ଭୁବନେଶ୍ବର: ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ସକ୍ରିୟ ଅବପାତ ଆଗାମୀ ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଝାଡ଼ଖଣ୍ଡ ଏବଂ ବିହାର ମଧ୍ୟ ଦେଇ ଗତି କରିବ। ଏହା ଦୁର୍ବଳ ହୋଇ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି। ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ନ ଥିଲେ ବି ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ସକ୍ରିୟ ଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଆସନ୍ତା ୨୩ ତାରିଖ ବେଳକୁ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ଉତ୍ତର ଓଡ଼ିଶାର ଜିଲାଗୁଡ଼ିକରେ ପ୍ରବଳ ବର୍ଷା କରାଇବ।
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ନାହିଁ। କିନ୍ତୁ, ୨୨ ତାରିଖରୁ ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲା ସହିତ ଅନ୍ୟାନ୍ୟ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଜୁନ୍ ୧ରୁ ଅଗଷ୍ଟ ୧୮ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ବର୍ଷା ୭୭୭.୮ମି.ମି. ହେବା ସ୍ଥଳେ ୯୯୮ମି.ମି. ବର୍ଷା ହେଲାଣି। ଏହା ସ୍ବାଭାବିକଠାରୁ ୨୯% ଅଧିକ ବର୍ଷା। କିନ୍ତୁ, ଅଦ୍ୟାବଧି କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିିରି ଏବଂ ଗଜପତି ଜିଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଜୁନ୍ରେ ବଙ୍ଗୋପସାଗରରେ ଗୋଟିଏ ହେଲେ ଲଘୁଚାପ ସୃଷ୍ଟି ହୋଇନଥିବା ବେଳେ ଜୁଲାଇରେ ୩ଟି ଏବଂ ଅଗଷ୍ଟ ପହିଲାରୁ ୧୮ ତାରିଖ ମଧ୍ୟରେ ୩ଟି ଲଘୁଚାପ ସୃଷ୍ଟି ହୋଇଛି। ଏହି ଲଘୁଚାପଗୁଡ଼ିକ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବାରୁ ଉତ୍ତର ଓଡ଼ିଶାରେ ଭଲ ବର୍ଷା ହୋଇଛି।
ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ଓଡ଼ିଶାକୁ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଅଧିକ ଆସୁଛି। ହେଲେ ବାୟୁମଣ୍ଡଳ ଉପରିଭାଗରେ ଜଳୀୟବାଷ୍ପ ପରିମାଣ କମ ରହିବା ହେତୁ ଭଲ ବର୍ଷା ହୋଇପାରୁନି। ପାଗ ମେଘୁଆ ରହିବା ସହିତ ସ୍ଥାନେସ୍ଥାନେ ବର୍ଷାର ସମ୍ଭାବନା ରହିଛି। ତେବେ ମାସ ଶେଷ ସପ୍ତାହ ଆଡ଼କୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ବିଶ୍ବଜିତ୍ ସାହୁ କହିଛନ୍ତି, ଆସନ୍ତା ୨୦ କିମ୍ବା ୨୧ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୩ କିମ୍ବା ୨୪ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର ଆଦି ଜିଲାର ବିଭିନ୍ନ ଅଞ୍ଚଳରେ ଭଲ ବର୍ଷାର ସଙ୍କେତ ଦେଖାଉଛି।
ଅପରପକ୍ଷେ, ଗତ ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ମୟୂରଭଞ୍ଜ ଜିଲାର ବହଳଦାରେ ସବୁଠୁ ଅଧିକ ୨୭୩ ମିମି ବର୍ଷା ହୋଇଥିବା ବେଳେ ରାଇରଙ୍ଗପୁରରେ ୨୦୭ମିମି, ଜମଦାରେ ୧୨୪ ମିମି ଏବଂ ବାଙ୍ଗିରିପୋଷିରେ ୧୧୨.୪ ମିମି ବର୍ଷା ହୋଇଛି। ବରଗଡ଼ ଜିଲାର ଝାରବନ୍ଧରେ ୧୫୪ ମିମି ବର୍ଷା ହୋଇଥିବା ବେଳେ ସମ୍ବଲପୁର ଜିଲାର ଯୁଯୁମରାରେ ୮୨ ମିମି ବର୍ଷା ହୋଇଛି। ୩ଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇଥିବା ବେଳେ ୨୨ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି।
