିତ ଅତିଥି ଭାବେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ଯୋଗଦେଇ ପ୍ରତ୍ୟେକ ଶିଶୁର ସୁରକ୍ଷା, ଶିକ୍ଷା ଓ ଅଧିକାର ସୁନିଶ୍ଚିତ କରିବା ଆମ ସମସ୍ତଙ୍କ ସାମୂହିକ ଦାୟିତ୍ୱ। ସୁରକ୍ଷିତ ଶୈଶବ ହିଁ ସମୃଦ୍ଧ ଭବିଷ୍ୟତର ଭିତ୍ତି ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ବୈଠକର ସଂଚାଳନ କରିଥିଲେ ।
ମୟୂରଭଞ୍ଜ ଗସ୍ତ ସମୟରେ ଆୟୋଗ ପକ୍ଷରୁ ପରିଦର୍ଶନ କରାଯାଇଥିବା ବିଭିନ୍ନ ଶିଶୁ ଯତ୍ନ, ଶିକ୍ଷା ଓ ସୁରକ୍ଷା ଅନୁଷ୍ଠାନରେ ଶିଶୁମାନଙ୍କ ଯତ୍ନ, ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ଓ କଲ୍ୟାଣ ସମ୍ପର୍କିତ ବ୍ୟବସ୍ଥା ଉପରେ ସବିଶେଷ ତଥ୍ୟ ଆୟୋଗର ସଦସ୍ୟା  କସ୍ତୁରୀ ମିଶ୍ର ଉପସ୍ଥାପନ କରିଥିଲେ । ଏହି ଅନୁଧ୍ୟାନରୁ ପ୍ରାପ୍ତ ତଥ୍ୟ ଓ ଅନୁଭୂତି ଆଧାରରେ ବୈଠକରେ ବିଭିନ୍ନ ବିଷୟରେ ସମୀକ୍ଷା ଓ ଆଲୋଚନା ହୋଇଥିଲା ।
ଶିଶୁମାନଙ୍କ ପାଇଁ ସୁରକ୍ଷିତ, ନିରାପଦ ଓ ଶିଶୁ-ଅନୁକୂଳ ପରିବେଶ ସୁନିଶ୍ଚିତ କରିବା ସହିତ ଅବହେଳା, ନିର୍ଯାତନା, ଶୋଷଣ, ଶିଶୁ ଶ୍ରମ ଓ ଅନ୍ୟାନ୍ୟ ଅଧିକାର ଉଲ୍ଲଂଘନର ପ୍ରତିରୋଧ ଉପରେ ଅଧ୍ୟକ୍ଷା ଗୁରୁତ୍ୱାରୋପ କରିଥିଲେ । ଶିଶୁମାନଙ୍କ ଅଭିଯୋଗର ତ୍ୱରିତ ସମାଧାନ, ଆବଶ୍ୟକ ପରାମର୍ଶ ଓ ସହାୟତା, ପୁନର୍ବାସ ଏବଂ ପରିବାରଭିତ୍ତିକ ଯତ୍ନକୁ ପ୍ରାଥମିକତା ଦେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ପକ୍ସୋ ଆଇନ ଅଧୀନରେ ପୀଡ଼ିତ ଶିଶୁମାନଙ୍କୁ ଆବଶ୍ୟକ କାଉନସେଲିଂ, ଯତ୍ନ, ସହାୟତା ଓ ପୁନର୍ବାସ ସେବା ସୁନିଶ୍ଚିତ କରିବା ସହିତ ଶିଶୁ ଓ ପରିବାରକୁ ଆବଶ୍ୟକ ସରକାରୀ ଯୋଜନା ଓ ସେବା ସହ ସଂଯୋଜିତ କରିବା ଉପରେ ଆଲୋଚନା ହୋଇଥିଲା ।
ଜିଲ୍ଲାରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଶିଶୁ କଲ୍ୟାଣ ସମିତି, ଶିଶୁ ଯତ୍ନ ଅନୁଷ୍ଠାନ, ମହିଳା ଓ ଶିଶୁ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ପୁଲିସ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ସହିତ ଆବଶ୍ୟକ ସୁଧାରମୂଳକ ପଦକ୍ଷେପ ନେବାକୁ ଅଧ୍ୟକ୍ଷା ଶ୍ରୀମତୀ ପାତ୍ର ପରାମର୍ଶ ଦେଇଥିଲେ । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଶ୍ୱନାଥ ଦାସ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୌତମ କିସାନ, କରଞ୍ଜିଆ ଉପଜିଲ୍ଲାପାଳ ଦୟାସିନ୍ଧୁ ପରିଡ଼ା, ରାଇରଙ୍ଗପୁର ଉପଜିଲ୍ଲାପାଳ ଉଗ୍ରସେନ ଓରାମ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଞ୍ଜୁକ୍ତା ମହାରଣା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।