IMG 20260816 WA0068

 ଆନନ୍ଦ ଉଲ୍ଲାସ ସହିତ ପାଳିତ ହେଲା ଉପଖଣ୍ଡସ୍ତରୀୟ  ୮୦ତମ ସ୍ୱାଧୀନତା ଦିବସ

ରାଜ୍ୟ
  • ବନ୍ଦେ ମାତରମ* ରାଷ୍ଟ୍ରୀୟ ଗୀତ ଗାନରୁ ଆରମ୍ଭ ହେଲା ଆନୁଷ୍ଠାନିକ ଉତ୍ସବ କାର୍ଯ୍ୟକ୍ରମ 
ବାରିପଦା : ବାମନଘାଟୀ ସଦରମହକୁମା ରାଇରଙ୍ଗପୁର ଠାରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି. ଏହି ପବିତ୍ର ଦିବସ ପାଳନ ଅବସରରେ ସକାଳ ଘ.୦୯-୧୫ ମିନିଟ ସମୟ ରେ ସ୍ଥାନୀୟ ଷ୍ଟାଡିୟମ ପଡିଆ ଠାରେ ଆୟୋଜିତ ଉପଖଣ୍ଡ ସ୍ତରୀୟ ଆନୁଷ୍ଠାନିକ ଉତ୍ସବରେ ରାଇରଙ୍ଗପୁରର ଅତିରିକ୍ତ ଜିଲ୍ଲାପାଳ, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ  ଅଜିତ କୁମାର   ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ. ଅଭିବାଦନ ମଞ୍ଚରେ ମୁଖ୍ୟ ଅତିଥିଙ୍କ ସହିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ  ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ ଉପସ୍ଥିତ ଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ତା’ଙ୍କ ଅଭିଭାଷଣ ରଖି କହିଥିଲେ,  ଯେଉଁ ପୂର୍ବ ସୁରୀ ତଥା ମହାମନୀଷୀ ମାନେ ସେମାନଙ୍କ ଆତ୍ମବଳିଦାନ, ନିଃସ୍ୱାର୍ଥପର ଉତ୍ସର୍ଗୀକୃତ ସେବା ପ୍ରତିଦାନରେ ଦେଶକୁ ପରାଧୀନତା କବଳରୁ  ମୁକ୍ତି ଦେଇ ଆଜିକୁ ୭୯ ବର୍ଷ ଧରି ଏକ ସ୍ୱାଧୀନ ରାଷ୍ଟ୍ରରେ ବାସ କରିବା ପାଇଁ ଆମକୁ ସୁଯୋଗ ଦେଇଛନ୍ତି, ଯଦି ଆମେ ସେମାନଙ୍କ  ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶମାତୃକାର ସର୍ବାଙ୍ଗୀନ ଉନ୍ନତି ଓ  ସୁରକ୍ଷା ନିମନ୍ତେ ନିଜ ନିଜ ଦାୟିତ୍ୱ ନିଷ୍ଠାର ସହ ସମ୍ପାଦନ କରିବା ପାଇଁ ଏଇ ଜାତୀୟ ପତାକା ତଳେ ସଂକଳ୍ପବଦ୍ଧ ହେବା,ତେବେ ତାହାହିଁ ହେବ ସେମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି।  ସେ ଆହୁରି ମଧ୍ୟ୍ୟ କହିଥିଲେ ରାଇରଙ୍ଗପୁର ଏବେ ବିକାଶର ଧାରାରେ ଆଗେଇ ଚାଲିଛି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଅନେକ ନୂତନ ଜନକଲ୍ୟାଣକାରୀ ପ୍ରକଳ୍ପ ନିକଟ ଅତୀତରେ ଉଦଘାଟିତ ହୋଇ ବର୍ତ୍ତମାନ କାର୍ଯ୍ୟକ୍ଷମ ହେଉଛି, ଆଗକୁ ଆହୁରି ଅନେକ  ଉନ୍ନତିମୂଳକ ନୂତନ ପ୍ରକଳ୍ପ ହେବାକୁ ଯାଉଛି। ଅଂଚଳବାସୀଙ୍କ ସହଯୋଗରେ ଆଗାମୀ ଦିନରେ ରାଇରଙ୍ଗପୁର  *ବିକଶିତ ରାଇରଙ୍ଗପୁର* ରେ ପରିଣତ ହେବ ବୋଲି ସେ ଆଶା ପୋଷଣ କରିଥିଲେ।
