Images (2)

ନେପାଳ ବନ୍ୟାରେ ନିଖୋଜ ଥିବା ବାରିପଦାର ଝିଅ କୁଲସୁମ୍ ସୁରକ୍ଷିତ: ପରିବାର ସହ ଫୋନ୍‌ରେ କଥା ହେବା ପରେ ଫେରିଲା ଆଶ୍ୱସ୍ତି

ରାଜ୍ୟ

ବାରିପଦା, ୨୭ ଅଗଷ୍ଟ: ନେପାଳରେ ଘଟିଥିବା ପ୍ରଳୟଙ୍କାରୀ ବନ୍ୟା ମଧ୍ୟରେ ଟ୍ରେକିଂରେ ଯାଇ ନିଖୋଜ ଥିବା ବାରିପଦାର ଝିଅ କୁଲସୁମ୍ ନିଗାର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି। ଗୁରୁବାର ରାତି ପ୍ରାୟ ୯ଟା ସମୟରେ କୁଲସୁମ୍ ନିଜ ପରିବାର ସହ ଫୋନ୍ ଯୋଗେ କଥା ହୋଇ ସେ ଏବଂ ତାଙ୍କ ଟିମ୍ ସୁରକ୍ଷିତ ଥିବା ଜଣାଇବା ପରେ ଦୀର୍ଘ ସମୟର ଉତ୍କଣ୍ଠା ଓ ଆଶଙ୍କାର ଅନ୍ତ ଘଟିଛି।

ସୂଚନା ଅନୁଯାୟୀ, ବାରିପଦା ପୌରପରିଷଦ ଅନ୍ତର୍ଗତ ୨୩ ନମ୍ବର ୱାର୍ଡ ଅଞ୍ଚଳର ଶେଖ୍ ସଲାମତ ଉଲ୍ଲାଙ୍କ ୨୧ ବର୍ଷୀୟା ଝିଅ କୁଲସୁମ୍ ନିଗାର ଟ୍ରେକିଂ ପାଇଁ ଗତ ଅଗଷ୍ଟ ୨୧ ତାରିଖରେ ବାରିପଦାରୁ ବସ୍ ଯୋଗେ କୋଲକାତା ଯାଇଥିଲେ। ସେଠାରୁ ନିଜ ବାନ୍ଧବୀଙ୍କ ସହିତ ମିଥିଳା ଏକ୍ସପ୍ରେସ୍ ଯୋଗେ ବିହାରର ରକ୍ସୌଲ୍‌ରେ ପହଞ୍ଚିଥିଲେ। ପରେ ଏକ ୧୨ ଜଣିଆ ଟିମ୍ ସହିତ ସାମିଲ ହୋଇ ଅଗଷ୍ଟ ୨୨ ତାରିଖରେ ନେପାଳର ପୋଖରାରେ ପହଞ୍ଚିଥିଲେ।

ଗତ ୨୫ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ କୁଲସୁମ୍ ଶେଷ ଥର ପାଇଁ ପରିବାର ଲୋକଙ୍କ ସହ ଫୋନ୍‌ରେ କଥା ହୋଇ ଟ୍ରେକିଂ ସମୟରେ ନେଟୱାର୍କ ନ ଥିବାରୁ ଫେରିବା ପରେ ଯୋଗାଯୋଗ କରିବେ ବୋଲି ଜଣାଇଥିଲେ। ମାତ୍ର ଏହା ପରେ ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ଖବର ପାଇ ପରିବାର ଲୋକେ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଖୋଜଖବର ମିଳିପାରି ନ ଥିଲା।

କୁଲସୁମ୍ ନିଖୋଜ ଥିବା ଖବର ପ୍ରଚାରିତ ହେବା ପରେ ବାରିପଦା ପୌରପରିଷଦର ନଗରପାଳ କୃଷ୍ଣାନନ୍ଦ ମହାନ୍ତି ତାଙ୍କ ବାସଭବନରେ ପହଞ୍ଚି ପରିବାର ଲୋକଙ୍କୁ ଭେଟି ଆଶ୍ୱାସନା ଦେଇଥିଲେ ଏବଂ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରିବାର ପକ୍ଷରୁ ମଧ୍ୟ ଜିଲ୍ଲା ପ୍ରଶାସନ, ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ତଥା ନେପାଳ ସରକାରଙ୍କ ନିକଟରେ ସହାୟତା ପାଇଁ ନିବେଦନ କରାଯାଇଥିଲା।

ତେବେ ଗୁରୁବାର ରାତି ପ୍ରାୟ ୯ଟା ସମୟରେ କୁଲସୁମ୍ ନିଜ ଘରକୁ ଫୋନ୍ କରି ନିଜେ ତଥା ତାଙ୍କ ସହ ଟ୍ରେକିଂରେ ଥିବା ୧୨ ଜଣିଆ ଟିମ୍‌ର ସମସ୍ତ ସଦସ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି ବୋଲି ତାଙ୍କ ଭଉଣୀ ଗଣମାଧ୍ୟମକୁ ଜଣାଇଛନ୍ତି। ଏହି ଖବର ପରେ ପରିବାର ଲୋକଙ୍କ ସମେତ ସମଗ୍ର ବାରିପଦା ସହରରେ ଆଶ୍ୱସ୍ତି ପ୍ରକାଶ ପାଇଛି।