Dfda96f9 856a 4acc b012 3cb5f457c3ee

ଡାକ୍ତର କବି ପ୍ରସାଦ ମିଶ୍ରଙ୍କ ଉତ୍ସର୍ଗୀକୃତ ଜୀବନ ଓ ପ୍ରତିଭା ଆଜିର ସମାଜ ପାଇଁ ଆଦର୍ଶ

ରାଜ୍ୟ

ଡାକ୍ତର କବି ପ୍ରସାଦ ମିଶ୍ର ସ୍ମୃତି ପରିଷଦର ୧୪୮ତମ ମାସିକ ଆଲୋଚନାଚକ୍ର ସମ୍ପନ୍ନ

ଭୁବନେଶ୍ୱର,  :  ଡାକ୍ତର କବି ପ୍ରସାଦ ମିଶ୍ର ସ୍ମୃତି ପରିଷଦ ଆନୁକୂଲ୍ୟରେ ୧୪୮ତମ ମାସିକ ଆଲୋଚନା ଚକ୍ର ଓଡ଼ିଶା ଲେଖକ ସମବାୟ ସମିତି ପରିସରରେ ଶ୍ରୀ ପ୍ରଭାତ କୁମାର ନନ୍ଦଙ୍କ ସଭାପତିତ୍ୱରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଇଂ ପ୍ରଭାତ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିରଜା ପ୍ରସାଦ ଶତପଥୀ, ଇଂ ସୁବାସ ଚନ୍ଦ୍ର ସାହୁ ଏବଂ ମନୋଜ କୁମାର ଜେନା ବକ୍ତା ଓ ଆଲୋଚକ ଭାବେ ଯୋଗଦାନ କରିଥିଲେ। ଅତିଥି ଓ ବକ୍ତାଗଣ ଡାକ୍ତର ମିଶ୍ରଙ୍କ ବହୁମୁଖୀ ପ୍ରତିଭା, ମାନବ ସେବା, ସମାଜସେବା, ଆଧ୍ୟାତ୍ମିକ ଜୀବନଶୈଳୀ ଏବଂ ସାରସ୍ୱତ ଜଗତକୁ ତାଙ୍କର ଅତୁଳନୀୟ ଅବଦାନ ଉପରେ ସୁବିସ୍ତୃତ ଆଲୋଚନା କରିଥିଲେ। ବକ୍ତାମାନେ ନିଜ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ  “ଦୃଢ଼ ଆତ୍ମବିଶ୍ୱାସ, ଈଶ୍ୱରବିଶ୍ୱାସ ଏବଂ ଅକ୍ଳାନ୍ତ ପରିଶ୍ରମ ହିଁ ଥିଲା ଡାକ୍ତର ମିଶ୍ରଙ୍କ ଜୀବନ-ସଫଳତାର ମୂଳମନ୍ତ୍ର । ତାଙ୍କର ଉତ୍ସର୍ଗୀକୃତ ଜୀବନ ସଦାସର୍ବଦା ସମାଜର ହିତ ସାଧନ କରୁଥିଲା।” |

କାର୍ଯ୍ୟକ୍ରମର ପ୍ରାରମ୍ଭରେ ପରିଷଦର ସମ୍ପାଦକ ରମାକାନ୍ତ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଡାକ୍ତର ମିଶ୍ରଙ୍କ ଗହଣରେ ବିତାଇଥିବା ଅନେକ ଦୁର୍ଲଭ ଓ ଅନୁଭୂତିପୂର୍ଣ୍ଣ ମୁହୂର୍ତ୍ତ ଗୁଡ଼ିକୁ ମନେ ପକାଇଥିଲେ। ଡାକ୍ତର ମିଶ୍ରଙ୍କ ଅତି ଲୋକପ୍ରିୟ ପୁସ୍ତକ ‘ବାଇଶି ପାହାଚ’ କିପରି ଭାରତୀୟ ଆଠଟି ପ୍ରମୁଖ ଭାଷାରେ ଅନୂଦିତ ହୋଇ ଦେଶବ୍ୟାପୀ ତାଙ୍କର ଖ୍ୟାତି ଓ ଲୋକପ୍ରିୟତାକୁ ବୃଦ୍ଧି କରିଥିଲା, ସେ ସମ୍ପର୍କରେ ସମ୍ପାଦକ ଶ୍ରୀ ମିଶ୍ର ଆଲୋକପାତ କରିଥିଲେ।

ଶ୍ରୀ ସମିତ ରାଉତଙ୍କ ହୃଦୟସ୍ପର୍ଶୀ ଭଜନ ପରିବେଷଣ କାର୍ଯ୍ୟକ୍ରମକୁ ଆଧ୍ୟାତ୍ମିକମୟ କରିତୋଳିଥିଲା। ଶେଷରେ ସମସ୍ତ ଅତିଥି, ବକ୍ତା ଓ ସଭ୍ୟମାନଙ୍କୁ ସେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନାଚକ୍ରରେ ସହରର ଅନେକ ବୁଦ୍ଧିଜୀବୀ, ସାହିତ୍ୟିକ ଓ ସ୍ମୃତି ପରିଷଦର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଡାକ୍ତର ମିଶ୍ରଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।