ପ୍ରକାଶ ଥାଉକି  ନୂତନ ପୁଲିସ ଜିଲ୍ଲାଗଠନ ପରେ ଚଳିତ ବର୍ଷ ଆରକ୍ଷୀ ଅଧିକ୍ଷକ  ସୁରେଶ ଚନ୍ଦ୍ର ପାତ୍ରଙ୍କ ତତ୍ୱାବଧାନରେ ଜାତୀୟ ଦିବସ ପ୍ୟାରେଡ ଉତ୍ସବରେ ପ୍ରଥମ କରି ରିଜର୍ଭ ଇନ୍ସ୍ପେକଟର ଏମ ଲକ୍ଷ୍ମୀରଞ୍ଜନ ଓ ସେକେଣ୍ଡ ଇନ କମାଣ୍ଡ ରାଜେନ୍ଦ୍ର ସାହୁଙ୍କ ମାର୍ଗଦର୍ଶନରେ ପ୍ୟାରେଡ ପରିଚାଳିତ ହୋଇଥିଲା।
ଆଜିର ଅନୁଷ୍ଠିତ ପ୍ୟାରେଡରେ ରାଇରଙ୍ଗପୁର ପୁଲିସ ଜିଲ୍ଲାର ପୋଲିସ ବାହିନୀ ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନର ଏନସିସି, ସ୍କାଉଟ -ଗାଇଡ଼, ରେଡ଼କ୍ରସ ଓ ସିଭିଲିଆନ ଦଳକୁ ମିଶାଇ ମୋଟ ୨୮ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ.ପ୍ୟାରେଡ ପ୍ରତିଯୋଗିତାରେ ବିଚାରକ ଭାବେ ଗୋରୁମହିଶାଣି ଥାନା ଅଧିକାରୀ ଜଗନ୍ନାଥ ମୁଣ୍ଡା, ରାଇରଙ୍ଗପୁର ଗ୍ରାମ୍ୟ ଥାନା ଅଧିକାରୀଣି ବବିତା ରାଣୀ ପୁହାଣ, ପୂର୍ବତନ ସୈନ୍ୟ ବାହିନୀର ଅଧିକାରୀ ସୁବେଦାର ତଥା ଅନରାରୀ କ୍ୟାପ୍ଟେନ ଜୁହାର ମୁର୍ମୁ ଏବଂ ସୁବେଦାର ଶୁକୁଲ୍ ଟୁଡୁ ଦାୟିତ୍ୱ ସମ୍ପାଦନ କରିଥିଲେ।
ଆଜିର ପ୍ୟାରେଡ଼ ପ୍ରତିଯୋଗିତାରେ ଏନ ସି ସିରେ ପ୍ରଥମ ରାଇରଙ୍ଗପୁର ଏସ ଏସ ଡି ବାଳିକା ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟର ସିନିୟର ଡିଭିଜନ, ଦ୍ଵିତୀୟ  ରାଇରଙ୍ଗପୁର ହାଇସ୍କୁଲ ଜୁନିଅର ଡିଭିଜନ , ରେଡ଼କ୍ରସ,ସ୍କାଉଟ-ଗାଇ ଡ଼ରେ ପ୍ରଥମ, ରାଇରଙ୍ଗପୁର ହାଇସ୍କୁଲ ରେଡ଼କ୍ରସ ଓ ଦ୍ଵିତୀୟ, ରାଇରଙ୍ଗପୁର ସରକାରୀ ଏସ ଏସ ଡି ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗାଇଡ଼ ଏବଂ ସିଭିଲିଆନ ଦଳରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଥମ ଓ କେରଳା ପବ୍ଲିକ ସ୍କୁଲ ଦ୍ଵିତୀୟ ଭାବେ ବିବେଚିତ ହୋଇଥିବାରୁ ଏହି ଦଳମାନଙ୍କୁ ମୁଖ୍ୟ ଅତିଥି ସିଲଡ଼ ପ୍ରଦାନ କରି ପୁରସ୍କୃତ କରିଥିଲେ.ପ୍ୟାରେଡ ଦଳର ପ୍ରଥମ ପୁରସ୍କାର ଗୁଡିକ ରାଇରଙ୍ଗପୁର ଡାକ ମଣ୍ଡଳଙ୍କ ସୌଜନ୍ୟରୁ ପ୍ରଦାନ କରାଯାଇଥିଲା. ଅନ୍ୟ ଏକ ସ୍ୱତନ୍ତ୍ର ପୁରସ୍କାର ଭାବେ ରାଇରଙ୍ଗପୁର ଡାକ ମଣ୍ଡଳ ତରଫରୁ ଜନକଲ୍ୟାଣକାରୀ ଯୋଜନା *ବେଟି ବଚାଓ ବେଟି ପଢ଼ାଅ* ଅନ୍ତର୍ଗତ ସୁକନ୍ୟା ସମୃଦ୍ଧି ଯୋଜନାରେ  ୪ଜଣ ଗରିବ ଯୋଗ୍ୟା କନ୍ୟା ହିତାଧିକାରୀ ସପକ୍ଷରେ ଖୋଲାଯାଇଥିବା  ଡାକଘର ଜମାଖାତା ଗୁଡିକୁ ସମ୍ପୃକ୍ତ ହିତାଧିକାରୀଙ୍କ ପିତା ମାତାମାନଙ୍କୁ ମୁଖ୍ୟ ଅତିଥି ବଣ୍ଟନ କରିଥିଲେ।
