ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚି ଦଳର ନବନିଯୁକ୍ତ ଜାତୀୟ ପଦାଧିକାରୀଙ୍କ ସହ ବୈଠକ କରିଛନ୍ତି। ନୂତନ ଟିମ୍ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ଏହା ପ୍ରଥମ ସାକ୍ଷାତ୍କାର।ବୈଠକ ପରେ ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି ଯେ, ଦଳୀୟ ସହକର୍ମୀଙ୍କ ସହ ଏହା ଏକ ଭଲ ବୈଠକ ଥିଲା। ଏଭଳି ବୈଠକ ଦଳକୁ ଆହୁରି ସୁଦୃଢ଼ କରିବା ସହ ଜନସାଧାରଣଙ୍କ ସହ ଅଧିକ ପ୍ରଭାବଶାଳୀ ଯୋଗାଯୋଗ ସ୍ଥାପନ ପାଇଁ ଚିନ୍ତନ ଓ ଆଲୋଚନାର ମଞ୍ଚ ପ୍ରଦାନ କରେ ବୋଲି ସେ ଉଲ୍ଲେଖ କରିଛନ୍ତି।ଏହାପୂର୍ବରୁ ଶନିବାର ସକାଳେ ନବନିଯୁକ୍ତ ଜାତୀୟ ପଦାଧିକାରୀମାନେ ବିଜେପି ସଭାପତି ନୀତିନ ନବୀନଙ୍କ ସହ ମଧ୍ୟ ବୈଠକ କରିଥିଲେ। ଅଗଷ୍ଟ ୧୭ରେ ବିଜେପିର ନୂତନ ଜାତୀୟ ଟିମ୍ ଘୋଷଣା କରାଯାଇଥିଲା। ୬୫ ଜଣିଆ ଟିମ୍ରେ ରାମ ମାଧବଙ୍କୁ ଉପାଧ୍ୟକ୍ଷ ଏବଂ ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଭାବେ ସାମିଲ କରାଯାଇଛି।ବୈଠକରେ ଯୁବପିଢ଼ି, ବିଶେଷକରି ‘ଜେନେରେସନ୍-ଜେଡ୍’ଙ୍କ ସହ ଯୋଗାଯୋଗ ବଢ଼ାଇବା ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି।
ଏଥିପାଇଁ ଦଳୀୟ ନେତାମାନଙ୍କୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷାନୁଷ୍ଠାନକୁ ପଠାଇ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି।କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ‘ୟୁନିଭର୍ସିଟି ଆଉଟରିଚ୍’ କାର୍ଯ୍ୟକ୍ରମ ମାଧ୍ୟମରେ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଯୋଗାଯୋଗ କରିବା ଯୋଜନା ରହିଛି। ସୂତ୍ର ଅନୁଯାୟୀ, ଅଗଷ୍ଟ ୧୯ରେ ହୋଇଥିବା କ୍ୟାବିନେଟ୍ ବୈଠକରେ କେନ୍ଦ୍ରମନ୍ତ୍ରୀମାନେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଗସ୍ତ କରି ଛାତ୍ରଛାତ୍ରୀଙ୍କ ପ୍ରଶ୍ନ, ଧାରଣା ଓ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ନେଇ ନିଷ୍ପତ୍ତି ହୋଇଥିଲା।ଏଥିସହ ମନ୍ତ୍ରୀମାନଙ୍କ ସୋସିଆଲ ମିଡିଆ ପୋଷ୍ଟର ପହଞ୍ଚ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ବିଶେଷକରି ଯୁବପିଢ଼ିଙ୍କ ପାଖରେ ସରକାରଙ୍କ କାର୍ଯ୍ୟକ୍ରମ ଓ ବାର୍ତ୍ତା ପହଞ୍ଚାଇବା ପାଇଁ ଡିଜିଟାଲ ମାଧ୍ୟମରେ ଅଧିକ ସକ୍ରିୟ ହେବା ଉପରେ ଜୋର ଦିଆଯାଇଛି।
