IMG 20260816 WA0089

 ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଗରିମାମୟ ପରିବେଶରେ ପାଳିତ

ରାଜ୍ୟ
ବାରିପଦା : ବାରିପଦାସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଆଜି ଆନନ୍ଦ, ଉତ୍ସାହ ଓ ଗରିମାମୟ ପରିବେଶରେ ପାଳିତ ହୋଇଛି। ଜିଲ୍ଲାପାଳ ତଥା ଜିଲ୍ଲା ଦଣ୍ଡାଧିକାରୀ ହେମକାନ୍ତ ସୟ୍ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ ।
                     ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ସୟ୍ ନିଜ ଅଭିଭାଷଣରେ ସ୍ୱାଧୀନତା ସଂଗ୍ରାମୀଙ୍କ ଅମର ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ବିକଶିତ ଭାରତ ଗଠନରେ ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ମୟୂରଭଞ୍ଜର ସାମଗ୍ରିକ ଓ ସମନ୍ୱିତ ବିକାଶ ପାଇଁ ଶିକ୍ଷା, ଦକ୍ଷତା ବିକାଶ, ରୋଜଗାର, ପର୍ଯ୍ୟଟନ, ସବୁଜ ଶକ୍ତି, ସ୍ୱଚ୍ଛତା ଓ ମହିଳା ସଶକ୍ତିକରଣକୁ ପ୍ରାଥମିକତା ଦିଆଯାଉଥିବା ସେ ପ୍ରକାଶ କରିଥିଲେ । ସଶକ୍ତ, ଆତ୍ମନିର୍ଭର, ସ୍ୱଚ୍ଛ ଓ ସବୁଜ ମୟୂରଭଞ୍ଜ ଗଠନ ପାଇଁ ଜିଲ୍ଲାବାସୀଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ପାଇଁ ସେ ଆହ୍ୱାନ ଦେଇଥିଲେ ।
                      ସମ୍ମିଳିତ ପ୍ୟାରେଡ୍‌ରେ ୫ମ ବାଟାଲିୟନ, ବାରିପଦା, ଜିଲ୍ଲା ସଶସ୍ତ୍ର ପୁଲିସ ବଳ, ହୋମଗାର୍ଡ, ସମର ଶିକ୍ଷାର୍ଥୀ ବାହିନୀ, ରେଡକ୍ରସ୍, ଜାତୀୟ ସେବା ଯୋଜନା, ସ୍କାଉଟ୍ ଓ ଗାଇଡ୍, ସିଭିଲିଆନ୍ ଏବଂ ପୁଲିସ ବ୍ୟାଣ୍ଡ ସମେତ ମୋଟ ୪୩ଟି ଟ୍ରୁପ୍ ଅଂଶଗ୍ରହଣ କରିଥିଲେ । ପୋଲିସ ରିଜର୍ଭ ଇନ୍ସପେକ୍ଟର ଶ୍ରୀ ଆଲୋକ କୁମାର କାନୁନଗୋ ପ୍ୟାରେଡ୍ କମାଣ୍ଡର ଭାବେ ସମଗ୍ର ପ୍ୟାରେଡ୍‌ର ନେତୃତ୍ୱ ନେଇଥିଲେ ।
                     ପ୍ୟାରେଡ୍ ପ୍ରତିଯୋଗିତାର ଏନ୍‌.ସି.ସି./ଏନ୍‌.ଏସ୍‌.ଏସ୍‌ ବର୍ଗରେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ସିନିଅର୍ ଏନ୍‌.ସି.ସି. ଡିଭିଜନ ଚମ୍ପିୟାନ ଏବଂ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ବାଳକ ଦଳ ରନର୍ସ ଅପ୍‌ ହୋଇଥିଲେ । ସ୍କାଉଟ୍ସ/ଗାଇଡ୍ସ ବର୍ଗରେ ସେଣ୍ଟ ଆନୀସ୍ କନଭେଣ୍ଟ ସ୍କୁଲ୍‌, ବାରିପଦାର ବାଳକ ସ୍କାଉଟ୍ସ ଚମ୍ପିୟାନ ଏବଂ ସରସ୍ୱତୀ ବିଦ୍ୟା ମନ୍ଦିର, ତୁଳସୀଚୌରାର ବାଳିକା ଦଳ ରନର୍ସ ଅପ୍‌ ହୋଇଥିଲେ । ରେଡକ୍ରସ୍ ବର୍ଗରେ ମହାରାଣୀ ପ୍ରେମକୁମାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଚମ୍ପିୟାନ ଏବଂ ଭଞ୍ଜପୁର ବାଳିକା ଉଚ୍ଚ ବିଦ୍ୟାଳୟ ରନର୍ସ ଅପ୍‌ ହୋଇଥିଲେ । ସିଭିଲିଆନ୍ ବର୍ଗରେ ସେଣ୍ଟ ଆନୀସ୍ କନଭେଣ୍ଟ ସ୍କୁଲ୍‌, ବାରିପଦାର ବାଳିକା ଦଳ ଚମ୍ପିୟାନ ଏବଂ ସେଣ୍ଟ ମେରୀ କନଭେଣ୍ଟ ସ୍କୁଲ୍‌ର ବାଳକ ଦଳ ରନର୍ସ ଅପ୍‌ ହୋଇଥିଲେ ।
                      ଉତ୍ସବର ଅନ୍ୟତମ ଆକର୍ଷଣ ଭାବେ ଜିଲ୍ଲା ପୁଲିସ ଓ ଓଡ଼ିଶା ସ୍ୱତନ୍ତ୍ର ସଶସ୍ତ୍ର ପୁଲିସ (ଓଏସ୍ଏପି) ୫ମ ବାଟାଲିୟନ ପକ୍ଷରୁ ଆତଙ୍କବାଦୀଙ୍କ ଦ୍ୱାରା ପଣବନ୍ଦୀ ହୋଇଥିବା ଡାକ୍ତରମାନଙ୍କୁ ସୁରକ୍ଷା ବାହିନୀ ଦ୍ୱାରା ଉଦ୍ଧାର ଉପରେ ଏକ ମକ୍ ଡ୍ରିଲ୍ ପ୍ରଦର୍ଶିତ ହୋଇଥିଲା । ସାହସ, ଦକ୍ଷତା ଓ ସମନ୍ୱୟର ଏହି ପ୍ରଦର୍ଶନ ଉପସ୍ଥିତ ଜନସାଧାରଣଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଥିଲା ।
