ଭୁବନେଶ୍ବର: ଦୁର୍ନୀତି ମାମଲାରେ ପୂର୍ବତନ କଲେକ୍ଟର ଦୋଷୀ । ୩ ଜଣଙ୍କୁ ବର୍ଷେ ଲେଖାଏଁ ସଶ୍ରମ କାରାଦଣ୍ଡ । ଦୁର୍ନୀତି ମାମଲାରେ ପୂର୍ବତନ ଢେଙ୍କାନାଳ ଜିଲ୍ଲାପାଳଙ୍କ ସମେତ ୩ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବର୍ଷେ ଜେଲ୍, ପେନସନ୍ ବନ୍ଦ ପାଇଁ ପଦକ୍ଷେପ ନେବ ଭିଜିଲାନ୍ସ ବିଭାଗ । ପ୍ରାୟ ୯ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହେରଫେର ମାମଲାରେ ପୂର୍ବତନ ଢେଙ୍କାନାଳ ଜିଲ୍ଲାପାଳଙ୍କ ସମେତ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଦୋଷୀ ସାବ୍ୟସ୍ତ ହୋଇଥିବା ୩ ଜଣ ହେଲେ ଅବସରପ୍ରାପ୍ତ IAS ଅଧିକାରୀ ତଥା ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ନିତ୍ୟାନନ୍ଦ ମହାନ୍ତି, DRDAର ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ସୂର୍ଯ୍ୟନାରାୟଣ ଦାସ ଏବଂ ତତ୍କାଳୀନ ପରିବହନ ଠିକାଦାର ସତ୍ୟାନନ୍ଦ ବଳସାମନ୍ତ । ଢେଙ୍କାନାଳର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରତ୍ୟେକଙ୍କୁ ଏକ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହ ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଅଭିଯୋଗ ଅନୁଯାୟୀ, ୨୦୦୧-୦୨ରେ ନିତ୍ୟାନନ୍ଦ ମହାନ୍ତି ଢେଙ୍କାନାଳ ଜିଲ୍ଲାପାଳ ଥିବା ସମୟରେ ସୂର୍ଯ୍ୟନାରାୟଣ ଦାସ ତତ୍କାଳୀନ ପିଡି, ଡିଆର୍ ଡିଏ ଭାବେ ଦାୟିତ୍ୱରେ ଥିଲେ । ଏଫ୍ ସିଆଇ ଗୋଦାମରୁ ବିଭିନ୍ନ ବ୍ଲକ୍ ଓ ଗ୍ରାମପଞ୍ଚାୟତ ମୁଖ୍ୟାଳୟକୁ ଚାଉଳ ଓ ଗହମ ପରିବହନ ପାଇଁ ଅଧିକ ହାର ଧାର୍ଯ୍ୟ କରାଯାଇଥିଲା । ଓଡ଼ିଶା ସିଭିଲ୍ ସପ୍ଲାଏ କର୍ପୋରେସନ୍ ଦ୍ୱାରା ନିର୍ଦ୍ଧାରିତ ପରିବହନ ହାରକୁ ଅନୁସରଣ ନକରି ଅଧିକ ଦରରେ ପରିବହନ ଖର୍ଚ୍ଚ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ତତ୍କାଳୀନ PD, DRDA ସୂର୍ଯ୍ୟନାରାୟଣ ଦାସ ପରିବହନ ପାଇଁ ରଖିଥିବା ଅଧିକ ଦରକୁ ତତ୍କାଳୀନ ଜିଲ୍ଲାପାଳ ନିତ୍ୟାନନ୍ଦ ମହାନ୍ତି ଅନୁମୋଦନ କରିଥିଲେ। ସରକାରୀ ନିୟମକୁ ଉଲ୍ଲଂଘନ କରି ଠିକାଦାରଙ୍କଠାରୁ ନିଆଯାଇଥିବା ହ୍ୟାଣ୍ଡ କୋଟେସନ୍ ଆଧାରରେ ଅଧିକ ଦରରେ ଟଙ୍କା ପ୍ରଦାନ କରାଯାଇଥିବା ଭିଜିଲାନ୍ସ ତଦନ୍ତରେ ସାମ୍ନାକୁ ଆସିଥିଲା ।
ଏହାଦ୍ୱାରା ସରକାରୀ ରାଜକୋଷକୁ ପ୍ରାୟ ୯ ଲକ୍ଷ ଟଙ୍କାର ଆର୍ଥିକ କ୍ଷତି ହୋଇଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ମାମଲା ରୁଜୁ କରି ପରବର୍ତ୍ତୀ ସମୟରେ ୩ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା । ଏବେ କୋର୍ଟ ସମସ୍ତ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟଙ୍କ ରାୟ ପରେ ଦୁଇ ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଆଉ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି ଓଡ଼ିଶା ଭିଜିଲାନ୍ସ। ପୂର୍ବତନ ଜିଲ୍ଲାପାଳ ନିତ୍ୟାନନ୍ଦ ମହାନ୍ତି ଏବଂ ପୂର୍ବତନ PD, DRDA ସୂର୍ଯ୍ୟନାରାୟଣ ଦାସଙ୍କ ପେନସନ୍ ବନ୍ଦ କରିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟକୁ ଯିବ ଭିଜିଲାନ୍ସ ।
