ହୀରାକୁଦରେ ବଢୁଛି ବନ୍ୟାଜଳ ପରିମାଣ, ଖୋଲିଲା ଆଉ ୫ଟି ଗେଟ୍‌

ରାଜ୍ୟ

ବୁର୍ଲା : ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ସୋମବାର ସକାଳେ ପୁଣି ୫ଟି ଗେଟ୍‌ ଖୋଲାଯାଛି। ଫଳରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମ ପାର୍ଶ୍ୱର ୫ ଓ ଦକ୍ଷିଣ ପାର୍ଶର ୨ଟି ମିଶି ମୋଟ୍‌ ୭ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ପୂର୍ବାହ୍ନ ସାଢ଼େ ୯ଟା ସମୟରେ ପ୍ରାପ୍ତ ସୂଚନା ଅନୁସାରେ ଜଳଭଣ୍ଡାରର ଜଳସ୍ତର ୬୧୯.୦୨ ଫୁଟକୁ ବୃଦ୍ଧି ପାଇଥିବା ବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୨ ଲକ୍ଷ ୧ ହଜାର ୨୪୦ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି।

ଅପରପକ୍ଷରେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ହାରାହାରି ମୋଟ୍‌ ୧ ଲକ୍ଷ ୪୨ ହଜାର ୨୮୪ ଘନଫୁଟ ଜଳ ନିଷ୍କାସିତ ହେଉଛି। ସେଥିମଧ୍ୟରୁ ୭ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ୧ ଲକ୍ଷ ୦୯ ହଜାର ୧୪୪ ଘନଫୁଟ ଏବଂ ବିଭିନ୍ନ କେନାଲ, ବିଦ୍ୟୁତ୍‌ ଉତ୍ପାଦନ ପାଇଁ ପାଓ୍ବାର ଚ୍ୟାନେଲ ଓ ଶିଳ୍ପଭିତ୍ତିକ ବ୍ୟବହାର ପାଇଁ ମୋଟ ୩୩,୧୪୦ ଘନଫୁଟ ଜଳ ନିଷ୍କାସିତ ହେଉଛି।