ସେହିପରି  ୨୦୨୫-୨୬ ଶିକ୍ଷା ବର୍ଷ ରେ ବି.ଏସ. ଇ. ଓ., ସି. ବି. ଏସ. ଇ ଓ ଆଇ. ସି. ଏସ. ଇ ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ବାମନଘାଟି ଉପଖଣ୍ଡରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ୩ ଜଣ ବିଦ୍ୟାର୍ଥୀ ଯଥାକ୍ରମେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରାଚୀ ମିଶ୍ର ,କେନ୍ଦ୍ରୀୟ ବିଦ୍ୟାଳୟର ଆୟୁଷ୍ମାନ ନନ୍ଦ  ଓ କେରଲା ପବ୍ଲିକ ସ୍କୁଲର ଅନ୍ୟା ଅଗ୍ରୱାଲଙ୍କୁ ପୁଷ୍ପଗୁଛ,ମାନପତ୍ର ଓ ପୁରସ୍କାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା .ଏତଦବ୍ୟତୀତ ଚଳିତ ବର୍ଷ ନିଟ(NEET)ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବିଶୋଇ ବ୍ଲକର ବାଢୁଣିଆ ଏସ ଏସ ଡି ଗାର୍ଲସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭ଜଣ ଛାତ୍ରୀ ଓ ସେମାନଙ୍କ ସଫଳତା ହାସଲ କରିବା ଦିଗରେ ମାର୍ଗଦର୍ଶନ ଦେଇଥିବା ୫ ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ କାର୍ଯ୍ୟ କ୍ଷେତ୍ରରେ ନିଷ୍ଠାର ସହ ଉତ୍ତମ ସେବା ପ୍ରଦାନ କରିଥିବା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟର ଆର୍ମଡ ପୋଲିସ  ଜଗନ୍ନାଥ ଗିରି ଓ ରାଇରଙ୍ଗପୁର ପୌରପାଳିକା କାର୍ଯ୍ୟାଳୟର ସଫେଇ କର୍ମଚାରୀ ଦୀପକ କୁମାର ମୁଖୀଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ।
ଏହି ଅବସରରେ ୮୦ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ଓ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା ।ଏହା ପରେ  ରାଇରଙ୍ଗପୁର ପୌରପାଳିକାଙ୍କ ସୌଜନ୍ୟରୁ ଉପଖଣ୍ଡ ଚିକିତ୍ସାଳୟର ରୋଗୀ ମାନଙ୍କୁ ଓ ଉପକାରାଗାରର ଅନ୍ତେବାସୀ ମାନଙ୍କୁ ମୁଖ୍ୟ ଅତିଥି, ଉପଜିଲ୍ଲାପାଳ ଓ ଅନ୍ୟାନ୍ୟମାନେ ଫଳ ବିସ୍କୁଟ ବଣ୍ଟନ କରିଥିଲେ। ଉପଖଣ୍ଡ  ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ପ୍ୟାରେଡରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ଓ ଅନ୍ୟାନ୍ୟ ମାନଙ୍କୁ ମିଷ୍ଟlନ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା.