ସାଲେପୁର : ସାଲେପୁର ଅଞ୍ଚଳରେ ସାହିତ୍ୟ, ସଂସ୍କୃତି ତଥା ଜ୍ଞାନ-ବିଜ୍ଞାନର ବ୍ୟାପକ ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଏକ ନୂତନ ଅନୁଷ୍ଠାନ ‘ଗୋପୀନାଥ ପ୍ରଜ୍ଞାନ ସଂସଦ’ ଆତ୍ମପ୍ରକାଶ କରିଛି। ସାଲେପୁର ବ୍ଲକ୍ ଅନ୍ତର୍ଗତ ପିକୋଳସ୍ଥିତ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟ ଆନୁକୂଲ୍ୟରେ ଏହି ସଂସଦ ଗଠିତ ହୋଇଛି। ବିଶିଷ୍ଟ ଔପନ୍ୟାସିକ, ଜ୍ଞାନପୀଠ ପୁରସ୍କାର ବିଜେତା ତଥା ପଦ୍ମଭୂଷଣ ଗୋପୀନାଥ ମହାନ୍ତି ଏବଂ ପିକୋଳ ପଞ୍ଚାୟତର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସବ୍-ରେଜିଷ୍ଟ୍ରାର ଗୋପୀନାଥ ମହାନ୍ତିଙ୍କ ପବିତ୍ର ତିରୋଧାନ ଦିବସ ଅବସରରେ ଏହି ସଂସଦର ଉଦ୍ଘାଟନୀ ଉତ୍ସବ ଗତ ୨୦ ତାରିଖ ଦିନ ଟ୍ରଷ୍ଟ ସଭାଗୃହରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବରିଷ୍ଠ ସାରସ୍ବତ ସାଧକ ଡ. ପୂର୍ଣ୍ଣଚନ୍ଦ୍ର ଓଝା ସଭାପତିତ୍ୱ କରିଥିବା ବେଳେ ବିଶିଷ୍ଟ ସାହିତ୍ୟିକ ଡ. ଗିରୀଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜ ବକ୍ତବ୍ୟରେ ଡ. ସାହୁ କହିଥିଲେ ଯେ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ସୃଷ୍ଟିରେ ଆଦିବାସୀ ଓ ଗ୍ରାମୀଣ ଜୀବନର ନିଖୁଣ ଚିତ୍ର ପ୍ରତିଫଳିତ ହୋଇଛି। ଦୁଇଜଣ ସମାନ ନାମଧାରୀ ପୁଣ୍ୟାତ୍ମାଙ୍କ ସ୍ମୃତିରେ ଏଭଳି ଏକ ସଂସଦ ଗଠନ କରାଯିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସେ ମତବ୍ୟକ୍ତ କରିଥିଲେ।

ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟର ଅନ୍ୟତମ ପ୍ରତିଷ୍ଠାତା ତଥା ରାଜ୍ୟ ସରକାରଙ୍କ ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁକାନ୍ତ କିଶୋର ମହାନ୍ତି ଏବଂ ପୂର୍ବତନ ପ୍ରଧାନଶିକ୍ଷକ ବିପିନ ବିହାରୀ କର ଯୋଗଦେଇ ନୂତନ ସଂସଦର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ବିଜ୍ଞାନ ପ୍ରଚାର ସମିତିର ଅଧ୍ୟକ୍ଷ ଡ. ଉମେଶ ଚନ୍ଦ୍ର ପତି ଉଭୟ ମହାପୁରୁଷଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କର ଆଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ସାମ୍ବାଦିକ ଅକ୍ଷୟ କୁମାର ଦାଶ, ପ୍ରଫୁଲ୍ଲ କୁମାର ମିଶ୍ର, ବରିଷ୍ଠ ସାମ୍ବାଦିକ ତଥା ବିଜ୍ଞାନ ଲେଖକ ହରିହର ତ୍ରିପାଠୀ ଏବଂ ବିଶିଷ୍ଟ ଗାଳ୍ପିକ ଡ. ଗିରୀଶ ଚନ୍ଦ୍ର ସାହୁଙ୍କୁ ଅନୁଷ୍ଠାନ ପକ୍ଷରୁ ଅଙ୍ଗବସ୍ତ୍ର ଓ ବୃକ୍ଷଚାରା ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରଚାର ସମିତିର ସମ୍ପାଦକ ଅଧ୍ୟାପକ ମହେଶ ଚନ୍ଦ୍ର କର, ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ଡ. ମଞ୍ଜୁଶ୍ରୀ ପତି, ଅଟଳ ସେନାର ସଭାପତି ଦିବାକର ପ୍ରଧାନ, ପୂର୍ବତନ ପ୍ରଧାନଶିକ୍ଷକ ଅଶୋକ କୁମାର ସ୍ୱାଇଁ, ସୁଶାନ୍ତ କିଶୋର ମହାନ୍ତି, ପିକୋଳ ସରପଞ୍ଚଙ୍କ ପ୍ରତିନିଧି ଉଚ୍ଛବ ବେହେରା ଏବଂ ଶାରଦା ପ୍ରସାଦ ରଥଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ପରିଶେଷରେ ଡ. ପ୍ରଭାତ ନାୟକ ସମସ୍ତଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।