                      ଏହି ଅବସରରେ ଶତାୟୁ ସ୍ୱାଧୀନତା ସଂଗ୍ରାମୀ  ଚକ୍ରଧର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବାଙ୍ଗିରିପୋଷି ବ୍ଲକର ଶଙ୍କରାଇ ନାଳରେ ବନ୍ୟା ସମୟରେ ନିଜ ଜୀବନକୁ ବିପଦରେ ପକାଇ ଜଣେ ଯୁବକଙ୍କ ଜୀବନ ରକ୍ଷା କରିଥିବା ସାହସୀ ଯୁବକ  ଲକ୍ଷ୍ମୀଧର ସିଂ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ବାଙ୍ଗିରିପୋଷି ଅଗ୍ନିଶମ ବାହିନୀକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବଡ଼ସାହି ବ୍ଲକରେ ଜଳବନ୍ଦୀ ବନ୍ୟା ସମୟରେ ଜନସାଧାରଣଙ୍କୁ ନିରାପଦଭାବେ ଉଦ୍ଧାର କରି ବିପଦରୁ  ରକ୍ଷା କରିଥିବାରୁ ଜିଲ୍ଲା ଓଡ୍ରାଫ୍ ଟିମ୍‌କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।
                            ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ଜିଲ୍ଲା ପାଇଁ ଗୌରବ ଆଣିଥିବା ଶ୍ରେଷ୍ଠ ପ୍ରଦର୍ଶନକାରୀ ଛାତ୍ରଛାତ୍ରୀ ଓ ପ୍ରତିଭାମାନଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଥିଲା ।  କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳଗଣ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଉପ-ଜିଲ୍ଲାପାଳ ବାରିପଦାଙ୍କ ସମେତ ବିଭିନ୍ନ ଅଧିକାରୀ, ଜନପ୍ରତିନିଧି, ବିଶିଷ୍ଟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଜନସାଧାରଣ ଉପସ୍ଥିତ ରହି ପ୍ୟାରେଡ୍‌ର ଭବ୍ୟ ପ୍ରଦର୍ଶନ ଉପଭୋଗ କରିଥିଲେ ।
                         ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟଅତିଥି ଶ୍ରୀ ସୟ୍ ବାଳାଶ୍ରମ ପରିଦର୍ଶନ କରି ଅନ୍ତେବାସୀ ଛାତ୍ରୀମାନଙ୍କ ସହ ଭାବ ବିନିମୟ କରିବା ସହ ଫଳ, ମିଷ୍ଟାନ୍ନ ଓ ପଠନ ସାମଗ୍ରୀ ବଣ୍ଟନ କରିଥିଲେ । ପରେ ସେ ମଣ୍ଡଳ କାରାଗାର ପରିଦର୍ଶନ କରି ବନ୍ଦୀମାନଙ୍କୁ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ରୋଗୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ମୁଖ୍ୟ ଅତିଥିଙ୍କ ପ୍ରତିନିଧି ଭାବେ ଅତିରିକ୍ତ ଜିଲ୍ଲାପାଳ  ଦୁଃଖବନ୍ଧୁ ନାୟକ ଲକ୍ଷ୍ମୀପୋଷୀସ୍ଥିତ ସ୍ୱତନ୍ତ୍ର ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।
                     ସଂଧ୍ୟାରେ ସ୍ଥାନୀୟ ଶହୀଦ ସ୍ମୃତି ଭବନଠାରେ ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ବର୍ଗରେ ଆୟୋଜିତ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ ଉତ୍ସବରେ ପୁରସ୍କୃତ କରାଯାଇଥିଲା । ସମଗ୍ର ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ମାର୍ଗଦର୍ଶନରେ ସୁଚାରୁ ଭାବେ ପରିଚାଳନା କରାଯାଇଥିଲା । ଏଥିରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ଵାଳ, ଜିଲ୍ଲା କ୍ରୀଡ଼ାଧିକାରୀ ଡଃ ଶୁଭାଶିଷ ନାୟକଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ସମସ୍ତ କର୍ମଚାରୀ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଏକାଦଶ ଏବଂ ଆଥଲେଟିକ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇ  3-1 ଫେନାଲଟି ସୁଟଆଉଟରେ ଆଥଲେଟିକ ଏକାଦଶ ବିଜୟୀ ହୋଇଥିଲା  ।