IMG 20260819 WA0197

ବସ୍ ଷ୍ଟାଣ୍ଡରେ ମହିଳାଙ୍କଠାରୁ ଟଙ୍କା ଲୁଟ୍ ମାମଲାରେ ୩ ଗିରଫ 

ରାଜ୍ୟ
ବାରିପଦା : ରାଇରଙ୍ଗପୁର ବସ୍ ଷ୍ଟାଣ୍ଡରେ ସୋମବାର ସକାଳ  ୬ ଟା ସମୟରେ ଏକ ବୟସ୍କ  ମହିଳାଙ୍କଠାରୁ ୩ ଲୁଟେରା ଜବରଦସ୍ତି ୩,୬୦୦ ଟଙ୍କା ଲୁଟ୍ ଅଭିଯୋଗରେ  ରାଇରଙ୍ଗପୁର ପୋଲିସ ୩ ଜଣଙ୍କୁ ଗିରଫ କରିଛି ।ସୂଚନାଯୋଗ୍ୟ ଯଶିପୁର ଥାନା ଅଞ୍ଚଳର ପାର୍ବତୀ ସାହୁ(୫୦) ଗତକାଲି ସକାଳେ କୌଣସି କାମରେ ରାଇରଙ୍ଗପୁର ଆସି ବସଷ୍ଟାଣ୍ଡ ରେ ଏକୁଟିଆ ଚା ପିଉଥିବା ସମୟରେ ୩ ଜଣ ଯୁବକ ତାଙ୍କଠାରୁ ଜବରଦସ୍ତି ୩୬୦୦ ଟଙ୍କା ଛଡେଇ ନେଇଥିଲେ । ୩ ଦୁଵୃର୍ତ୍ତଙ୍କୁ ସ୍ଥାନୀୟ ଲୋକେ ଦେଖିଥିବା ଓ ଚିହ୍ନି ଥିବା ସୂଚନା ମିଳିଥିଲା ।ମହିଳା ଜଣକ କାନ୍ଦି କାନ୍ଦି ରାଇରଙ୍ଗପୁର ଟାଉନଥାନାକୁ  ଯାଇ ଲିଖିତ ଅଭିଯୋଗ କରିଥିଲେ ।
ଏହାକୁ ନେଇ ଟାଉନ ଥାନାରେ  ଏକ କେଶ ମାମଲା  ୨୬୨/୨୬ ରୁଜୁ   କରିବା ସହ  ତଦନ୍ତ କରି ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୩୦୦୦ ଟଙ୍କା ଉଦ୍ଧାର କରିଛନ୍ତି।ଘଟଣାକୁ ନେଇ ରାଇରଙ୍ଗପୁର ଟାଉନ ଥାନାରେ ଆଜି ପୂର୍ବାହ୍ନ  ରେ ରାଇରଙ୍ଗପୁର  ଏସଡିପିଓ ବୀରେନ୍ଦ୍ର ସେନାପତି  ଖବରଦାତା ସମ୍ମିଳନୀରେ  ଲୁଟ୍ ଘଟଣାରେ ୩ ଦୁଵୃର୍ତଙ୍କୁ ଗିରଫ ବିଷୟରେ ସୂଚନା ଦେଇଥିଲେ । ସେହି ୩ ଦୁବୃର୍ତ୍ତ ହେଲେ  ରାଇରଙ୍ଗପୁର ଟାଉନା ଥାନା ଅଞ୍ଚଳର ୩ ନମ୍ବର ଓ୍ଵାର୍ଡ ମନ୍ଦିରସାହିର    ରୋହିତ ମୁଖୀ(୨୬),  ମନ୍ଦିର ସାହିର ପେଣ୍ଡ୍ରା @ ରାଜେଶ@ ରାହୁଲ ବେହେରା(୨୦)  ଏବଂ ଝାଡ଼ଖଣ୍ଡ ରାଜ୍ୟର ପୂର୍ବସିଂହ ଭୂମ ଜିଲ୍ଲାର ଡୁମାରିଆ ଥାନା ଅଞ୍ଚଳର ରବି ବେହେରା(୨୦) ।
ସାମ୍ବାଦିକ ସମ୍ମିଳନୀରେ ଏସଡିପିଓଙ୍କ ସହିତ ଥାନାଧିକାରୀ ରଞ୍ଜନ ସେଠୀ ,ଏଏସଆଇ ଗଙ୍ଗାଧର ବେହେରା ଙ୍କ  ସମେତ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।ଅସାମାଜିକ, ଲୁଟେରା, ଛିନତାଇ କରୁଥିବା ଲୋକଙ୍କୁ କୌଣସି ପ୍ରକାର ଛଡାଯିବ ନାହିଁ ବୋଲି ଏସଡିପିଓ ସୂଚନା ଦେଇଥିଲେ ।