Cm3

ୟୁଏଇ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆହ୍ୱାନ, ନିବେଶ ପାଇଁ ଅଛି ସବୁ ସୁବିଧା

ରାଜ୍ୟ

ଭୁବନେଶ୍ୱର  : ଓଡ଼ିଶାର ଶିଳ୍ପ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ୟୁଏଇ ନିବେଶକମାନଙ୍କୁ ସହଭାଗୀ ହେବା ପାଇଁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଦୁବାଇରେ ଆୟୋଜିତ ଓଡିଶା ନିବେଶକ ସମ୍ମିଳନୀ-ୟୁଏଇ- ୨୦୨୬ ରେ ପ୍ରାୟ ୪୦୦ ଜଣ ବ୍ୟବସାୟୀ, ନିବେଶକ ଓ ୟୁଏଇ ବ୍ୟବସାୟିକ ସମୁଦାୟର ପ୍ରତିନିଧି ଯୋଗଦେଇଥିଲେ ।

ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରାକୃତିକ ସମ୍ପଦ, ପ୍ରତିଯୋଗିତାମୂଳକ ଶକ୍ତି, ବନ୍ଦର, ଶିଳ୍ପ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ଓ ନିବେଶ ଅନୁକୂଳ ପରିବେଶକୁ ନିବେଶକଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ ।  ଏଲଏନଜି ଷ୍ଟୋରେଜ୍, ଗ୍ରୀନ୍ ଏନର୍ଜି, କୃତ୍ରିମ ବୁଦ୍ଧିମତ୍ତା ଡାଟା ସେଣ୍ଟର, ରେୟାର୍ ଆର୍ଥ୍, ଜାହାଜ ମରାମତି, ପ୍ରୋପେଲାଣ୍ଟ ଉତ୍ପାଦନ, ସାର ଓ ରସାୟନ, ହାଉସିଂ, ଷ୍ଟିଲ୍ ଓ ଡାଉନଷ୍ଟ୍ରିମ୍ ଶିଳ୍ପ ଭଳି କ୍ଷେତ୍ରରେ ନିବେଶ ସୁଯୋଗ ଉପରେ ଆଲୋଚନା ହୋଇଥିଲା ।

ଶିଳ୍ପ ମନ୍ତ୍ରୀ  ସମ୍ପଦ ଚନ୍ଦ୍ର ସ୍ୱାଇଁ ସରକାରଙ୍କ ସ୍ପିଡ୍, ସର୍ଟନିଟି ଆଣ୍ଡ ଏକ୍ଜିକ୍ୟୁସନ( ଶୀଘ୍ର, ନିଶ୍ଚିତତା ଓ କାର୍ଯ୍ୟାନ୍ୱୟନ) ନୀତି ଉପରେ ଗୁରୁତ୍ୱ ଦେଇ ନିବେଶକମାନଙ୍କୁ ପ୍ରକଳ୍ପର ପ୍ରତ୍ୟେକ ପର୍ଯ୍ୟାୟରେ ସରକାରୀ ସହଯୋଗର ଆଶ୍ୱାସନ ଦେଇଥିଲେ ।  କାର୍ଯ୍ୟକ୍ରମରେ ବରିଷ୍ଠ ସରକାରୀ ଅଧିକାରୀ, ଭାରତୀୟ କୂଟନୈତିକ ପ୍ରତିନିଧି ଓ ୟୁଏଇର ପ୍ରମୁଖ ଶିଳ୍ପପତିମାନେ ଉପସ୍ଥିତ ଥିଲେ ।  ଦୁବାଇ ରୋଡ୍ ଶୋ ଓଡ଼ିଶା-ୟୁଏଇ ଆର୍ଥିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ରାଜ୍ୟରେ ପୁଞ୍ଜି, ପ୍ରଯୁକ୍ତି, ଶିଳ୍ପ ଓ ନିଯୁକ୍ତି ସୃଷ୍ଟି ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି ।