IMG 20260906 WA0179

ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଦ୍ୱାରା ଦୁଇ ପ୍ରତିଭା ସମ୍ବର୍ଦ୍ଧିତ 

ରାଜ୍ୟ
ବାରିପଦା : ବାରିପଦା ଷ୍ଟେସନ ବଜାର ଅଂଚଳର ସଂଗ୍ରାମ ଦାସଙ୍କ ଝିଅ ଆକାଂକ୍ଷା ଦାସ ନିଜର ଉଦ୍ୟମ ବଳରେ ବ୍ରିଟେନର ପ୍ରତିଷ୍ଠିତ “କୋମନୱେଲଥ ସ୍କଲାରସିପ” ପାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି I ସେ ଇଂଲଣ୍ଡର ପ୍ରସିଦ୍ଧ ନଟିଂହାମ ବିଶ୍ୱବିଦ୍ୟାଳୟରେ ମାଷ୍ଟର୍ସ ଡିଗ୍ରୀ ଅଧ୍ୟୟନ କରିବେ I ତାଙ୍କର ଏହି ଉଚ୍ଚଶିକ୍ଷା ଓ ଗବେଷଣା ଦେଶ ପାଇଁ ସଫଳତା ଆଣିଦେବ ବୋଲି ସେ ପ୍ରକାଶ କରିଥିଲେ I ଅନ୍ୟ ପ୍ରତିଭା ଜଣଙ୍କ ବାରିପଦା ବ୍ଲକ ଅନ୍ତର୍ଗତ ରାଧିକାଶୋଳ ଗ୍ରାମର ଅତି ସାଧାରଣ ଚାଷୀ ଲକ୍ଷ୍ମୀଧର ଟୁଡୁଙ୍କ ଝିଅ ସନ୍ଧ୍ୟାରାଣୀ ଟୁଡୁ ନିଜର ଦୃଢ ଇଛାଶକ୍ତି ଓ କଠୋର ପରିଶ୍ରମ ବଳରେ ନିକଟ ଅତୀତରେ ଦେଶ ପାଇଁ ଚୀନ ଠାରେ ଅନୁଷ୍ଠିତ ରଗବି ଚମ୍ପିୟାନସିପରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଥିଲେ I
ଦୁଇ ଉଦୀୟମାନ ପ୍ରତିଭାଙ୍କୁ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇ ଉତ୍ସାହିତ କରାଯାଇଛି I ସାଧାରଣ ସମ୍ପାଦକ ବିଜୟ କୁମାର ଦାସଙ୍କ ସଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ହରପ୍ରସାଦ ପାତ୍ର, ବରିଷ୍ଠ ସଦସ୍ୟ ରତିକାନ୍ତ ବେହେରା, ଉମେଶ ସାହୁ, ଆକାଂକ୍ଷାଙ୍କ ପିତା ସଂଗ୍ରାମ ଦାସ ପ୍ରମୁଖ ଉପସ୍ଥିତ ଥିଲେ I ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଦୁଇ ପ୍ରତିଭାଙ୍କ ସମେତ ଭାରତୀୟ ରଗବି ଦଳର ପୂର୍ବତନ ଅଧିନାୟକ ପାର୍ବତୀ ହାଁସଦା ଉପସ୍ଥିତ ଛାତ୍ରଛାତ୍ରୀ, ଯୁବ ଖେଳାଳୀ ଓ ଅଭିଭାବକ ମାନଙ୍କୁ ନିଜନିଜର ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ I