- କଚ୍ଚା ଘରକୁ ପକ୍କା ଘରରେ ରୂପାନ୍ତରଣ ଓ ବନ୍ୟା ପରବର୍ତ୍ତୀ ବ୍ୟବସ୍ଥା ସୁଦୃଢ଼ କରିବାକୁ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶ
ବାରିପଦା : ନିକଟରେ ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି, କ୍ଷୟକ୍ଷତି, ଉଦ୍ଧାର, ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟର ସ୍ଥିତି ସମୀକ୍ଷା କରାଯାଇଛି। ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।
ବୈଠକରେ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକର ସ୍ଥିତି, ରିଲିଫ୍ ବଣ୍ଟନ, ଭିତ୍ତିଭୂମିର କ୍ଷୟକ୍ଷତି, ଯୋଗାଯୋଗ ବ୍ୟବସ୍ଥାର ପୁନଃସ୍ଥାପନ ଏବଂ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ବିସ୍ତୃତ ସମୀକ୍ଷା କରାଯାଇଥିଲା । ବିଶେଷକରି ବଡ଼ସାହି, ବେତନଟୀ ଓ ରାସଗୋବିନ୍ଦପୁର ବ୍ଲକ ସମେତ ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳର ସ୍ଥିତି ଉପରେ ଆଲୋଚନା କରାଯାଇଥିଲା ।
ମନ୍ତ୍ରୀ ଡଃ ମହାପାତ୍ର ବନ୍ୟା ପ୍ରଭାବିତ ଅଞ୍ଚଳରେ ଥିବା କଚ୍ଚା ଘରଗୁଡ଼ିକୁ ପର୍ଯ୍ୟାୟକ୍ରମେ ପକ୍କା ଘରରେ ରୂପାନ୍ତର କରିବା ଦିଗରେ ପ୍ରାଥମିକତା ଭିତ୍ତିରେ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବନ୍ୟା ପ୍ରଭାବିତ ଲୋକଙ୍କ ଆବାସ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ କ୍ଷତିଗ୍ରସ୍ତ ପରିବାରମାନଙ୍କୁ ତୁରନ୍ତ ସରକାରୀ ଆବାସ ଯୋଜନାରେ ସାମିଲ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ରାସ୍ତା ନିର୍ମାଣ ସମୟରେ ଜଳ ନିଷ୍କାସନ ବ୍ୟବସ୍ଥାକୁ ଉପଯୁକ୍ତ ଭାବେ ବିଚାରକୁ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଅଥବା ଅବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥା ଯୋଗୁଁ ଯେପରି ଜଳବନ୍ଦୀ କିମ୍ବା ମନୁଷ୍ୟକୃତ ବନ୍ୟା ପରିସ୍ଥିତି ସୃଷ୍ଟି ନହୁଏ, ସେଥିପ୍ରତି ସମ୍ପୃକ୍ତ ବିଭାଗ ସତର୍କ ରହିବା ସହ ଆବଶ୍ୟକ ସୁଧାରମୂଳକ ପଦକ୍ଷେପ ନେବାକୁ ସେ କଡ଼ା ନିର୍ଦ୍ଦେଶ ଦେଇଥିଲେ ।
ବନ୍ୟା ସମୟରେ ଏବଂ ବନ୍ୟା ପରବର୍ତ୍ତୀ ସମୟରେ ରାସ୍ତା, ପାନୀୟ ଜଳ ଯୋଗାଣ, ଜଳସେଚନ ଓ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମିର ପୁନଃସ୍ଥାପନ କାର୍ଯ୍ୟ ତ୍ୱରିତ ଓ ଗୁଣାତ୍ମକ ଭାବେ ସମ୍ପାଦନ କରିବାକୁ ଗ୍ରାମ ନିର୍ମାଣ ବିଭାଜନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଜଳସେଚନ, କ୍ଷୁଦ୍ର ଜଳସେଚନ ସମେତ ସମସ୍ତ ସମ୍ପୃକ୍ତ ଲାଇନ୍ ବିଭାଗକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ସେହିପରି ବନ୍ୟା ପରେ ବିଦ୍ୟୁତ୍ ସେବା ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବାର ପୁନଃସ୍ଥାପନ ଓ ସ୍ୱାଭାବିକୀକରଣ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ସହ ଲୋକଙ୍କୁ ଆବଶ୍ୟକ ସେବା ଶୀଘ୍ର ଉପଲବ୍ଧ କରାଇବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ସେ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ହେମକାନ୍ତ ସୟ୍ ଜିଲ୍ଲାର ବନ୍ୟା ପରିସ୍ଥିତି, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ, କ୍ଷୟକ୍ଷତି ଏବଂ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ପ୍ରସ୍ତୁତ ପାୱାରପଏଣ୍ଟ୍ ପ୍ରେଜେଣ୍ଟେସନ୍ ମାଧ୍ୟମରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ ।
ବୈଠକରେ ଉଦଳା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଭାସ୍କର ମଢେଇ ଓ ବଡ଼ସାହି ବିଧାୟକ ଶ୍ରୀ ସନାତନ ବିଜୁଳିଙ୍କ ସମେତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଶ୍ରୀ ଦୁଃଖବନ୍ଧୁ ନାୟକ ଓ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା, ବାରିପଦା ଉପଜିଲ୍ଲାପାଳ ଶ୍ରୀମତୀ କସ୍ତୁରୀ ପଣ୍ଡା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ତାପସ କୁମାର ମହାନ୍ତଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ସମସ୍ତ ଜିଲ୍ଲାସ୍ତରୀୟ ମୁଖ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