ଦିବସ ପାଳନ ଅବସରରେ ପ୍ରତ୍ୟୁଷରେ ଉପଖଣ୍ଡ  ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଡାକବାଜିଯନ୍ତ୍ର ଜରିଆରେ ସହରରେ ରାମଧୂନ ପରିବେଷଣ,  ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରଭାତଫେରୀ ଅନୁଷ୍ଠିତ ହୋଇଥିଲା. ଆଜିର ଅନୁଷ୍ଠିତ କାଯ୍ୟକ୍ରମରେ ଉପଜିଲ୍ଲାପାଳ ଉଗ୍ରେସନ ଓରାମ, ଅତିରିକ୍ତ ଉପଜିଲ୍ଲାପାଳ  ବାସନ୍ତୀ ଲାକ୍ରା, ଡି ଏଫ ଓ ସୁବ୍ରତ ପାତ୍ର, ତହସିଲଦାର ଭବାନୀ ପ୍ରସାଦ ସାହୁ,ସହକାରୀ ଜିଲ୍ଲାପାଳ ସୁଧାକର ସେଠୀ, ଅନିତା ରାଣୀ ମହାନ୍ତ ରାଇରଙ୍ଗପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ  ବୀରେନ୍ଦ୍ର ସେନାପତି, ରାଇରଙ୍ଗପୁର ଟାଉନ ଥାନା ଆଇ ଆଇ ସି,  ରଞ୍ଜନ କୁମାର ସେଠୀଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ରାଇରଙ୍ଗପୁର ପୌରପାଳିକାର ବିଭିନ୍ନ ୱାର୍ଡର କାଉଁନସିଲର , ଅଗ୍ନିଶମ ସେବା ଅଧିକାରୀ, ରାଇରଙ୍ଗପୁର ପୌର ପାଳିକାର  କାର୍ଯ୍ୟନିର୍ବାହୀ ଅଧିକାରୀଣି  ଶକୁନ୍ତଳା ହାଁସଦା ରାଇରଙ୍ଗପୁର ଓକିଲ ସଙ୍ଘ ସଭାପତି  ଅକ୍ଷୟ କୁମାର ମହାନ୍ତି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ  ଦିଲୀପ କୁମାର ମହାନ୍ତି, ରାଇରଙ୍ଗପୁର ମହିଳା ବିଦ୍ୟାଳୟର ଅଧ୍ୟାପକ  ବିଜୟ କୁମାର ରାମ ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ, ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଭିନ୍ନ ଗଣ ମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ.ତିରିଂ ହାଇସ୍କୁଲ ପ୍ରଧାନ ଶିକ୍ଷକ  ରଞ୍ଜନ କୁମାର ନନ୍ଦ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ।
 ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଓ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆୟୋଜକ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ  ବିକାଶ ରଞ୍ଜନ ମହାନ୍ତି ସମସ୍ତ ବିଭାଗକୁ କୃତଜ୍ଞତା ଜଣାଇଛନ୍ତି l